

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ସକାଳ ୬ଟା ସମୟରେ ଛତ୍ରପୁରରେ ସଟଡାଉନ ନିୟମକୁ କିପରି ପାଳନ କରାଯାଉଛି ତାହା ଏନଏସି ଅଧିକାରୀ ଏକ ସ୍ଚୁଟିରେ ବୁଲି ବୁଲି ତଦାରଖ କରିଥିଲେ । ସେହି ସମୟରେ କିଛି ଦୋକାନୀ ସଟଡାଉନ ନିୟମ ଉଲ୍ଲଘଂନ କରୁଥିବା ଦେଖି ଛତ୍ରପୁର ଏନଏସି ପକ୍ଷରୁ ୯ଟି ଦୋକାନରେ ସିଲ୍ ପକାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଦିନକୁ ବଢି ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନ କରାଯାଉଛି । ଏହାସହ ଲୋକମାନେ କିପରି ଏହି ମହାମାରୀ ଆକ୍ରାନ୍ତ ଠାରୁ ଦୁରେଇ ରହିପାରିବେ ସେଥିନିମନ୍ତେ ବିଭିନ୍ନ ପ୍ରକାର ପଦକ୍ଷପ ଗ୍ରହଣ କରାଯାଇ ବ୍ୟାପକ ବ୍ୟବସ୍ଥା କରାଯାଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଜୁନ ମାସକୁ ଅଧିକ ଗୁରୁତ୍ୱ ଦିଆଯାଇଥିବାରୁ ଏଥିପାଇଁ ନୂତନ ନିୟମ ପ୍ରଣୟନ କରାଯାଇଛି । ସପ୍ତାହର ଦୁଇଦିନ ଶନିବାର ଓ ରବିବାର ସମ୍ପୂର୍ଣ ଦୋକାନ ବଜାର ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ ବନ୍ଦ କରିବା ପାଇଁ ସଟଡାଉନ ଘୋଷଣା କରାଯାଇଛି । ଯଦି ସଟଡାଉନ ନିୟମକୁ କେହି ଉଲ୍ଲଘଂନ କରନ୍ତି ତେବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି । ଏଥିପାଇଁ ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାରେ ସଟଡାଉନ ନିୟମକୁ ସଠିକ ଭାବରେ କିପରି ପାଳନ କରିବେ ସେଥିପାଇଁ ବିଭିନ୍ନ ମାଧ୍ୟମରେ ପ୍ରଶାସନିକ ଅଧିକାରୀ ମାନେ ସଚେତନ କରାଉଛନ୍ତି । ଏହି ଅନୁସାରେ ଗଞ୍ଜାମ ଜ଼ିଲ୍ଲା ସଦରମହକୁମା ଛତ୍ରପୁର ସହରରେ ମଧ୍ୟ ପୂର୍ଵରୁ ଏନଏସି ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯାଇଥିଲା । ଆଜି ଛତ୍ରପୁର ସହରର ରିକାପଲ୍ଲୀ ଛକ ଠାରୁ ଆରମ୍ଭ କରି ମଝି ବଜାର, ନୀଳକଣ୍ଠେଶ୍ୱେର ମନ୍ଦିର ରୋଡ଼, ବଡ଼ବଜାର, ଅପର ବସଷ୍ଟାଣ୍ଡ, ପୁତି ଗୋପାଳପୁର ଏବଂ ମାଛ ମାର୍କେଟ ରୋଡ଼ର ୯ଟି ଦୋକାନ ଏହାକୁ ଉଲଘଂନ କରି ସଟଡାଉନରେ ଦୋକାନ ଗୁଡିକ ଅଧା ଖୋଲି ବ୍ୟବସାୟୀ କରୁଥିବା ନେଇ ଏନଏସି ପ୍ରଶାସନ ପକ୍ଷରୁ ସିଲ କରାଯାଇଛି ଓ ୩ଟି ଦୋକାନଙ୍କ ନାମରେ ଥାନାରେ ଏତଲା ମଧ୍ୟ ଦିଆଯାଇଥିବା ଜଣାପଡିଛି । ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ. ଗଣେଶ ବାବୁଙ୍କ ନେତୃତ୍ୱରେ କର୍ମଚାରୀ ମାନେ ଦୋକାନ ଗୁଡିକ ସିଲ କରିଥିଲେ । ଏହି ଦୋକାନ ଗୁଡିକକୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଏନଏସି ପକ୍ଷରୁ କୁହାଯାଇଛି । ଏହାସହ ସେମାନଙ୍କ ଠାରୁ କୋଭିଡ-୧୯ ନୀୟମ ଉଲଘଂନ ଅନୁସାରେ ୯ ହଜାର ୭ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଯେଉଁମାନେ ବିନା ମାସ୍କରେ ବାହାରେ ବୁଲୁଛନ୍ତି ସେମାନଙ୍କ ଠାରୁ ଏନଏସି ପକ୍ଷରୁ ଜୋରିମାନା ଆଦାୟ ମଧ୍ୟ କରାଯାଇଛି ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବାବୁ ସେମାନଙ୍କୁ ମାସ୍କ ପିନ୍ଧାଇ ଘରେ ସୁରକ୍ଷିତ ରହିବାକୁ କହିଛନ୍ତି । ଏଥିରେ ଛତ୍ରପୁର ଏନଏସିର ଯୁଗଳ କିଶୋର ଦାଶ, ଏସ.ଦଲେୟା ରେଡ୍ଡୀ, ଜଗଦୀଶ ରେଡ୍ଡୀ, ପ୍ରଭାକର ବେହେରା, କୃଷ୍ଣ ମହାପାତ୍ର, ସୁପରଭାଇଜର ଏ. ଜାନକୀ, ସ୍ୱଚ୍ଛସାଥି ଟି.ଚିରଞ୍ଜିବି, ଏସ. ନୀଲୀମ୍ମା, ଏସ.ଭାଗ୍ୟଲକ୍ଷ୍ମୀ ଓ ଏସ.ଦମୟନ୍ତୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା



