

ଛତ୍ରପୁର (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକଡାଉନ ଜାରୀ କରାଯାଇଥିବାରୁ ଦାଦନ ଶ୍ରମିକମାନେ କିଛି କାମ ଧନ୍ଦା ନ ପାଇ ନିଜ ନିଜ ଘରକୁ ଫେରିବାରେ ଲାଗିଛନ୍ତି । ତେଣୁ ନିଜ ନିଜ ଘରକୁ ଫେରୁଥିବା ଶ୍ରମିକମାନଙ୍କୁ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଇଥିବା ସଙ୍ଗରୋଧ କେନ୍ଦ୍ରରେ ରଖାଯାଉଛି । ଗତକାଲି ତଥା ଜୁନ ୫ ତାରିଖ ବିଶ୍ୱ ପରିବେଶ ଦିବସ । ଏହି ଦିବସକୁ ବିଭିନ୍ନ ସ୍ଥାନରେ ଗଛ ଲଗାଇ ପାଳନ କରାଯାଉଥିବା ବେଳେ ସଙ୍ଗରୋଧ କେନ୍ଦ୍ରରେ ମଧ୍ୟ ଗଛ ଲଗାଇ ଏହି ଦିବସକୁ ପାଳନ କରାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଛତ୍ରପୁର ବିଡିଓ ତଥା ଏପିଡି ଅମ୍ବିକା ପ୍ରସାଦ ଦାଶ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ଏବଂ ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍. ଗଣେଷ ବାବୁଙ୍କ ଉପସ୍ଥିତିରେ ଜଣେ ଜଣେ ଗୋଟିଏ ଗୋଟିଏ ଗଛ ଲଗାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏନେଇ ଛତ୍ରପୁର ଏନଏସି ପକ୍ଷରୁ ଟୁଇଟ ଜରିଆରେ ଜଣାଇଛନ୍ତି । ପ୍ରବାସୀମାନଙ୍କ ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

