

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହର ଉପଖଣ୍ଡ ପୁରୁଣା ବସଷ୍ଟାଣ୍ଡ ନିକଟସ୍ତ ବର୍ତ୍ତମାନର ଅଟୋ ଷ୍ଟାଣ୍ଡ ନିକଟରେ ଏକ ମସ୍ତ ବଡ ଗଞ୍ଜେଇ ଗଛ ରହିଥିଲା । ଜାଣତରେ କି ଅଜାଣତରେ ହେଉ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ବିଧାୟକ ପାଣ୍ଠି ଅନୁଦାନରେ ଏହି ଗଛକୁ ଲୁହାଜାଲି ତଥା ବ୍ୟାରିକେଟ ଦ୍ୱାରା ଆବଦ୍ଧ କରି ଯତ୍ନ ନେଉଥିଲେ । ଗଛକୁ ସୁରକ୍ଷିତ ରଖିବା ପାଇଁ ବିଡିଏର ଏକ ଟିଣ ବୋର୍ଡ ମଧ୍ୟ ଲଗାଯାଇଥିଲା । ୨୦୧୮ ମସିହାରୁ ଏହି ଟିଣ ବୋର୍ଡ ଲାଗିଥିଲେ ସୁଦ୍ଧା ତାହା ଏକ ଗଞ୍ଜେଇ ଗଛ ବୋଲି କାହାର ନଜରକୁ ଆସିନଥିଲା । ଆମ ନଜରକୁ ଆସିବା ପରେ ଗଞ୍ଜେଇ ଗଛକୁ କିପରି ଲୁହା ଜାଲି ବାଡ଼ ଦେଇ ସୁରକ୍ଷିତ ରଖାଯାଇଛି ଓ ବିଧାୟକ ପାଣ୍ଠିରୁ ଅନୁଦାନ ଦିଆଯାଇ ବିଡିଏ କିପରି ବୋର୍ଡ ଲଗାଇଛି ତାହା ଆମକୁ ଆଶ୍ଚର୍ଯ୍ୟ କରିଥିଲା । ଫଳରେ ଆମେ ଫୋଟ ନେବା ବେଳେ ଆଶ୍ଚର୍ଯ୍ୟର ସହ ଅନେକ ଲୋକ ଦେଖିବାକୁ ଆସିଥିଲେ । ଗଞ୍ଜେଇ ଗଛକୁ ସରକାର ବେଆଇନ କରିଥିବା ବେଳେ ଏଠାରେ ଗଞ୍ଜେଇ ଗଛ କିପରି ସରକାରୀ ଅନୁଦାନରେ ଲଗାଯାଇଛି ଓ ବ୍ୟାରିକେଟ ଦେଇ କିପରି ତାର ସୁରକ୍ଷା ନିଆଯାଇଛି ଆମେ ତାହା ଲେଖିଥିଲୁ । ସେଠାରେ ଅନେକ ଲୋକ ବି ପ୍ରଶ୍ନ କରିଥିଲେ ଗଞ୍ଜେଇ ଗଛକୁ ବିଧାୟକ ଅନୁଦାନ ଦିଅନ୍ତି କି ? ବିଧାୟକଙ୍କ ଅନୁଦାନରେ ଗଛ ଲଗାଇଲେ ବେଆଇନ ହେବନି କି ? ଏହାକୁ ନେଇ ଆମେ ସୁନ୍ଦର ଭାବରେ ଉପସ୍ଥାପନା କରିଥିଲୁ । ଶୀର୍ଷକରେ ଥିଲା ‘ଗଞ୍ଜେଇ ଗଛକୁ ବିଧାୟକଙ୍କ ପାଣ୍ଠି’ : ଏଣିକି ଗଞ୍ଜେଇ ଗଛ ଲଗାଇଲେ ସରକାର ଦେବେ ଅନୁଦାନ ?!!! ଏହାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସରକାରଙ୍କ ଚେତା ପଶିଥିଲା । ଗତକାଲି ଜିଲ୍ଲା ପ୍ରଶାସନ ତଥା ପୋଲିସ ଓ ଏକ୍ସସାଇଜ ବିଭାଗ ସେଠାରେ ପହଞ୍ଚି ଗଛଟିକୁ କାଟି ଉପାଡି ଦେଇଛନ୍ତି । ଫଳରେ ଆଜି ଗଛ ଶୂନ୍ୟ ଜାଗାଟି ଦେଖି ଲୋକେ ପ୍ରଶ୍ନ କରୁଛନ୍ତି ଗଞ୍ଜେଇ ଗଛଟି ଏଠାରେ ଥିଲା କୁଆଡେ ଗାଏବ ହୋଇଗଲା ? ଜିଲ୍ଲା ପ୍ରଶାସନର ତୁରନ୍ତ ପଦକ୍ଷେପ ପାଇଁ ଆମେ କୃତଜ୍ଞତା ଜଣାଉଛୁ । ହେଲେ ସେହି ଗଞ୍ଜେଇ ଗଛଟିକୁ ଲୁହା ବାଡ଼ ଦେଇ ବ୍ୟାରିକେଟ କରି ଯତ୍ନ ସହକାରେ ବିଡ଼ିଏ ରଖିଥିବା ନେଇ ଏବେ ପ୍ରଶ୍ନ ଉଠିଛି ଯେ ବିଧାୟକଙ୍କ ଅନୁଦାନ ପାଣ୍ଠିରୁ ଏହି ବେଆଇନ ଗଛ ଲଗାଇବା ପାଇଁ ବିଡିଏ କେତେ ଟଙ୍କା ମଞ୍ଜୁର କରିଥିଲା ? ଓ ବର୍ତ୍ତମାନ ଖର୍ଚ୍ଚ ହୋଇଥିବା ସେହି ଅନୁଦାନ ରିକଭରି ହେବ କି ? ଏଥିପାଇଁ ଜିଲ୍ଲା ପ୍ରଶାସନ ରିକଭରି କରିବାକୁ ନିର୍ଦ୍ଦେଶ ଦେବେ କି ? ଏଭଳି ଅନେକ ପ୍ରଶ୍ନ ସାଧାରଣରେ ପଚାରା ଯାଉଥିବା ବେଳେ ଜିଲ୍ଲାପାଳ ଏହା ଉପରେ କି ପଦକ୍ଷେପ ନେବେ ସମସ୍ତେ ଚାହିଁ ବସିଛନ୍ତି । ଅନ୍ୟପକ୍ଷରେ ସମୃଦ୍ଧ ଓଡିଶା ନ୍ୟୁଜ ପ୍ରଭାବରେ ଏହି ପୁରୁଣା ବେଆଇନ ଗଞ୍ଜେଇ ଗଛଟି ହଠାତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗାଏବ ହୋଇଯାଇଥିବାରୁ ଆମେ କୃତଜ୍ଞତା ଜଣାଉଛୁ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
