ସମସ୍ୟାର ସମାଧାନ କରିବାକୁ ଗ୍ରାମବାସୀଙ୍କ ଦାବି…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଟାଏଁ ଟାଏଁ ଖରା ସାଙ୍ଗକୁ ବଢୁଛି ଜଳ କଷ୍ଟ, ବଳି ପଡୁଛି ଲୋକଙ୍କ ଜଳ ଯନ୍ତ୍ରଣା । ଟୋପାଏ ପାଣି ପାଇଁ ଚାଲି ଚାଲି ଯାଉଛନ୍ତି ପ୍ରାୟ ୧କିଲୋମିଟର ଦୁରକୁ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଏକ ଗ୍ରାମରେ । ଗଜପତି ଜିଲ୍ଲା କାଶୀନଗର ବ୍ଲକର କେ ସୀତାପୁର ଗ୍ରାମ, ମୁଖ୍ୟ ରାସ୍ତା କଡରେ ଗାଁଟି ଅବସ୍ଥିତ । କାଶୀନଗର ବ୍ଲକରେ ଗ୍ରାମଟି ପଞ୍ଚାୟତର ମୁଖ୍ୟାଳୟ ହୋଇଥିବାରୁ ଏଠାକୁ ସ୍ଥାନୀୟ ଲୋକ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ବିଭିନ୍ନ ସମୟରେ ଆସନ୍ତି କିନ୍ତୁ ଗ୍ରାମବାସୀଙ୍କ ପ୍ରକୃତ ସମସ୍ୟା ବୁଝିବାକୁ କେହି ନାହିଁନ୍ତି ବୋଲି ଏହି ଦୃଶ୍ୟରେ ଜଣାପଡୁଛି । ଏଠାରେ ପିଇବା ପାଣିର ଉତ୍ସ ରୂପେ ଗୋଟିଏ ମାତ୍ର ନଳକୂପ ରହିଛି । ଜନ ବସତି ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ପ୍ରତିଦିନ ସକାଳେ ସନ୍ଧ୍ୟାରେ ପାଣି ନେବା ପାଇଁ ଏଠି ଗହଳି ଲାଗେ । ଉଭୟ ପୁରୁଷ ଓ ନାରୀ ଜମା ହୁଅନ୍ତି । କିଏ ମାଠିଆରେ ଭର୍ତି କରି ମୁଣ୍ଡରେ ବୋହି ନିଏ ତ କିଏ ଭାରରେ ପାଣି ଭର୍ତି କରେ ଘରକୁ ନିଅନ୍ତି । ବେଳେ ବେଳେ ଆଗ ପଛ ହୋଇ ପାଣି ପାଇଁ ଆସିଥିବା ଲୋକଙ୍କ ଭିତରେ ଛୋଟ ଛୋଟ ଝଗଡା ବି ହୁଏ । ଗ୍ରାମବାସୀ ମାନେ କହିବା ଅନୁଯାଇ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏଁ ସବୁ ସ୍ତରର ଅଧିକାରୀମାନଙ୍କୁ ପାଣି ସମସ୍ୟା ସମ୍ପର୍କରେ ଅବଗତ କରାଯାଇଥିଲେ ବି କେହି ଧ୍ୟାନ ଦେଉନାହାନ୍ତି ବୋଲି ଅଭିଯୋଗ ହୋଇଛି । ଏହାସହ ଏଠାରେ ସ୍ଥାନୀୟ ଲୋକପ୍ରତିନିଧି ମାନେ ବି ନିରବ ରହିଥିବା ବେଳେ କେବଳ ଭୋଟ ବେଳେ ହିଁ ସେମାନଙ୍କର ଦେଖା ମିଳେ, ସେମାନଙ୍କୁ ଦେଖିବା ବା ସମସ୍ୟା ଜଣାଇବା କାଠିକର ପାଠ ହୋଇ ପଡେ ବୋଲି ଗ୍ରାମବାସୀ ମାନେ କହିଛନ୍ତି । ପ୍ରଶାସନ ଦାଇତ୍ୱହୀନ ଓ ଲୋକପ୍ରତିନିଧିମାନେ ଲୋକ ପ୍ରତିନିଧି ନୁହନ୍ତି, ଭୋକ ପ୍ରତିନିଧି ବୋଲି ବୁଦ୍ଧିଜୀବୀ ମାନେ ମହଲରେ ମତ ପ୍ରକାଶ ପାଇଛି । କ୍ଷମତାକୁ ଜାବୁଡି ଧରିବା, ସମ୍ପତି ବଢାଇବା ଭୋକରେ ଲୋକପ୍ରତିନିଧି ମାନେ ଆଉଟୁ ପାଉଟୁ ହେଉଥିବା ବେଳେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସେମାନଙ୍କ ବେଳ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ । ତେଣୁ ପ୍ରଶାସନ ଯଥାଶୀଘ୍ର ଏହାର ତଦନ୍ତ କରାଯାଇ ସମସ୍ୟାର ସମାଧାନ କରାଯାଉ ବୋଲି ସାଧାରଣରେ ଦାବି ହୋଇଛି ।