ସମସ୍ତେ ଆଜି ନିଶାରେ !…

ନିଶାକୁ ମଣିଷ ନିଶାରେ ଦେଖେ !
ହେଲେ ନିଶା ନେଉନଥିବା ମଣିଷ ମଧ୍ୟ ଆଜି ନିଶାରେ !
ମଣିଷ ମନର ଭାବଧାରା ତାକୁ ଗୋଟିଏ ବଳୟ ମଧ୍ୟରେ ରଖି ନିଶାରେ
ଘାରୁଥିବା ନିଶାକୁ ସବୁଠାରୁ ବଡ ନିଶା ବୋଲି କୁହାଯାଇ ପାରେ !!
ନିଶା ଦ୍ରବ୍ୟ ସେବନ କରିବା ଦ୍ୱାରା ନିଶାଗ୍ରସ୍ତ ହୋଇ ମଣିଷ ନିଜର କୌଣସି ଏକ ନିର୍ଦ୍ଧିଷ୍ଟ ଭାବଧାରା ମଧ୍ୟରେ ପ୍ରଳାପ କରୁଥିବା ସମସ୍ତେ ଦେଖନ୍ତି, ଜାଣନ୍ତି । ହେଲେ କୌଣସି ନିଶା ଦ୍ରବ୍ୟ ସେବନ ନକରି ମଧ୍ୟ ସାଧାରଣ ମଣିଷ କେମିତି ନିଶାରେ ପ୍ରଚଳିତ ହୁଅନ୍ତି ଏକ ବିସ୍ମୟକର ଘଟଣା ! ଏହି କଥାଟି କୌଣସି ହାସ୍ୟାସ୍ପଦ କିମ୍ବା ପରିହାସ ମୂଳକ ନୁହେଁ, ବରଂ ମଣିଷ ମନର ଏକ ମନସ୍ତାତ୍ୱିକ ବିଶ୍ଳେଷଣ । ନିଶା ଅର୍ଥାତ ଏକ ନିର୍ଦ୍ଧିଷ୍ଟ ବିଷୟ ମଧ୍ୟରେ ନିଜକୁ ସୀମିତ ରଖି ଦୁନିଆର ବାକି ସବୁ କଥାକୁ ଭୁଲିଯିବା । କୌଣସି ନିଶା ଦ୍ରବ୍ୟ ସେବନ କରିବା ଦ୍ୱାରା ମଣିଷ ନିଜର ହିତାହିତ ଜ୍ଞାନ ଶୂନ୍ୟ ହୋଇ ସେହି ନିଶା ନ ଛାଡିବା ପର୍ଯ୍ୟନ୍ତ ଗୋଟିଏ ନିର୍ଦ୍ଧିଷ୍ଟ ଭାବଧାରା ମଧ୍ୟରେ ଚାରଣ କରିଥା’ନ୍ତି । ସେହି ନିଶାର ସମୟ ସୀମା ସରିଗଲା ପରେ ପୁଣି ସେମାନେ ସାଧାରଣ ମଣିଷ ଭଳି ଆଚରଣ କରିଥା’ନ୍ତି । କିନ୍ତୁ ଦୁନିଆରେ ଏମିତି ନିଶା ଅଛି ଯାହାର ନିର୍ଦ୍ଧିଷ୍ଟ ସମୟ କିମ୍ବା ଶେଷ ସୀମା ନଥାଏ । ଆଉ ସେହି ନିଶା ମଣିଷ ଜୀବନର କୌଣସି ଗୋଟିଏ ସମୟରେ ଆରମ୍ଭ ହୋଇ ଜୁଇରେ ଚିତା ଲାଗିବା ପର୍ଯ୍ୟନ୍ତ ଶେଷ ହୋଇନଥାଏ ! ସେହି ନିଶାରେ ନିଶାସକ୍ତ ଆଜିର ସାଧାରଣ ଜୀବନ ଠାରୁ ଆରମ୍ଭ କରି ଅତ୍ୟନ୍ତ ଉଚ୍ଚ କୋଟିର ମଣିଷଙ୍କ ପାଖରେ ମଧ୍ୟ ଦେଖିବାକୁ ମିଳୁଛି ଯାହା ୧୦୦ ଶତକଡା ମଣିଷଙ୍କୁ ଆଜି ଦିନରାତି ଅହରହ ନିଶାଗ୍ରସ୍ତ କରି ରଖିଛି । ସେହି ନିଶା ମଣିଷର ମାନସିକ ସ୍ତରରୁ ଉତ୍ପତି ନିଜ ଶାରୀରିକ ବିଡମ୍ବନା ଜନିତ, ଯାହା କୌଣସି ନିଶା ଦ୍ରବ୍ୟର ପ୍ରଭାବରୁ ହୋଇନଥାଏ । ହେଲେ ନିଶା ଦ୍ରବ୍ୟ ଜନିତ ନିଶାକୁ ଆୟତ୍ତ କରିବା କ୍ଷମତା ରଖିଥିବା ମଣିଷ ଆଜି ମାନସିକ ବିଡମ୍ବନା ଜନିତ ନିଶାରୁ ନିଜକୁ ମୁକୁଳିତ କରି ନପାରି, ଦିନକୁ ଦିନ ତାହାର ପ୍ରକୋପରେ ନିଜକୁ ଜାଳି ଜାଳି ଅହରହ ମରୁଛି । ନିଶାଦ୍ରବ୍ୟ ସେବନକାରୀଙ୍କୁ ନିଶା ଯେତିକି ଆନନ୍ଦ ପ୍ରଦାନ କରି ଶାରୀରିକ କ୍ଳେଷରେ ସହଯୋଗ କରିଥାଏ, ତାହାଠାରୁ ଯଥେଷ୍ଟ ଅଧିକ ଏହି ମାନସିକ ନିଶାସକ୍ତ ପରିସ୍ଥିତି ଆନନ୍ଦ ପ୍ରଦାନ ପୂର୍ବକ କେମିତି ଆଶାତୀତ ଶାରୀରିକ କ୍ଳେଶ ପ୍ରଦାନ କରିଥାଏ ଭାବ ବହିର୍ଭୁତ ନିର୍ବୋଧ, ଅଜ୍ଞାନ ମଣିଷ ବୁଝିବା ଏତେ ସହଜ ନୁହେଁ ।
କହିବାକୁ ଗଲେ ଆମ ଦେଶ ଲୋକ ମାନଙ୍କର ଏମିତି ମନସ୍ତାତ୍ୱିକ ନିଶାଗ୍ରସ୍ଥ ହୋଇ ନିଜ ଜୀବନକୁ ଅଶାନ୍ତ ପରିସ୍ଥିତି, ପରିବେଶ ମଧ୍ୟରେ ରଖି ରକ୍ତଚାପ, ମଧୁମେହ ଭଳି ଆହୁରି ଅନେକ ରୋଗ ଗ୍ରସ୍ଥ ଅବସ୍ଥାରେ ଦିନରାତି ଅସନ୍ତୁଳିତ ମାନସିକତା ପ୍ରବଣ ଅବସ୍ଥାରେ ବଂଚିବା ପାଇଁ କୌଣସି ପ୍ରେରଣା ନଥିଲା । ସାଧାରଣ ଜନଜୀବନ ଅତ୍ୟନ୍ତ ସରଳ, ସୁନ୍ଦର ଭାବେ ପରିଚାଳିତ ହେଉଥିବା ବେଳେ ପ୍ରାକୃତିକ ପରିବେଶ ଅତ୍ୟନ୍ତ ରୈାମ୍ୟ, ଶୀତଳ ଥିଲା । ଲୋକଙ୍କ ଜୀବନ ଯାପନ ଶୈଳୀ ଏକ ପ୍ରାକୃତିକ ପରିସ୍ଥିତି ମଧ୍ୟରେ ସନ୍ତୁଳିତ ଅବସ୍ଥାରେ ରହୁଥିଲା । ପ୍ରାଚୀନ ସମୟର ଅନେକ ସୁଖ୍ୟାତ ଦାର୍ଶନିକଙ୍କ ମନସ୍ତାତ୍ୱିକ, ସାମାଜିକ, ମାନବିକ ଚେତନା ଉପରେ ଆଧାରିତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାର୍ଶନିକ ମତବାଦ ଗୁଡିକୁ ଅନୁକରଣ କରି ସାଧାରଣ ଲୋକେ ସୁଖ ଶାନ୍ତିରେ ଜୀବନ ଅତିବାହିତ କରିବାରେ ସକ୍ଷମ ହୋଇ ପାରୁଥିଲେ । ମାନସିକ ନିଶାଗ୍ରସ୍ଥ ହେବା ଦୂରର କଥା କୌଣସି ନିଶା ଦ୍ରବ୍ୟ ବ୍ୟବହାର ମଧ୍ୟ ଖୁବ୍ ବିରଳ ଥିଲା । ତେଣୁ ଲୋକଙ୍କ ମଧ୍ୟରେ ପରସ୍ପର ପ୍ରତି ସ୍ନେହ ସଦ୍ଭାବ ଏତେ ମାତ୍ରାରେ ଥିଲାଯେ ପଡୋଶୀଙ୍କୁ ଲୋକେ ନିଜ ପରିବାର ଭଳି ଭାବୁଥିଲେ । ତେଣୁ ଭାରତୀୟଙ୍କ ମର୍ଯ୍ୟାଦା ସର୍ବତ୍ର ଅକ୍ଷୁର୍ଣ୍ଣ ରହିଥିଲା । ଆମ ଦେଶର ଏହି ସରଳ ସୁନ୍ଦର ଜୀବନ ପାଶ୍ଚାତ୍ୟର କିଛି ଖଳ ପ୍ରକୃତି ବ୍ୟବସାୟୀଙ୍କ ଚକ୍ଷୁରେ ଗଲା ନାହିଁ । ସେମାନେ ଆମ ସରଳତାର ସୁଯୋଗ ନେଇ ଆମକୁ ଠକି, ଭଣ୍ଡି ଆର୍ଥିକ ଯନ୍ତ୍ରଣା ଦେଇ ନିଜେ ଯଥେଷ୍ଟ ସ୍ୱାର୍ଥ ହାସଲ କରିବା ଲକ୍ଷ ରଖି ଆରମ୍ଭ ହେଲା ଜଗତୀକରଣ ! ସେହି ସମୟରେ ବିଶ୍ୱବ୍ୟାପୀ ସବୁ ଦେଶର ସାଧାରଣ ଲୋକଙ୍କ ସହିତ ସ୍ୱେଚ୍ଛାସେବୀ, ସାମାଜିକ କର୍ମୀ ତଥା ବୁଦ୍ଧିଜୀବୀ, ନିରୀହ ଲୋକଙ୍କ ଜୀବନ ଜୀବିକା ଉପରେ ବ୍ୟାପକ ପ୍ରଭାବ ତଥା ସେମାନଙ୍କୁ କ୍ରୀତଦାସ ହୋଇଯିବା ଅନ୍ଦାଜ଼ କରି ବହୁ ବିରୁଦ୍ଧାଭାସ ପ୍ରକଟ କରିଥିଲେହେଁ କୌଣସି ଫଳପ୍ରଦ ହେଲାନାହିଁ । କାରଣ କିଛି କ୍ଷମତାଧାରୀ ମଣିଷଙ୍କ ଭାବଧାରାକୁ ଯଥେଷ୍ଟ ପ୍ରଭାବିତ କରି ବିଶ୍ୱବ୍ୟାପୀ ନିଜର ବ୍ୟବସାୟକୁ ତ୍ୱରାନ୍ୱିତ କରାଯିବା ଲକ୍ଷରଖି ଯାହା ସମ୍ଭବ ବ୍ୟପାରୀ ମାନେ କରି ଚାଲିଲେ । ତେଣୁ ସାଧାରଣ ଲୋକଙ୍କ ତାହା ପରବର୍ତ୍ତୀ ବର୍ତ୍ତମାନର ୨୦ ବର୍ଷ ମଧ୍ୟରେ କ’ଣଯେ ହୋଇଛି ସମୀକ୍ଷା କରିବା ପାଇଁ ବର୍ତ୍ତମାନ ଆଉ ବେଳ ନାହିଁ କାହାର । କାରଣ ସମସ୍ତେ ଆଜି ନିଶାରେ ! ଆଉ ସମସ୍ତଙ୍କୁ ନିଶାଗ୍ରସ୍ତ ଅବସ୍ଥାରେ ରଖିଥିବା ଆଉ କେହି ନୁହେଁ କେବଳ ସେହି ବ୍ୟବସାୟୀ ମାନେ ! କିନ୍ତୁ ସାଧାରଣ ଲୋକେ ଜାଣିନାହାଁନ୍ତି କେମିତି ସେମାନେ ଦିନରାତି ଜୁଡୁବୁଡୁ ହେଉଛନ୍ତି ନିଶାରେ ନିଜକୁ ଜାଳି ଜାଳି ସେମାନଙ୍କୁ ପୋଷିବା ପାଇଁ ! ପ୍ରଥମେ ନିଶାଦ୍ରବ୍ୟର ବ୍ୟାପକ ପ୍ରଚଳନ କରାଯାଇ ନିଶାଶକ୍ତଙ୍କ ଠାରୁ ଯଥେଷ୍ଟ ଆର୍ଥିକ ଲାଭ ଉଠାଯିବା ପ୍ରୟାସ କରାଗଲା । ବର୍ତ୍ତମାନ ସମୟରେ ଅନ୍ୟୁନ ୭୫ ଶତକଡାରୁ ଅଧିକ ସାଧାରଣ ମଣିଷ ନିଶା ଦ୍ରବ୍ୟ ଗୁଡିଏ ବ୍ୟବହାର କରି ବ୍ୟପାରୀଙ୍କୁ ପୋଷିବାରେ ଲାଗିଛନ୍ତି, ସମସ୍ତେ ଜାଣନ୍ତି । କିନ୍ତୁ ତାହା ପରବର୍ତ୍ତୀ ସମୟରେ ପୁଣି ଆହୁରି ଅଧିକରୁ ଅଧିକ ସ୍ୱାର୍ଥ ହାସଲ ହେବ କେମିତି ? ପୁଣି ୧୦୦ ଶତକଡା ମଣିଷଙ୍କୁ ଉଲ୍ଲୂ ବନେଇ ସମସ୍ତଙ୍କ ଠାରୁ ଯଥେଷ୍ଟ ଆର୍ଥିକ ଲାଭ କରାଯିବ କେମିତି ? ସାଧାରଣ ଲୋକଙ୍କ ଠାରେ ଯଥେଷ୍ଟ ଅର୍ଥ ଆଦାୟ ହେଲେ ସେମାନେ କେବଳ ନିଶା ନୁହେଁ ବରଂ ବିଭିନ୍ନ ଉପାୟରେ ବ୍ୟାପାରୀଙ୍କୁ ପୋଷିବା ଲକ୍ଷ ରଖି ସମସ୍ତଙ୍କ ପାଇଁ ଯଥେଷ୍ଟ ରୋଜଗାର କରିବା ଉପାୟ ଗୁଡିଏ ସମାଜରେ ପ୍ରଚଳନ କଲେ । ଯାହା ଫଳରେ ଆଜି ସମୟରେ ପ୍ରାୟତଃ ସମସ୍ତଙ୍କ ରୋଜଗାର ଯଥେଷ୍ଟ ବଢ଼ି ଯାଇଥିବା ସମସ୍ତେ ଜାଣନ୍ତି । ହେଲେ ସବୁଠାରୁ ବଡ ବାସ୍ତବ କଥା ହେଲା ଜଣେ ଲୋକ ଯେତେ ଅଧିକରୁ ଅଧିକ ରୋଜଗାର କଲେମଧ୍ୟ ନିଜପାଇଁ ଯେତିକି ଆବଶ୍ୟକ ହୋଇଥାଏ ତାହାଠାରୁ ବଳକା ଅର୍ଥ ବିଭିନ୍ନ ମାଧ୍ୟମରେ ବ୍ୟପାରୀଙ୍କ କରାୟତ ହୋଇ ସେମାନଙ୍କ ପୁଞ୍ଜି ବୃଦ୍ଧି କରିବାରେ ବ୍ୟବହୃତ ହୋଇଥାଏ ଯାହା ସାଧାରଣ ଲୋକେ ବୁଝିପାରନ୍ତି ନାହିଁ ! ତେଣୁ ଅଧିକରୁ ଅଧିକ ଅର୍ଥ ଆଦାୟ କରି ନିଜକୁ ଆଗ ଧାଡ଼ିରେ ପ୍ରକାଶ କରିବା ଦୌଡ଼ର ଯେଉଁ ନିଶା ଆଜି ସମଗ୍ର ମଣିଷ ସମାଜକୁ ଘାରିଛି ତାହାର ଅନ୍ତ ନହେଲେ ଆସନ୍ତା ଭବିଷ୍ୟତରେ ଏହି ନିର୍ବୋଧ ସାଧାରଣ ମଣିଷ ଗୁଡିକ କୌଣସି ଗୋଟିଏ ସମୟରେ ସେହି ବ୍ୟପାରୀଙ୍କ ପାଦତଳେ କ୍ରୀତଦାସ ଭଳି କାର୍ଯ୍ୟ କରିବାକୁ ପଡିବ ଏକଥା କାହାକୁ ଅନ୍ଦାଜ ମଧ୍ୟ ହେଉନାହିଁ । ଆମ କଥାରେ ସହମତି ପ୍ରକାଶ କରିବା ମଧ୍ୟ କୁଣ୍ଠା ବୋଧ ହେବ, କାରଣ ସାଧାରଣ ଲୋକେ ସେମାନଙ୍କ ସେହି ଷଢ଼ଯାନ୍ତ୍ରିକ ବ୍ୟବସାୟକୁ ବୁଝିବା ଏତେ ସହଜ ନୁହେଁ ! ଗୋଟିଏ ଉଦାହରଣ ଦିଆଯାଇପାରେ ଯେ….. ଗାଁରେ ଆଉ ଶଗଡ଼ ନାହିଁ କି ବଳଦ ନାହିଁ । ଲୋକେ ଜମିରେ ଯେତିକି ପରିଶ୍ରମ କରୁଥିଲେ ଆଉ କରୁ ନାହାଁନ୍ତି ! ସବ ୁକଥାରେ ଯନ୍ତ୍ର ବ୍ୟବହାର ହେଲା । ବିହନ ପ୍ରତିବର୍ଷ ବ୍ୟାପାରୀଙ୍କ ଠାରୁ କିଣିବାକୁ ପଡିଲା । ଛୁଞ୍ଚି ଭଳି ବସ୍ତୁ ଠାରୁ ଆରମ୍ଭ କରି ଯେତେବଡ଼ ଜିନିଷ ହେଉ, କୃଷି ପାଇଁ ସବୁ ସେଇମାନେ ହିଁ ଯୋଗାଇବେ । ପରିଶ୍ରମ ଆମର, ଲାଭ ତାଙ୍କର । ଇତ୍ୟଦି ଇତ୍ୟାଦି ଅନେକ କଥା କେବଳ କୃଷି କ୍ଷେତ୍ର କାହିଁକି ବରଂ ସମସ୍ତ କ୍ଷେତ୍ରରେ ସେମାନଙ୍କ ଉପରେ ନିର୍ଭର ନକଲେ ଆଜି ସମୟରେ ମଣିଷ ଆଉ ବଂଚି ପାରିବ ନାହିଁ । ତେଣୁ ସବୁ କ୍ଷେତ୍ରରେ ସମସ୍ତଙ୍କ ରୋଜଗାର ବଢ଼ାଇ ପରୋକ୍ଷରେ ସେହି ବର୍ଦ୍ଧିତ ଅର୍ଥକୁ ସଂଚୟ, ବୀମା ଭଳି ଅନେକ ମାଧ୍ୟମରେ ହାସଲ କରିବା ଲକ୍ଷ ବ୍ୟପାରୀଙ୍କର ସମ୍ପୂର୍ଣ୍ଣଭାବେ ସଫଳ ହୋଇପାରିଛି କାରଣ ସେମାନେ ଆଜି ସମସ୍ତଙ୍କୁ ଗୋଟିଏ ନିଶାରେ ନିଶାସକ୍ତ କରି ରଖିଛନ୍ତି । କିନ୍ତୁ ଏହି ନିଶାରୁ ମୁକୁଳି ସାଧାରଣ ମଣିଷ ପୁନଃ ପ୍ରାକୃତିକ ଅବସ୍ଥାକୁ ଫେରିବା କ\’ଣ ସମ୍ଭବ ? ସମୟ କହିବ ଭବିଷ୍ୟତ କ’ଣ ?!!

ପଙ୍କଜ କୁମାର ପାଣିଗ୍ରାହୀ,
ସୋସିଆଲ ଫୋରମ,
ଛତ୍ରପୁର, ଗଂଜାମ.