ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମୁଖ୍ୟ ଶାସନ ସଚିବ ଜମି କିଣା ବିକା କାର୍ଯ୍ୟକୁ ସଂପୂର୍ଣ୍ଣ ଭାବେ ଅନଲାଇନ କରିବା ପାଇଁ ଗତକାଲି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ରାଜସ୍ୱ ବିଭାଗର ଏକ ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଅନଲାଇନରେ କରାଯାଉଥିଲେ ମଧ୍ୟ ଜମି କ୍ରେତା ଓ ବିକ୍ରେତାଙ୍କୁ ଅଫିସ ଆସିବାକୁ ପଡୁଛି । ହେଲେ ସବ ରେଜେଷ୍ଟ୍ରି ଅଫିସ ନ ଆସି କିପରି ଏହି କିଣା ବିକା ହେବ ସେ ନେଇ ପଦକ୍ଷେପ ନେବାକୁ କୁହାଯାଇଛି । ଲୋକସେବା ଭବନରେ ଆୟୋଜିତ ଏକ ଭର୍ଚ୍ୟୁୟାଲ ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ସଚିବ ବିଷ୍ଣୁପଦ ସେଠୀ ଯୋଗ ଦେଇଥିଲେ । ସେ କହିଥିଲେ ଯେ, ବର୍ତ୍ତମାନ ଜମି ଦାଖଲ ଖାରଜ ସମୟ ସୀମା ପୂର୍ବରୁ ୯୦ ଦିନ ଥିଲା ହେଲେ ବର୍ତ୍ତମାନ ଏହା ୭ ଦିନକୁ ହ୍ରାସ ପାଇଛି । ଅଂଶୀଦାରଙ୍କ ଅଭିଯୋଗ ନ ଥିଲେ ବର୍ତ୍ତମାନ ୭ ଦିନ ମଧ୍ୟରେ ପଟ୍ଟା ପ୍ରଦାନ କରାଯାଉଛି । ସେହିପରି ବିଭିନ୍ନ ଜାତିଗତ ପ୍ରମାଣ ପତ୍ର ପ୍ରଦାନ କ୍ଷେତ୍ରରେ ୩୦ ଦିନରୁ ୧୫ ଦିନକୁ ହ୍ରାସ ପାଇଛି । ବର୍ତ୍ତମାନ ଜାତିଗତ ପ୍ରମାଣ ପତ୍ର ଆବେଦନ କଲେ ୧୫ ଦିନ ମଧ୍ୟ ଏହା ମିଳି ପାରୁଛି । ସେହିପରି ଆୟ ପ୍ରମାଣ ପତ୍ର ୧୫ ଦିନରୁ ୧୦ ଦିନକୁ ହ୍ରାସ ପାଇଛି । ବର୍ତ୍ତମାନ ତଥ୍ୟ ଅନୁସାରେ ରାଜ୍ୟରେ ୪୦ ହଜାର ଦାଖଲ ଖାରଜ ୭ ଦିନ ମଧ୍ୟରେ ପ୍ରଦାନ କରାଯାଇଛି । ସେହିପରି ପ୍ରାୟ ୪ ଲକ୍ଷ ଜାତିଗତ ସହ ବିଭିନ୍ନ ପ୍ରମାଣ ପତ୍ର ୧୫ ଦିନ ମଧ୍ୟରେ ଯୋଗାଇ ଦିଆଯାଇଛି ବୋଲି ରାଜସ୍ୱ ସଚିବ କହିଛନ୍ତି । ଏହାସହ ମୋ ସରକାର ଅନୁସାରେ ଲୋକଙ୍କର ଅଭିଯୋଗକୁ ଗୁରୁତ୍ବ ଦେଇ ପଦକ୍ଷେପ ନେବା ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ ।