ସଂସଦରେ ନେତା ହେବେ ପୁରୀ ସାଂସଦ ପିନାକୀ ମିଶ୍ର ଓ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ମୁଖ୍ୟ ସଚେତକ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଜୁ ଜନତା ଦଳର ପୁରୀ ସାଂସଦ ପିନାକୀ ମିଶ୍ର ଲୋକସଭାରେ ଦଳର ନେତା ଭାବେ କାର୍ଯ୍ୟ କରିବେ । ସେହିଭଳି କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ମୁଖ୍ୟ ସଚେତକ ଓ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଦଳର ଉପମୁଖ୍ୟ ସଚେତକ ଭାବେ ଦାୟିତ୍ୱ ତୁଲାଇବେ । କଟକ ସାଂସଦ ଭର୍ତ୍ତୃହରି ମହତାବ ଲୋକସଭାରେ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ହେବେ ବୋଲି ବିଜେଡି ପକ୍ଷରୁ ଆଜି ଘୋଷଣା କରାଯାଇଛି । ତେବେ ଲୋକସଭାରେ ଷ୍ଟାଣ୍ଡି କମିଟିର ଅଧ୍ୟକ୍ଷ ପଦବୀଟି ବିଜେଡିକୁ ମିଳିବାର ଥିବାରୁ ଦଳ ପକ୍ଷରୁ ଶ୍ରୀ ମହତାବଙ୍କ ନାମ ଘୋଷଣା ହୋଇଛି । ୧୯୯୮ ମସିହାରୁ ଲଗାତାର ଭାବେ କଟକ ଲୋକସଭା ଆସନରୁ ଜିଣି ଆସୁଥିବା ଶ୍ରୀ ମହତାବ ୨୦୧୭ରେ ଶ୍ରେଷ୍ଠ ସାଂସଦ ପୁରସ୍କାର ପାଇଥିବାବେଳେ ସଂସଦରେ ତାଙ୍କର ବିତର୍କ ପାଇଁ ୨୦୧୭, ୨୦୧୮ ଓ ୨୦୧୯ରେ ସାଂସଦ ରତ୍ନ ପୁରସ୍କାର ପାଇଛନ୍ତି । ସେହିଭଳି ୧୯୯୬ ମସିହାରେ ପୁରୀରୁ କଂଗ୍ରେସ ଟିକଟରେ ସାଂସଦ ଭାବେ ଜିଣିଥିବା ପିନାକୀ ମିଶ୍ର ୨୦୦୯ରୁ ବିଜେଡି ପ୍ରାର୍ଥୀ ଭାବେ ପୁରୀରୁ ସାଂସଦ ଅଛନ୍ତି । ଚଳିତ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ପରାସ୍ତ କରି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ସଂସଦରେ ବିଜେଡିର ମୁଖ୍ୟ ସଚେତକ ହୋଇଥିବା ଅଚ୍ୟୁତ ସାମନ୍ତ ରାଜ୍ୟସଭା ସାଂସଦ ଥାଇ ଏଥର କନ୍ଧମାଳରୁ ଲୋକସଭା ନିର୍ବାଚନ ଲଢି ଜିଣିଛନ୍ତି । ସେହିଭଳି ସଂସଦରେ ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତ ହୋଇଥିବା ଅନୁଭବ ମହାନ୍ତି ମଧ୍ୟ ରାଜ୍ୟସଭା ସାଂସଦ ଥାଇ କେନ୍ଦ୍ରାପଡା ଲୋକସଭା ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି । କନ୍ଧମାଳ ଲୋକସଭା ଆସନରେ ଶ୍ରୀ ସାମନ୍ତ ବିଜେପି ପ୍ରାର୍ଥୀ ଐର ଖାରବେଳ ସ୍ୱାଇଁଙ୍କୁ ପରାସ୍ତ କରିଥିବାବେଳେ କେନ୍ଦ୍ରାପଡା ଆସନରେ ଶ୍ରୀ ମହାନ୍ତି ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କୁ ପରାସ୍ତ କରିଛନ୍ତି ।

ରିପୋର୍ଟ : ଆକାଶ ମିଶ୍ର