

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜଗତଜନନୀ ମା’ ଦୁର୍ଗାଙ୍କର ଦଶହରା ପୂଜା ଶେଷ ହେବାପରେ ଭସାଣି କାର୍ଯ୍ୟକ୍ରମ ମଧ୍ୟ ସମାପ୍ତ ହୋଇଯାଇଛି । ସୂଚନା ଅନୁଯାୟୀ ଜଳାଶୟରେ ମା’ଙ୍କ ମୂର୍ତ୍ତୀକୁ ବିସର୍ଜନ କରିବା ପାଇଁ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ଗତକାଲି ସକାଳୁ ଆରମ୍ଭ ହୋଇଯାଇଥିଲା ଭସାଣି ପ୍ରକ୍ରିୟା । ଏହି ଅବସରରେ ବ୍ରହ୍ମପୁରର ବିଜୁପୂର ମେଢ, ଦଳୁଆ ସାହି, କମାପଲି ଛକ, କୋର୍ଟପେଟା ଛକରେ ଵିସର୍ଜନକୁ ନେଇ ଦେଖିବାକୁ ମିଳିଥିଲା ଏକ ଭିନ୍ନ ଦୃଶ୍ୟ । କାରାଦଣ୍ଡ ଭୋଗୁଥିବା ଅନ୍ତେବାସୀମାନେ ଢୋଲ, ମୃଦଙ୍ଗ, ଘଣ୍ଟ ବଜାଇ ମା’ଙ୍କୁ ବିଦାୟ ଜଣାଇଥିଲେ । କାରାପାଳ ପରିସରରେ ଓ ବାହାରେ ସ୍ଥାପନ କରାଯାଇଥିବା ମା’ଙ୍କ ମୂର୍ତ୍ତିକୁ ବିରାଟ ପଟୁଆରରେ ଜେଲ ବଗାନ ପରିସରରେ ଥିବା ଜଳାଶୟକୁ ନିଆଯାଇଥିଲା । ଏହାପରେ ସେଠାରେ ମା’ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା ଏବଂ ଅନ୍ତେବାସୀଙ୍କ ସହାୟତାରେ ମା’ଙ୍କ ମୂର୍ତ୍ତିକୁ ବିସର୍ଜନ କରାଯାଇଥିଲା । ସେହିପରି ଛତ୍ରପୁର ବ୍ଳକ ଓ ଏନଏସି ର ବିଭିନ୍ନ ମୂର୍ତ୍ତି ବିସର୍ଜନ କରାଯାଇଥିଲା । ଏହାସହ ସହରର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥିବା ମେଢ଼ଗୁଡିକର ଭସାଣି ଉତ୍ସବ ହୋଇଥିଲା । ସେପଟେ ଜଳ ପ୍ରଦୂଷଣକୁ ରୋକିବା ପାଇଁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରର ଫାଷ୍ଟେଗେଟ, ଆମ୍ବପୁଆ, ଗୋଶାଣୀନୂଆଗାଁ, ଆମ୍ବ ବଜାରଠାରେ ଅସ୍ଥାୟୀ ଜଳାଶ୍ରୟ ନିର୍ମାଣ କରାଯାଇଥିଲା । ଏହାପରେ ସେଠାରେ ବିସର୍ଜନ ପାଇଁ ସମସ୍ତ ପୂଜା କମିଟିକୁ ଅନୁରୋଧ କରାଯାଇଥିଲା । ଶାନ୍ତି ଶୃଙ୍ଖଳାର ସହ ବିସର୍ଜନ କାର୍ଯ୍ୟକ୍ରମ ସମାପ୍ତ କରିବା ପାଇଁ ତିନି ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା ଏହାସହ ବଛା ବଛା ଅଫିସର ମାନେ ଉପସ୍ଥିତ ରହିଥିଲେ ବୋଲି ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ନାହକ ସୂଚନା ଦେଇଛନ୍ତି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା





