ସଚେତନତାର ଅନ୍ୟଏକ ରୂପ : ବାହାର ଲୋକେ ପଶିପାରିବେନି ଗାଁକୁ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ସଚେତନତା ଲାଗି ସରକାର ବ୍ୟାପକ ପଦକ୍ଷେପ ନେଉଥିବା ବେଳେ କେତେକ ଗ୍ରାମାଞ୍ଚଳରେ ଏହାର ଅନ୍ୟଏକ ରୂପ ଦେଖିବାକୁ ମିଳିଛି । ଗ୍ରାମାଂଚଳର ଗ୍ରାମ୍ୟ କମିଟି ଗ୍ରାମ୍ୟ ସଭାଗୁଡିକରେ ନେଇଥିବା ସିଦ୍ଧାନ୍ତ ଅନୁଯାୟୀ ଅନ୍ୟ ଗ୍ରାମର ଲୋକେ ନିର୍ଦ୍ଦିଷ୍ଟ ଗ୍ରାମ ଭିତରକୁ ପ୍ରବେଶ କରାଇ ଦିଆଯାରଉନାହିଁ । ଏଥିଲାଗି ଗାଁ ମୁଣ୍ଡରେ ମାଇକ୍ ଯୋଗେ ବାରଣ କରାଯାଉଛି । ଅତି ଆବଶ୍ୟକ ଥିଲେ ଗାଁକୁ ପ୍ରବେଶ କରିବା ଲାଗି ଗ୍ରାମ୍ୟ କମିଟିର ସିଦ୍ଧାନ୍ତ ଜରୁରୀ ବୋଲି କୁହାଯାଇଛି । ସେମାନଙ୍କ ସିଦ୍ଧାନ୍ତ ଅନୁଯାୟୀ ଗାଁକୁ କରୋନା ଭୁତାଣୁ ପ୍ରବେଶ କରିପାରିବ ନାହିଁ ବୋଲି ଗାଁ ମୁଖିଆ ମତବ୍ୟକ୍ତ କରିଛନ୍ତି । ଜଳେଶ୍ୱର ମ୍ୟୁନିସିପାଲଟି ଓ ବ୍ଲକ ଅଂଚଳରେ କେତେକ ସ୍ଥାନରେ ଏପରି ସିଦ୍ଧାନ୍ତ କାର୍ଯ୍ୟକାରୀ ହେଉଥିବାରୁ ବାହାର ଗାଁର ଲୋକେ ସେ ଗାଁକୁ ପ୍ରବେଶ କରିପାରୁ ନାହାନ୍ତି । ଗାଁ ମୁଣ୍ଡରେ ଗାଁର ଯୁବକମାନେ ୮ ଘଟିଣ୍ଟିଆ ଗାଁ ଜଗିବା କାମ କରି ଆସୁଛନ୍ତି । ଏପରି ଘଟଣାକୁ ବାହାର ଗାଁର ଲୋକେ ଗ୍ରହଣ କରିଥିବା ବେଳେ ଅନ୍ୟ କେତେକ ନାପସନ୍ଦ କରିଛନ୍ତି । ପ୍ରକାଶ ଯୋଗୁଁ ନହଞ୍ଜରା ଗାଁରେ ଗାଁରୁ ଅନ୍ୟସ୍ଥାନକୁ ଓ ଅନ୍ୟସ୍ଥାନରୁ ଗାଁକୁ ପ୍ରବେଶରେ କଟକଣା ଲାଗି କରାଯାଇଥିବା ବେଳେ ଆଜି ଅନ୍ୟ ରାଜ୍ୟରୁ ୨ଜଣ ଯୁବକ ଗାଁକୁ ଫେରିଥିବା ବେଳେ ଗ୍ରାମରେ ଏକ ବୈଠକ ଆହୁତ ହୋଇ ସେମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ନେବାକୁ କୁହାଯାଇଛି । ସେମାନେ ଆବଶ୍ୟକ ପଂଜିକରଣ କରି ଗାଁକୁ ପ୍ରବେଶ କରିବେ ବୋଲି ଗାଁର ପୂର୍ବତନ କାଉନ୍‌ସିଲର ଅମୂଲ୍ୟ ଦତ୍ତ ଓ ପ୍ରଦୀପ ପରିଡା ପ୍ରକାଶ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା