ଛତ୍ରପୁର (ସମୃଦ୍ଧ ଓଡିଶା) ଆର.ଏମ.ଆର.ସି.ର ୭ ଜଣିଆ ଅଫିସର ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କର୍ମକର୍ତ୍ତା ମାନେ ତିନି ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ସଂଗରୋଧ କେନ୍ଦ୍ର ପରିଦର୍ଶନ କରିବା ସହ ସମ୍ପୃକ୍ତ ଡାକ୍ତର ଓ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରି ଫେରିଛନ୍ତି । ସଂଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ମାନଙ୍କୁ ଠିକ ସମୟରେ ଓ ଉତ୍ତମ ଖାଦ୍ୟ ଦିଆଯାଉଛି କି ନାହିଁ ଓ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା କିପରି ଅଛି ପଚାରି ବୁଝିଥିଲେ । ବ୍ରହ୍ମପୁର ଏମକେସିଜି ମେଡିକାଲକୁ ମଧ୍ୟ ପରିଦର୍ଶନ କରି ଡାକ୍ତରମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ତାକୁ ରୋକିବା ଦିଗରେ କିଭଳି ଆବଶ୍ୟକ ପଦକ୍ଷେପ ନିଆଯାଇ ପାରିବ ସେ ଉପରେ ପରାମର୍ଶ ଦେଇଥିଲେ । ଏହି ଟିମରେ ଭୁବନେଶ୍ୱର ଆର.ଏମ.ଆର.ସି.ର ବୈଜ୍ଞାନିକ ଡ. ଜୟ ପ୍ରକାଶ କ୍ଷେତ୍ରଙ୍କ ସମେତ ସାତ ଜଣିଆ ଦଳ ପ୍ରଥମେ ଛତ୍ରପୁର ଜିଲ୍ଲାପାଳ କାର୍ଯ୍ୟାଳୟରେ ଆସି ପହଞ୍ଚିଲେ ସେଠାରୁ ପ୍ରଥମେ ଗୋପାଳପୁର ନାରାୟଣପାଟଣା ଏକ ସଂଗରୋଧ କେନ୍ଦ୍ର ପରିଦର୍ଶନ କରିଥିଲେ । ପରେ ମେଡିକାଲ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସୋମବାର ଅପରାହ୍ନରେ ଏକ ବୈଠକ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅନୁଷ୍ଠିତ ହୋଇଥିଲା ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା