ମୋହନା (ସମୃଦ୍ଧ ଓଡିଶା) ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ଏବଂ ବଡବଡ ଯୋଜନା କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ କରିବା କାଗଜପତ୍ରରେ ସିମିତ ହୋଈ ରହିଯାଇଥିବା ଦେଖିବାକୁ ମିଳୁଛି । ଗଜପତି ଜିଲ୍ଲା ମୋହନା ବ୍ଲକର ବିଭିନ୍ନ ପଞ୍ଚାୟତର ବିଭିନ୍ନ ସମସ୍ୟା ରହିଥିବା ବେଳେ ଗମନାଗମନର ସୁବିଧାରୁ ଲୋକେ ଏବେ ବି ବଞ୍ଚିତ ହୋଇ ରହିଥିବାର ଦେଖିବାକୁ ମିଳିଛି ଏବଂ ତାହା ପୁଣି ଖୋଦ୍ ମୋହନା ସହରରେ । ଗଜପତି ଜିଲ୍ଲା ମୋହନା ବ୍ଲକର ମୋହନା ସହରକୁ ଲାଗି ରହିଥିବା ବାଢେଇପୁର୍, ଧନୁପଙ୍କ, ଗୁଡ୍ରୀଗୁଡା ଗ୍ରାମ । ଏହି ସମସ୍ତ ଗ୍ରାମ ଗୁଡିକ ମୋହନାକୁ ଲାଗି ରହିଥିବା ହରଭଙ୍ଗି ନଦି ଆରପଟେ ଅବସ୍ଥିତ । ଗ୍ରାମର ଲୋକେ ଓ ଛାତ୍ରଛାତ୍ରୀମାନେ ପ୍ରତ୍ୟେକ ଦିନ ମୋହନା ଗ୍ରାମକୁ ନିତ୍ୟାବଶ୍ୟକିୟ କାମରେ ତହସିଲ୍, ପଞ୍ଚାୟତ, ବ୍ଲକ, ସ୍କୁଲ ଓ ସ୍ୱାସ୍ଥ୍ୟ କେନ୍ଦ୍ର ଆସିଥାନ୍ତି । କିନ୍ତୁ ଜୀବନକୁ ବାଜି ଲଗାଇ ସେମାନଙ୍କୁ ମୋହନା ସ୍ଥିତ ଥିବା ହରଭଙ୍ଗି ନଦୀ ପାର୍ ହୋଇ ପ୍ରତ୍ୟେକ ଦିନ ଆସିବାକୁ ପଡୁଛି । ସେହି ନଦୀ ଉପରେ କଙ୍କ୍ରିଟ୍ ପୋଲ କିମ୍ବା ଝୁଲା ପୋଲ କରିବା ପାଇଁ ତିନୋଟି ଯାକ ଗ୍ରାମବାସି ଲିଖିତ ଆକାରରେ ଜିଲାପାଳ, ସାଂସଦ ଓ ବିଧାୟକଙ୍କୁ ବହୁ ବର୍ଷ ଧରି ଅଭିଯୋଗ କରି ଆସୁଥିଲେ ସୁଦ୍ଧା ପ୍ରଶାସନ ସେମାନଙ୍କ ଦୁଖଃକୁ ଆଜି ପର୍ଯ୍ୟନ୍ତ ଆଡ ଆଖିରେ ଚାହିଁ ନଥିବା ଜଣାପଡିଛି । ଗ୍ରାମବାସୀ ତାଙ୍କ ନିଜ ସମ୍ବଳରୁ ନିଜ ପରିଶ୍ରମରେ ସେହି ନଦୀ ଉପରେ ଛୋଟ ଅସ୍ଥାୟୀ ମାଟି ପୋଲଟି ନିର୍ମାଣ କରିଥିଲେ କିନ୍ତୁ ତାହା ମଧ୍ୟ ନଦୀରେ ଅତ୍ୟଧିକ ପାଣି ଆସିବାରୁ ଭାସି ଯାଇଥିଲା । ଏ ନେଇ ମୋହନା ବ୍ଲକର ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ନିକଟ ଭବିଷ୍ୟତରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ ।
ରିପୋର୍ଟ : ଆଦିତ୍ୟ ପ୍ରସାଦ ପଟ୍ଟନାୟକ