“ସଭା ଭଣ୍ଡୁର କରିବା ପାଇଁ ବାରିପଦାରେ ଡେରା ପକାଇଥିଲେ ଅରୁଣ”:ଦାମୋଦର ରାଉତ…

ବାରିପଦା (ସମୃଦ୍ଧ ଓଡିଶା) ବିଜେଡିରୁ ବହିଷ୍କୃତ ହେବା ପରେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବିଜେଡି ବିରୋଧୀ ଅଭିଯାନକୁ ଜୋରଦାର କରିଚାଲିଛନ୍ତି । କୁଜଙ୍ଗ, ମାହାଙ୍ଗା, ନିମାପଡ଼ା ପରେ ଦାମ ଏବେ  ବାରିପଦାରେ ନିଜର  ଶକ୍ତି ପ୍ରଦର୍ଶନ କରିଛନ୍ତି । ହେଲେ ବାରିପଦା ସଭାକୁ ଭଣ୍ଡୁର କରିବା ପାଇଁ ବିଜେଡି ନେତାମାନେ ଜୋର ଜାର ଉଦ୍ୟମ କରିଥିଲେ ବୋଲି ଦାମ ଅଭିଯୋଗ କରି କହିଛନ୍ତି। ଏଥିପାଇଁ ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ଦାୟୀ କରି ବାଣ ମାରିଛନ୍ତି ଡ଼ଃ ଦାମୋଦର ରାଉତ । “ବାରିପଦା ସଭାକୁ ନେଇ ବିଜେଡି ନେତାମାନେ ଭୟଭୀତ ହୋଇଯାଇଥିଲେ । ମୟୂରଭଞ୍ଜ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଥିବା ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ମୋ’ ସଭା ଭଣ୍ଡୁର କରିବା କାମରେ ଲଗା ଯାଇଥିଲା । ଅରୁଣ ତାଙ୍କ ସମର୍ଥକ ପଠାଇ ସଭା ଭଣ୍ଡୁର କରିବାକୁ ଉଦ୍ୟମ କରିଥିଲେ । ହେଲେ ସଫଳ ହୋଇ ପାରିଲେ ନାହିଁ । ସଭା ଯେମିତି ଚାଲିବା କଥା ଚାଲିଥିଲା । ସଭା ଭଣ୍ଡୁର କରିବା ପାଇଁ ଦୁଇ ଦିନ ହେଲା ଅରୁଣ ବାରିପଦାରେ ଡେରା ପକାଇଥିଲେ”, ଏମିତି ଅଭିଯୋଗ ଆଣିଛନ୍ତି ଦାମୋଦର ରାଉତ ।ମୟୂରଭଞ୍ଜ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାରିପଦାର ଛଉ ପଡ଼ିଆରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧୀ ମହାସଂଗ୍ରାମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲା । କିନ୍ତୁ ବୈଜୟନ୍ତ ଏହି ସଭାରେ ଯୋଗ ଦେଇ ନଥିଲେ । ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ଏହି ସଭାରେ ଯୋଗଦେଇ ରାଜ୍ୟ ସରକାରଙ୍କ ଦୁର୍ନୀତି ପେଡ଼ି ଖୋଲିଥିଲେ।ଦାମ କହିଥିଲେ, “୧୮ ବର୍ଷ ହେଲା ଓଡ଼ିଶାରେ କୁଶାସନ ଚାଲିଛି । ଓଡ଼ିଶାର ବିକାଶ ହୋଇଛି ବୋଲି ରାଜ୍ୟ ସରକାର ଗଣ ମାଧ୍ୟ୍ୟମରେ ପ୍ରଚାର କରି ଚାଲିଛନ୍ତି କିନ୍ତୁ କେଉଁଠି ଏହି ବିକାଶ ହୋଇଛି ?” ଦାମଙ୍କୁ ବିଜେଡି ଜବାବ ଦେଇଛି । ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ଦାମ ବାବୁଙ୍କର ମତିଭ୍ରମ ହୋଇଛି । ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଜଣାପଡ଼ୁଛି। ଏଥିପାଇଁ ସେ ପ୍ରଥମେ ନିଜର ଚିକିତ୍ସା କରନ୍ତୁ।”ଅନ୍ୟପକ୍ଷରେ ୭୬ ବର୍ଷ ବୟସରେ ସେ ପ୍ରତିଦିନ ମିଡ଼ିଆକୁ ଭେଟୁଛନ୍ତି, ଗୋଟିଏ ଦିନରେ ୨୫୦ କି.ମି ରାସ୍ତାରେ ଯାଇ ସେଠି ସଭା ସାରି ପୁଣି ୨୫୦ କି.ମି ଫେରିପାରୁଛନ୍ତି, ଏଇ ମାସରେ ଭୁବନେଶ୍ୱର ବାହାରେ କେତୋଟି ସଭାରେ ସେ ଦୁର୍ନୀତି ବିରୋଧରେ ଭାଷଣ ମାରିସାରିଲେଣି, ତାଙ୍କ ଭାଷଣ ଲୋକେ ଶୁଣୁଛନ୍ତି ଏବଂ ଖବରକାଗଜ, ଟିଭି, ନ୍ୟୁଜ ପୋର୍ଟାଲ ମାନଙ୍କରେ ମଧ୍ୟ ଖବର ପ୍ରକାଶିତ ହେଉଛି। ଏହାପରେ ମଧ୍ୟ ବିଜେଡି କହୁଛି ଦାମ ବାବୁ ଜଣେ ମାନସିକ ରୋଗୀ…ଏହା କେତେଦୂର ଲୋକେ ବିଶ୍ୱାସ କରିବେ ଆଗାମୀ ନିର୍ବାଚନ ହିଁ ଜବାବ ଦେବ ବୋଲି କିଛି ପାଠକ ମତାମତ ପଠାଇଛନ୍ତି।