

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ମକର ସଂକ୍ରାନ୍ତି ଉତ୍ସବ ତଥା ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥିଙ୍କ ଉପସ୍ଥିତିରେ ଫୋରମର ସମସ୍ତ ସଦସ୍ୟ ସଦସ୍ୟାମାନେ ଉତ୍ସବର ମୁଖ୍ୟ ଆକର୍ଷଣରେ ମକର ସଂକ୍ରାନ୍ତିର ପରମ୍ପରା ଅନୁଯାୟୀ ବିଭିନ୍ନ ପ୍ରକାର ଲଡ୍ଡୁ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ ପୂର୍ବକ ଭାଇଚାରା ଓ ବନ୍ଧୁତ୍ୱର ନିବିଡ଼ ବନ୍ଧନକୁ ସୁଦୃଢ଼ କରିଥିଲେ l ପରେ ଫୋରମର ଉପସଭାପତି ପଙ୍କଜ ନାୟକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଥିଲା l ଏହି ସଭାରେ ମୁଖ୍ୟଅତିଥି ଭାବେ ପୂର୍ବତନ ଜିଲ୍ଲା ଜଜ ଦୁର୍ଗାଚରଣ ମିଶ୍ର ଯୋଗଦେଇ ସମାଜରୁ ଦୁର୍ନୀତିକୁ ଦୂର କରିବା ସହିତ ଭଲ ଓ ଶିକ୍ଷିତ ମଣିଷ ସୃଷ୍ଟି କରିବା, ସମାଜରୁ ନିଶା ନିବାରଣ କରିବା, ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବନ୍ଦ କରିବା ଉପରେ ଆଲୋକପାତ କରିଥିଲେ l ସମ୍ମାନିତଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ହରେକୃଷ୍ଣ କର ଯୋଗଦେଇ ମକର ସଂକ୍ରାନ୍ତିର ଉଦ୍ଦେଶ୍ୟ ଓ ଏହା ବିଭିନ୍ନ ରାଜ୍ୟରେ ବିଭିନ୍ନ ନାମରେ ନାମିତ ପର୍ବ ରୂପେ ପାଳନ ହେଉଥିବା ସମ୍ପର୍କରେ ସୂଚନା ଦେଇଥିଲେ l ମୁଖ୍ୟବକ୍ତା ଭାବେ ଓଡିଶାର ପୂର୍ବତନ ସମବାୟ ବ୍ୟାଙ୍କ ସଭାପତି ଅକ୍ଷୟ ମହାନ୍ତି ଯୋଗଦେଇ ଫୋରମ ଦ୍ୱାରା ହେଉଥିବା ବିଭିନ୍ନ ସେବlମୂଳକ କାର୍ଯ୍ୟର ଭୂୟସୀ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଫୋରମ ସାଙ୍ଗରେ ରହି ସମୟ ଦାନ ପୂର୍ବକ କାର୍ଯ୍ୟ କରିବେ ଏବଂ ପ୍ରଥମେ “ମାଟି ” ତାପରେ ପାର୍ଟି ନୀତିକୁ ଆଧାର କରି କାର୍ଯ୍ୟ କରିବାର ଦୃଢ଼ ପ୍ରତିଶୃତି ଦେଇଥିଲେ l ଫୋରମର ଶିକ୍ଷା ବିଭାଗ ସଭାପତି ଡା.ଦେବୀ ପ୍ରସାଦ ମିଶ୍ର ବ୍ୟାସ କବି ଫକୀର ମୋହନ ସେନାପତିଙ୍କର ଜୀବନୀ ଓ ସାହିତ୍ୟକୃତି ସମ୍ପର୍କରେ ସବିଶେଷ ଆଲୋଚନା କରିବା ସଙ୍ଗେ ସଙ୍ଗେ ତାଙ୍କ ଉପରେ ଏକ ସ୍ୱରଚିତ ସନେଟ ପାଠ କରିଥିଲେ l ଫୋରମ ଚଳିତ ବର୍ଷକୁ ଶିକ୍ଷା ବର୍ଷ ରୂପେ ଗ୍ରହଣ କରିଥିବାରୁ ସମସ୍ତେ ଶିକ୍ଷାର ଉନ୍ନତି ନିମିତ୍ତ ଆଗେଇ ଆସିବା ପାଇଁ ଡା. ମିଶ୍ର ଦୃଢ଼ ଆହ୍ୱାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଫୋରମର ମହିଳା ଶାଖା ଓ ନଗର ଶାଖାର କର୍ମକର୍ତ୍ତା ମାନେ ଭାଗ ନେଇଥିଲେ l ଫୋରମର ସମ୍ପାଦକ ଭରତ କୁମାର ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମହିଳା ସଭାନେତ୍ରୀ ପ୍ରଭାତୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l


