ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପକ୍ଷରୁ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟାଳୟକୁ ଠିକ୍ ସମୟରେ ଆସିବା ଓ ପରିଚୟପତ୍ର ରଖିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହାସହ ଛତ୍ରପୁର, ଭଞ୍ଜନଗର ଓ ବ୍ରହ୍ମପୁର ଉପଜିଲାପାଳ, ଜିଲାର ସମସ୍ତ ବିଡିଓ, ତହସିଲଦାର ଓ ସିଡିପିଓ ଏବଂ ଜିଲାସ୍ତରୀୟ ଅଫିସର, ଡେପୁଟି କଲେକ୍ଟର ଓ ଆସିଷ୍ଟାଣ୍ଟ କଲେକ୍ଟରମାନଙ୍କ ନିକଟକୁ ଏହି ନିର୍ଦ୍ଦେଶନାମା ପଠାଇ ଦିଆଯାଇଛି । ନିଜ ନିଜ କାର୍ଯ୍ୟାଳୟରେ ଏହାକୁ କଡାକଡି ପାଳନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମାସର ଚତୁର୍ଥ ଶନିବାର ଛୁଟି ରହିବା ସହ କାର୍ଯ୍ୟାଳୟ ଖୋଲିବା ଓ ବନ୍ଦ ସମୟରେ ପରିବର୍ତ୍ତନ କରାଯାଇଥିବା ନେଇ ଜୁନ୍ ୨୨ରେ ଏକ ନିର୍ଦ୍ଦେଶନାମା ଜାରି ହୋଇଥିଲା ବର୍ତ୍ତମାନ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ୩୦ ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟ ଚାଲୁଛି । ଅପରାହ୍ନ ୧ଟା ୩୦ ମିନିଟରୁ ୨ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ବିରତି ହେଉଛି । ଏହି ନିର୍ଦ୍ଦେଶ ଲାଗୁ ସହ ଆଉ କେତେକ ନିର୍ଦ୍ଦେଶ ଜିଲାପାଳଙ୍କ ପକ୍ଷରୁ ଜାରି ହୋଇଛି । କାର୍ଯ୍ୟାଳୟର ମୁଖ୍ୟଙ୍କ ବିନା ଅନୁମତିରେ କୌଣସି ଷ୍ଟାଫ୍ ନିଜ ଟେବୁଲ୍ ଛାଡି ପାରିବେନାହିଁ । କାର୍ଯ୍ୟାଳୟକୁ ଆସିବା ଓ ଫେରିବା ସମୟରେ ବାୟୋମେଟ୍ରିକ୍ ବ୍ୟବହାର କରିବା ବାଧ୍ୟତାମୂଳକ ବୋଲି ଜିଲାପାଳଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । ସେହିପରି ପ୍ରତି ୧୫ ଦିନରେ ଥରେ କର୍ମଚାରୀଙ୍କ ବାୟୋମେଟ୍ରିକ୍ ଉପସ୍ଥାନର ରିପୋର୍ଟ ସମସ୍ତ କାର୍ଯ୍ୟାଳୟର ଅଧିକାରୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ କୁହାଯାଇଛି । ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ଷ୍ଟାଫ୍ ମାନଙ୍କ ଜବ୍ ଚାର୍ଟ କାନ୍ଥରେ ପ୍ରଦର୍ଶନ କରାଯିବ ଏହା ଦ୍ୱାରା ଜନସାଧାରଣଙ୍କୁ ସୁବିଧା ହେବ ବୋଲି କୁହାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା