ସମ୍ପର୍କ; ଏକ ସୂକ୍ଷ୍ମ କାଚଗ୍ଲାସ
କେବେ କେବେ ଦୁଃଖ କେବେ ବିନ୍ଦାସ
ଏକ ସ୍ୱଚ୍ଛ ନିରାଧାର ଫରମାସ
ଏଠି ସମ୍ପର୍କ କୁ ନେଇ ଗଢ଼ାଯାଇ ପାରେ
ଅନେକ ଗଳ୍ପ ଅନେକ କବିତା
କିଛି ରହିଯାଏ ହୋଇ କେବଳ ଶୁନ୍ୟତା
କିଛି ଅଦେଖା ଶିଳାନ୍ୟାସ,
ସମ୍ପର୍କ: ତୋଫା ଜହ୍ନ ଆଲୁଅ
କେବେ କେବେ ଘୋଟି ଯାଏ ତା ଉପରେ
କଳା ବାଦଲ
ଫାଂକରୁ ଅବଶ୍ୟ ନିରେଖି ଦେଖୁଥାଏ
ହେବକି ସାଲିସ ମେଣ୍ଟି ଯିବକି ଅରିମାନ
ଫେରି ଆସିବ କି ପୂର୍ବ ସମ୍ପର୍କ
ଏଇ ଚଟାଣରେ ଗଡି ବୁଲିବ
ଗଢ଼ା ହେବ ସ୍ମୃତି ର ତାଜମହଲ
ପୁଣି ଥରେ ଶଙ୍ଖ ମଲମଲ ମହଲ
ଚଟାଣ ରେ ମୁହଁ ଦେଖିବା,
ପାହାଚ ଚଢିବା
ହେଲେ ବିବେକ କରେ ମନା
ଫଟା ମନ ଯୋଡ଼େନା
ମୁଁ ତ ସ୍ୱଚ୍ଛ କାଚ ଗ୍ଲାସ
ମୋତେ ନେଇ ତୁମେ ପିଇ ପାର
ଦହି କି ଲସି ଥଣ୍ଡା କି ସର୍ବତ
ଏମିତିକି ଵିଦେଶୀ ପାନୀୟ
ସଦା ଦିଶୁଥିବି ଜଳଜଳ
ଖାଲି ସହି ପାରେନା ମୁଁ ଏତେ ଟିକେ ଆଘାତ
ଠଅଣ ଶବ୍ଦରେ
ଭାଙ୍ଗି ଚୁରମାର ହୁଏ,
ହୁଏ ଯେ ହୁଏ ,ଆଉ ଯୋଡ଼େନା
ଯେମିତି ଭଙ୍ଗା କାଚ ର ଟୁକୁଡା
ରହିଯାଏ କାଚ ଟୁକୁଡାଟେ ହୋଇ
ଆଉ ଗ୍ଲାସ ହୋଇ ପାରେନା *
ତପସ୍ୱିନୀ ଦାଶ
ବାରିପଦା