ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରରେ କିରୋସିନୀ ସବ୍ ହୋଲସେଲର ନିଯୁକ୍ତ ପାଇନଥିବାରୁ ପ୍ରାୟ ୮ମାସ ଧରି ଜଳେଶ୍ୱରର ୧୩୩ ଜଣ ରିଟେଲର ଦୂରବସ୍ତାରୁ କିରୋସିନୀ ଆଣିବାକୁ ବାଧ୍ୟ ହେଉଛନ୍ତି । ଫଳରେ ନିର୍ଦ୍ଦିଷ୍ଟ ସମୟରେ କିରୋସିନୀ ମିଳୁନଥିବା ବେଳେ ପରିବହନ ଖର୍ଚ୍ଚ ଯୋଗୁଁ ଅଧିକ ହିତାଧିକାରୀଙ୍କୁ ଅଧିକ ମୂଲ୍ୟରେ କିରସିନୀ କିଣିବାକୁ ପଡୁଛି । ଜଳେଶ୍ୱର ବ୍ଲକରେ ୭୫୮୩୨ କେଏଲ୍ କିରୋସିନୀ ବିତରଣ ପାଇଁ ୧୨୦ଜଣ ରିଟେଲରଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ମ୍ୟୁନିସିପାଲ୍ଟିରେ ୧୩ଜଣ ରିଟେଲର ଦ୍ୱାରା ୭୨୭୯ କେଏଲ୍ ତେଲ ବଣ୍ଟାଯାଇଥାଏ । କିନ୍ତୁ ଜଳେଶ୍ୱରର ସବ୍ ହୋଲସେଲର ବିଜୟ ଲାଲ ଅଗ୍ରୱାଲଙ୍କ ମୃତ୍ୟୁ ପରେ ମାଲିକାନା ସତ୍ୱ ନେଇ ବିବାଦ ଉପୁଜିଥିବାରୁ ସେଠାରୁ କିରୋସିନୀ ବଣ୍ଟା ଯାଇପାରୁନାହିଁ । ଫଳରେ ଜଳେଶ୍ୱରର ଏହି ୧୩୩ଜଣ ରିଟେଲର ବସ୍ତା ହୋଲସେଲର ବିଜୟ କୁମାର ଜେନାଙ୍କ ଠାରୁ କିରୋସିନୀ ଆଣିବାକୁ ଜିଲ୍ଲା କର୍ତ୍ତୃପକ୍ଷଙ୍କ ଠାରୁ ନିର୍ଦ୍ଦେଶ ପାଇଛନ୍ତି । ସରକାରୀ ନିୟମ ଅନୁଯାୟୀ ଲିଟର ପିଛା କିରୋସିନୀ ୩୫ଟଙ୍କା ୨୭ ପଇସା ଥିବା ବେଳେ ୧ଟଙ୍କା ୧୫ ପଇସା ପରିବହନ ଖର୍ଚ୍ଚ ବାବଦକୁ ମିଳିଥାଏ । କିନ୍ତୁ ଏବେ ଗତ ୨ବର୍ଷ ଧରି ପ୍ରାୟ ପ୍ରତି ୧୫ ଦିନକୁ ୨୭ପଇସା ଲେଖାଏଁ ବୃଦ୍ଧି ପାଉଥିବା ବେଳେ ହୋଲସେଲ ପଏଣ୍ଟ ଦୂର ହୋଇଥିବାରୁ ପରିବହନ ବାବଦକୁ ଡିଲରମାନେ ଅଧିକ ନେଉଛନ୍ତି । କିରୋସିନୀ ପ୍ରତି ୩ ମାସରେ ଥରେ ହାତିଧିକାରୀମାନଙ୍କୁ ଦେବାର ବ୍ୟବସ୍ଥା ଥିବାରୁ ଡିଲରମାନେ ଏକାଥରକେ ଆଣି ବଣ୍ଟନ କରିବା ସମ୍ଭବ ହୋଇପାରୁନାହିଁ । ପୁଣି ୧ ବେରେଲ କିରୋସିନୀରେ ୬ ଲିଟର ପର୍ଯ୍ୟନ୍ତ କମ୍ ରହିବା ଏବଂ ଏହା ଗ୍ୟାସୀୟ ପଦାର୍ଥ ହୋଇଥିବାରୁ ଏହି କମ୍ପରିମାଣ ବଢୁଥିବା ସଂପର୍କରେ ରିଟେଲରମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଉଥିଲେ ମଧ୍ୟ ତାହା କେହି କର୍ଣ୍ଣପାତ କରୁନାହାନ୍ତି । ତେଣୁ ଜଳେଶ୍ୱରରେ ସବ୍ହୋଲସେଲର ନିଯୁକ୍ତି କିମ୍ବା ହୋଲସେଲର ଏକ ଡିପୋ କରି କିରୋସିନୀ ବଣ୍ଟନ କରିବାକୁ ଦାବୀ ହେଉଛି ।
ରିପୋର୍ଟ : ଭୂପତି କୁମାର ପରିଡା