ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ରାଜପୁର ଓ ଶିଖରପୁର ପଂଚାୟତ ଏବଂ ଜଳେଶ୍ୱର ସାହିତ୍ୟ ସଂସ୍କୃତି ସଂସଦ ମିଳିତ ଆନୁକୂଲ୍ୟରେ ବାଘାବାଳୀ ସୁବର୍ଣ୍ଣରେଖା ନଦୀତଟରେ ସପ୍ତମ ସୁବର୍ଣ୍ଣରେଖା ବୋଇତବନ୍ଦାଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ପୂର୍ବାହ୍ନରେ ଏହି କାର୍ଯ୍ୟକ୍ରମକୁ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଉଦଘାଟନ କରିଥିଲେ । ସଂଗଠନର ସଭାପତି ଚିନ୍ମୟକୁମାର ଦାସ ପୌରହିତ୍ୱ କରିଥିବା ବେଳେ ସମ୍ମାନୀତ ଅତିଥିଭାବେ ଜଳେଶ୍ୱର ଆଇଆଇସି ପ୍ରଦୀପ କୁମାର ମାଝୀ, ଆଇନଜୀବୀ ସତ୍ୟସୁନ୍ଦର ଦାସ, କମଳଚକ୍ରବର୍ତ୍ତୀ, ଅରୁଣ ବେଜ, ଅଶୋକ ଦାସ, ହରେକୃଷ୍ଣ ଗିରି, ତ୍ରିଲୋଚନ ଗିରି, ଭାଗବତ ପରିଡା, ବନବିହାରି ପ୍ରଧାନ, ସୁବଳ କୁମାର ପରିଡା, ବନମାଳୀ ଧଳ ପ୍ରମୁଖ ଯୋଗ ଦେଇଥିଲେ । ସଂଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ଅଧ୍ୟକ୍ଷ ତଥା ଗବେଷକ ଡ. ଶ୍ରୀକାନ୍ତ ଚରଣ ପାତ୍ର ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ରୂପେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଯୋଗ ଦେଇ ଅତୀତର ନୌବାଣିଜ୍ୟ ଓ ପରମ୍ପରା ଏବେବି ଓଡିଶାବାସୀ ମନେରଖି ପ୍ରତ୍ୟେକବର୍ଷ ଏହି ଉତ୍ସବ ପାଳନ କରିବାକୁ ନିବେଦନ କରିଥିଲେ । ମୁଖ୍ୟବକ୍ତା ରୂପେ ବାଲେଶ୍ୱର ପୂର୍ବତନ ସାଂସଦ ଐରଖାରବେଳ ସ୍ୱାଇଁ ଯୋଗ ଦେଇ ଅତୀତ ଉତ୍କଳର ସାଧବମାନେ କିପରି ଜାଭା, ସୁମିତ୍ରା, ଇନ୍ଦୋନେସିଆ, ବାଲି ପ୍ରଭୃତି ଦ୍ୱିପକୁ ଯାଇ ବିପୁଳ ପରିମାଣରେ ଧନସମ୍ପଦ ନିଜ ରାଜ୍ୟକୁ ନେଇ ଆସୁଥିଲେ ସେ ସମ୍ପର୍କରେ ବିସ୍ତୃତରୂପେ ବର୍ଣ୍ଣନା କରିବା ସହିତ ବିଭିନ୍ନ ଦେଶର ସାଂସ୍କୃତିକ ଚେତନା ଭିତରେ ଓଡିଶାର ଗୁରୁତ୍ୱୂପର୍ଣ୍ଣ ଭୂମିକା ରହିଛି । ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବଳ ଚନ୍ଦ୍ର ପରିଡା, ଅବସରପ୍ରାପ୍ତ ଏବିଇଓ ବନମାଳି ଧଳ, ସୁନିଲ ମହାନ୍ତି ପ୍ରମୁଖ ଯୋଗ ଦେଇଥିବା ବେଳେ ପ୍ରାରମ୍ଭରେ ଯୁବ ସମାଜସେବୀ ସିଦ୍ଧାର୍ଥ ଶଂକର ପାଳ ଅତିଥି ମାନଙ୍କୁ ପରିଚୟ ପ୍ରଦାନ କରିଥିଲେ । ଶେଷରେ ତପନ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ପରେପରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଯୋଜିତ ବଲାଙ୍ଗାର ଜିଲାର ନୃତ୍ୟଶିଳ୍ପୀମାନେ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ । ଓଡିଶୀ ନୃତ୍ୟଗୁରୁ ବିକାଶଙ୍କ ପରିଚାଳନାରେ ଓଡିଶୀ ନୃତ୍ୟ ପରିବେଶଣ କରାଯାଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା