ମନର ଭାବକୁ ପ୍ରକାଶ ନକଲେ ମଧ୍ୟ ଅନୁଭବ ହେବା ଏକ ପ୍ରାକୃତିକ ସଂଯୋଜନା ଯାହା ଉଭୟେ ଅନୁଭବ କରିଥା’ନ୍ତି ମନ ଭିତରେ ଅପ୍ରକାଶ୍ୟରେ । ତେଣୁ ଉଭୟଙ୍କ ମଧ୍ୟରେ ପ୍ରାୟତଃ ମତାନ୍ତର ସହିତ ମନାନ୍ତର ଭାବ ରହିଥାଏ ସବୁବେଳେ ଯାହା ସେମାନଙ୍କ ସମ୍ପର୍କକୁ ଦୁର୍ବଳ କରିଥାଏ । ଏମିତିକି ସ୍ତ୍ରୀ ମାନେ ବିଭିନ୍ନ ଅବୈଜ୍ଞାନିକ ବିଚାରଭାବ ତଥା କଳୁଷିତ ବାତାବରଣ ସହିତ ନିଜକୁ ସଂଯୋଜିତ କରି ନିଜ ସ୍ୱାମୀଙ୍କୁ ମଧ୍ୟ ଅବାଟରେ ପରିଚାଳିତ କରୁଥିବା ଦେଖିବାକୁ ମିଳେ ଯାହା ତାଙ୍କ ସ୍ୱାମୀଙ୍କ ଇଛା ବିରୋଧ ହୋଇଥାଏ ! ତଥାପି ସମୟ ଚକ୍ରରେ ସ୍ୱାମୀ ସେଗୁଡିକୁ ଉପରେ ଗ୍ରହଣ କଲେ ମଧ୍ୟ ଆନ୍ତରିକ ସଦିଛା ନରଖି ଆଭ୍ୟନ୍ତରୀଣ ଘୃଣା ହେତୁ ସମ୍ପର୍କ ଦୁର୍ବଳ ହେଉଥିବା ବିଷୟ ମଧ୍ୟ କିଛି କମ୍ ଦେଖିବାକୁ ମିଳୁନାହିଁ ସମାଜରେ । ଜୀବନର ଅନେକ କ୍ଷଣରେ ପ୍ରତ୍ୟେକ ସମୟରେ ବାଦାନୁବାଦ ଜନିତ ମାନସିକ ଘୃଣାଭାବ ସୃଷ୍ଟି ହୋଇ ସ୍ୱାମୀ-ସ୍ତ୍ରୀ ସମ୍ପର୍କକୁ ଦୁର୍ବଳ କରିଥାଏ ଯାହା ସାଧାରଣରେ ଅନୁଭୂତ ହେଉନଥିଲେ ମଧ୍ୟ ଅଲୌକିକ ଭାବେ ସେମାନଙ୍କ ମଧ୍ୟରେ ସମ୍ପର୍କକୁ ଯଥେଷ୍ଟ ଦୁର୍ବଳ କରିଥାଏ ଯାହା ଅନ୍ୟ କୌଣସି ସମ୍ପର୍କରେ ଘଟିନଥାଏ କେବଳ ସମ୍ପର୍କର ଦୂରତା ହେତୁ । କେତେକ ସମୟରେ ସେହି ସମ୍ପର୍କର କଠୋରଭାବ ଏମିତି ଭୀଷଣ ରୂପ ନେଇଥାଏ ଯେ ସେମାନେ ଜଣେ ଅନ୍ୟଠାରୁ ଦୁରେଇ ରହିବା ନିଷ୍ପତ୍ତି ନେଇଥା’ନ୍ତି ଯାହା ଆଜି ସମୟରେ ପ୍ରାୟତଃ ଅନେକଙ୍କ ପରିବାରରେ ଦେଖିବାକୁ ମିଳୁଛି । ବିବାହର କିଛିଦିନ ମଧ୍ୟରେ ଅନେକ ଅଘଟଣ ଦେଖିବାକୁ ମିଳୁଛି ଅନେକ ପରିବାରରେ । କି’ନ୍ତୁ କେତେକ ସଂସ୍କାର ପ୍ରାଧାନ୍ୟ ପରିବାର ମଧ୍ୟରେ ଏହିଭଳି ଅସାମାଜିକ / ଅମାନୁଷିକ ଘଟଣା ନଘଟିଲେ ମଧ୍ୟ ଭିତରେ କୁହୁଳୁଥିବା ଅନୁଭବ ରହିଥାଏ ସେମାନଙ୍କ ମନରେ । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଶାରୀରିକ ସଂଯୋଜିତ ମାନସିକ ଆସକ୍ତ ଭାବ ଜଡିତ ସମ୍ପର୍କ ସ୍ଥାପନ ହେବା ଏବଂ ତତ୍ପରବର୍ତ୍ତୀ ସମ୍ପର୍କରେ ଯଥେଷ୍ଟ ଦୁର୍ବଳତା ସୃଷ୍ଟି ହେବା ପଛର ରହସ୍ୟ ଗୁଡିକ ମଧ୍ୟରେ କେତେକ ଉଦାହରଣ ହେଉଛି:- ଦୁଇଟି ଭିନ୍ନ ଜାତିର (ଏଠାରେ ଜାତି ଅର୍ଥ ପ୍ରାକୃତିକ ଜାତି, ମନୁଷ୍ୟକୃତ ପ୍ରଥାଗତ ଜାତି ନୁହେଁ) ମଣିଷଙ୍କ ମଧ୍ୟରେ ଆକସ୍ମିକ ଭାବେ ଗୋଟିଏ ଦିନରେ ସମ୍ପୂର୍ଣ୍ଣ ଉନ୍ମୁକ୍ତ ଏକ କଠୋର ବନ୍ଧନ ସୃଷ୍ଟି ହେବା । ଦୁଇଟି ଭିନ୍ନ ଜିନ୍ଗତ ଗୁଣ, ଧର୍ମ, ବିଚାର, ଚାରିତ୍ର ସଂଯୋଜିତ ମଣିଷଙ୍କ ସର୍ବଦିଗ ଆଚରଣରେ ସମାନ ମେଳ ନରହିବା । ଅତ୍ୟନ୍ତ ନିକଟରୁ ସମ୍ପୂର୍ଣ୍ଣ ଉନ୍ମୁକ୍ତ ଭାବେ ଉଭୟଙ୍କ ମଧ୍ୟରେ ସବୁ ପ୍ରକାର ବାର୍ତ୍ତାଳାପର ଖୋଲା ଆଦାନ ପ୍ରଦାନ ହେବା । ଏକ ଆକସ୍ମିକ ମିଳନ ପରେ ଜଣେ ଅନ୍ୟଜଣଙ୍କ ପ୍ରତି ଅତ୍ୟନ୍ତ ଆକୃଷ୍ଠତା ଭାବ ରଖି ସମାଜର ଅନ୍ୟାନ୍ୟ ସମ୍ପର୍କ ଗୁଡିକୁ କ୍ଷୀଣ କରିବା । ମହିଳାଙ୍କ ସାମାଜିକ ଦୁର୍ବଳତା କାରଣରୁ ସହାନୁଭୂତି, ସୁରକ୍ଷା ଜନିତ ବିଭିନ୍ନ ଷଡ଼ଯାନ୍ତ୍ରିକ ସ୍ୱାର୍ଥ ମନୋଭାବ ରଖି ପୁରୁଷଙ୍କୁ ପରିଚାଳିତ କରିବା ପରିପନ୍ଥୀ ହେବା । ସାମାଜିକ, ପାରିବାରିକ ସମାନତାର ତାଳମେଳ ନରହିଲେ ଉଭୟଙ୍କ ମନୋଭାବରେ ବିଷମତା ଦେଖାଯିବା । ପରିବାର ତଥା ଅନ୍ୟାନ୍ୟ ସମ୍ପର୍କିତ ମଣିଷଙ୍କ ସ୍ୱାର୍ଥ କାରଣରୁ ବିଭିନ୍ନ ଷଡ଼ଯାନ୍ତ୍ରିକ ପ୍ରରୋଚନାରେ ପଡି ନିଜସ୍ୱ ବିଚାରଧାରାକୁ କଳୁଷିତ କରିବା । କୌଣସି ଏକ ଶାନ୍ତିପୂର୍ଣ୍ଣ ପରିବାର ପ୍ରତି ଅସହ୍ୟ ଭାବ ରଖି ବିଭିନ୍ନ ବନ୍ଧୁ ପରିଜନ ତଥା ଅନ୍ୟାନ୍ୟ ସମ୍ପର୍କ ମାନଙ୍କ ସେହି ପରିବାର ତଥା ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଳୁଷିତ ପ୍ରେରଣା ପ୍ରଦାନ କରିବା । ଉଭୟ ପକ୍ଷର ପୈତୃକ ସମ୍ପତ୍ତି ପ୍ରତି ଆକୃଷ୍ଠ ଭାବ ରଖି ଅପ୍ରାପ୍ତି ହେତୁ ଭୀଷଣ ମନାନ୍ତର ଭାବ ସୃଷ୍ଟି ହେବା । ଉଭୟଙ୍କ ପରିବାର ମଧ୍ୟରେ ସାମାଜିକ ପ୍ରାଧାନ୍ୟତା ଉପରେ ଆଧାରିତ ବିଚାର ଭାବ ରଖି ଉଭୟଙ୍କ ମଧ୍ୟରେ ଛୋଟ, ବଡ଼ର ତଉଲ କରୁଥିବା । ଉପସ୍ଥିତ ସମୟର ରୋଜଗାର ମଧ୍ୟରେ ନିଜକୁ ସନ୍ତୁଳନ ରକ୍ଷା ନକରି ଉଚ୍ଚାଭିଳାଷ କରିବା । କୌଣସି ସମୀକ୍ଷା ବିହୀନ ସାମାଜିକ ମାନ୍ୟତା ରହିତ ପ୍ରେମ ବିବାହ କରିବା । ସର୍ବାଦୌ ସର୍ବଦିଗ ବିଚାର ନକରି ଆକସ୍ମିକ ଭାବେ ସମ୍ପର୍କ ସ୍ଥାପନ କରି ପରବର୍ତ୍ତୀ ସମୟରେ ବିଭିନ୍ନ ବିଷୟର ସମୀକ୍ଷା କରି ଘୃଣାଭାବ ସୃଷ୍ଟି ହେବା ଭଳି ଆହୁରି ଅନେକ ବିଷୟ ସ୍ୱାମୀ-ସ୍ତ୍ରୀ ଆନ୍ତରିକ ସମ୍ପର୍କରେ ଦୁର୍ବଳତା ସୃଷ୍ଟି କରିଥାଏ ଯାହା ଅଳ୍ପ ବହୁତେ ସମସ୍ତଙ୍କର ନିଜସ୍ୱ ଅନୁଭୂତି ରହିଥିବ । ତଥାପି ବାହ୍ୟାରେ ସବୁଠାରୁ ଶକ୍ତ ଭାବେ ପ୍ରଦର୍ଶିତ ସେହି ସମ୍ପର୍କର ସଜ୍ଞା ବୁଝିବା ସାଧାରଣ ନିର୍ବୋଧଙ୍କ କ୍ଷମତା ବହିର୍ଭୁତ ରହି ଚାଲିଥାଏ ଆମ ସମାଜ । ଯେଉଁସବୁ ସମ୍ପର୍କ ଗୁଡିକ ବିଷୟରେ ଉପରେ ଆଲୋଚନା କରାଗଲା ସେଗୁଡିକ କେବଳ ସାଧାରଣ ଲୋକଙ୍କ ବ୍ୟକ୍ତିଗତ ସମ୍ପର୍କ ବ୍ୟତୀତ ଆହୁରି ଅନେକ ପ୍ରକାର ସାମାଜିକ ସମ୍ପର୍କ ଦେଖିବାକୁ ମିଳେ ସମାଜରେ ଯାହା ସବୁ ସମୀକ୍ଷା କଲେ ଏକ ବିସ୍ତୃତ ଅଧ୍ୟାୟ ହେବ । କି’ନ୍ତୁ ସାଧାରଣ ଜୀବନ ଯାତ୍ରାର ଏହି କେତେକ ସମ୍ପର୍କ ଗୁଡିକୁ ସମୀକ୍ଷା କରି ଯଦି ଏକ ସନ୍ତୁଳିତ ସମ୍ପର୍କ ସ୍ଥାପନ କରାଯାଏ ନିଜସ୍ୱ କ୍ଷେତ୍ର ମଧ୍ୟରେ ତାହେଲେ ମଣିଷ ଶେଷ ସମୟରେ କିଂଚିତ ସୁଖରେ ରହିବା ସମ୍ଭାବନାକୁ ଅଗ୍ରାହ୍ୟ କରିହେବ ନାହିଁ । କି’ନ୍ତୁ କୌଣସି ଗୋଟିଏ ଦିଗରେ ନିଜକୁ ସମ୍ପୂର୍ଣ୍ଣ ସଂଯୋଜିତ କରି ରଖି ସମାଜର ଅନ୍ୟାନ୍ୟ ସମ୍ପର୍କ ଗୁଡିକୁ ପ୍ରତ୍ୟାଖ୍ୟାନ କରୁଥିବା ମଣିଷର ଶେଷ ଜୀବନ ନିରାନନ୍ଦ ହେବା ଅତ୍ୟନ୍ତ ସମ୍ଭବ ହୋଇପଡେ ଯାହାର ଉପଚାର କେହି କରିପାରିବେ ନାହିଁ, ବରଂ ନିଜକୁ ନିଜେ ମନ ମାନସରେ ଜାଳି ଜାଳି ଶେଷ ନିଶ୍ୱାସ ତ୍ୟାଗ କରିବାକୁ ହିଁ ପଡିବ । ଯେହେତୁ ଆସିଛୁ ଏକା ଯିବୁ ଏକା ହୋଇ, ସାଥିରେ ନଯିବେ କେହି, ତେଣୁ ସାମାଜିକ ସମ୍ପର୍କ ଗୁଡିକୁ ସମାନ୍ତରାଳ କରି ପରିବେଷ୍ଟନୀରେ ଉପସ୍ଥିତ ସମସ୍ତଙ୍କ ପ୍ରତି ଉପଯୁକ୍ତ ଆନ୍ତରିକ ଭାବ ପୋଷଣ କରୁଥିବା ମଣିଷର ଜୀବନ ଆନନ୍ଦମୟ ହେବା ସ୍ୱାଭାବିକ ଯେଉଁଠି ବ୍ୟକ୍ତି କୈନ୍ଦ୍ରିକ ସ୍ୱାର୍ଥ ଭାବ ରଖି ସମ୍ପର୍କ ସ୍ଥାପନ କରୁଥିବା ମଣିଷର ଜୀବନ ନିରାନନ୍ଦ ହୋଇଥାଏ ଜୀବନର ଶେଷ ପର୍ଯ୍ୟାୟରେ ! ବିଭିନ୍ନ ସମ୍ପର୍କ ଗୁଡିକୁ ବୁଝିବା ଏବଂ ସେଗୁଡିକର ଉପଯୁକ୍ତ ଚରିତାର୍ଥ କରିବା ଏତେ ସହଜ ନୁହେଁ ମୋହ, ମାୟା ସଂସାରରେ ! ତଥାପି ଯିଏ ସେସବୁ ବୁଝିବାକୁ ଚେଷ୍ଟା କରିବ କୌଣସି ଅସମ୍ଭବ ବିଷୟ ନୁହେଁ ! ଯାହା ହେଉ ଅଜ୍ଞାନତାର ଚରମ ସୀମାରେ ରହି ମଧ୍ୟ ଯିଏ ସାମାଜିକ ସମ୍ପର୍କ ଗୁଡିକ ସମାନ୍ତରାଳ କରି ନିଜ ଚତୁର୍ପାଶ୍ୱର୍ର ସମସ୍ତ ସଦସ୍ୟଙ୍କ ସହିତ ଉପଯୁକ୍ତ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟିତ ରହିଥା’ନ୍ତି ସେମାନଙ୍କ ଜୀବନ ବଂଚିବା ଶୈଳୀ ଏକ ଭିନ୍ନ ରକମର ହେବା ସହିତ ଜୀବନ ଶେଷରେ ସହାନୁଭୁତିର ଆସର ଯଥେଷ୍ଟ ହୋଇଥାଏ । ତେଣୁ ବିଚାରଶୀଳ ସମ୍ପର୍କ ସ୍ଥାପନ କରି ସମସ୍ତଙ୍କୁ ସଦ୍ଭାବ ପୂର୍ଣ୍ଣ ପ୍ରେମ ବାଣ୍ଟିଲେ ଯେ ଆମ ଜୀବନ ସୁଖ, ଶାନ୍ତ ମୟ ହେବ ସେଇଥିରେ ତିଳେ ହେଲେ ଦ୍ୱୀବିଧା ନାହିଁ । କି’ନ୍ତୁ ସ୍ୱାର୍ଥନ୍ୱେଷୀ ବ୍ୟକ୍ତିକୈନ୍ଦ୍ରିକ ସମ୍ପର୍କ ଅସମୟରେ ଅସହଯୋଗର ବାର୍ତ୍ତା ପ୍ରେରଣ କରିବା କୌଣସି ଆଶ୍ଚର୍ଯ୍ୟାନ୍ୱିତ କଥା ନୁହେଁ………!(ସମାପ୍ତ)
ପଙ୍କଜ କୁମାର ପାଣିଗ୍ରାହୀ ।
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଂଜାମ.
ଦୂରଭାଷ.: ୯୪୩୭୩୨୪୯୧୭.