
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅଂଚଳରେ ଥିବା ସେବା ସମବାୟ ସମିତି ଗୁଡିକରେ ଧାନ କିଣିବା ଅବଧି ଶେଷ ହୋଇଥିଲେ ମଧ୍ୟ ଯୋଗାଣ ବିଭାଗ ଦେଇଥିବା ଟୋକନ୍ଧାରୀଙ୍କ ଠାରୁ ସମସ୍ତ ଧାନ କ୍ରୟ ହୋଇନଥିବା ଜଣାଯାଇଛି । ଫଳରେ ଚାଷୀ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଜଳେଶ୍ୱର ବ୍ଲକ ଅଂଚଳରେ ରବି ଋତୁରେ ୮ହଜାର ହେକ୍ଟର ଓ ଖରିଫ ଋତୁରେ ୨୦ହଜାର ହେକ୍ଟର ଜମିରେ ଧାନଚାଷ ହୋଇଥାଏ । ଗତ ଖରିଫ ଋତୁରେ ସବୁ ଟୋକଧାରୀଙ୍କ ନିକଟରୁ ଧାନ କ୍ରୟ କରାଯାଇନଥିବାର ବହୁ ଅଭିଯୋଗ ଡିଆର୍ସିଏସ୍, ଜିଲା ଯୋଗାଣ ଅଧିକାରୀ ଓ ଜିଲାପାଳଙ୍କ ଠାରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ରବି ଋତୁରେ ପ୍ରାୟ ୮ଲକ୍ଷ କ୍ୟଣ୍ଟାଲ ଧାନ ଅମଳ ହୋଇଥିବା ବେଳେ ସେ ସବୁ କିଣିବା ପାଇଁ ବ୍ଲକ ଅଞ୍ଚଳରେ ଥିବା ୧୯ଟି ସେବା ସମବାୟ ସମିତିକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ଟୋକନ୍ ଦିଆଯାଇଥିବା ସମସ୍ତ ଚାଷୀଙ୍କ ଠାରୁ ଧାନ କ୍ରୟ କରିବା ନିୟମ ଥିଲେ ମଧ୍ୟ ଚଳିତ ବର୍ଷ ତାହା ହୋଇନାହିଁ । ପ୍ରକାଶଯୋଗ୍ୟ କେତେକ ଚାଷୀ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ ନାମ ପଞ୍ଜିକରଣ କରିନଥିବାରୁ କିମ୍ବା ସେବାସମବାୟ ସମିତିର କେତେକ ଅସୁବିଧା ଯୋଗୁଁ ନାମ ପଞ୍ଜିକରଣ କରିପାରିନଥିଲେ । ଜୁଲାଇ ମାସ ଶେଷ ହେବାକୁ ଯାଉଥିବା ବେଳେ ବହୁ ସମବାୟ ସମିତିରେ ଟୋକନ୍ଧାରୀଙ୍କ ଧାନ କ୍ରୟ ହୋଇନଥିବା ଜଣାଯାଇଛି । ଫଳରେ ଆସନ୍ତା ୩୧ତାରିଖରେ ରାଇବଣିଆ ସେବାସମବାୟ ସମିତିରେ ତାଲା ପଡିବାକୁ ଥିବା ବେଳେ ଆମ୍ବଳିଅଠା ସେବା ସମବାୟ ସମିତିରେ ଉତ୍ତେଜନା ପ୍ରକାଶ ପାଇଛି । ଆମ୍ବଳି ଅଠା ସେବା ସମବାୟ ସମିତିରେ ୨୭୨ ଜଣ ଚାଷୀ ଟୋକନ୍ ପାଇଥିବା ବେଳେ ମାତ୍ର ୧୨୨ଜଣଙ୍କ ଠାରୁ ଧାନ କ୍ରୟ କରାଯାଇଛି ବୋଲି ମନୋରଂଜନ ଦେ, ମିହିର ଦେ, ସୁଧିର କୁମାର ଦେ, ସନ୍ତୋଷ କୁମାର ଦେ, ସ୍ୱରୂପ ନନ୍ଦୀ, ତନୁଜ ନନ୍ଦୀ, ମିହିର ଜେନା, ପ୍ରମୋଦ ଜେନା, ଖଗେନ୍ଦ୍ର ଜେନା ପ୍ରମୁଖ ଅଭିଯୋଗ କରିଛନ୍ତି । କେବଳ ଏହି ଗୋଟିଏ ସେବା ସମବାୟ ସମିତିି ନୁହେଁ ଜଳେଶ୍ୱର ବ୍ଲକରେ ୧୮ଟି ଯାକ ସେବା ସମବାୟ ସମିତିରେ ସମାନ ପରିସ୍ଥିତି ଉପୁଜିଥିବାରୁ ଚାଷୀମାନେ ଅଭାବି ବିକ୍ରିର ସମ୍ମୁଖୀନ ହେବାକୁ ବାଧ୍ୟ ହେବେ ବୋଲି ଜଣାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା