ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଳକ ବୋମକେଇ ଗାଁରେ ରାସନ କାର୍ଡ ଓ ଲେବର କାର୍ଡ ହିତାଧିକାରୀମାନଙ୍କୁ କରୋନା ସମ୍ପର୍କିତ ଆସିଥିବା ଆର୍ଥିକ ସହାୟତା ବଣ୍ଟନ ବେଳେ ସରପଞ୍ଚ ପ୍ରତିନିଧିଙ୍କୁ ହତ୍ୟା ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ପୋଲିସ ୨ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ଦିଗପହଣ୍ଡି ବିଡ଼ିଓଙ୍କ ନିର୍ଦ୍ଦେଶାନୁସାରେ ସରପଞ୍ଚ ପ୍ରତିନିଧି ଭଗବାନ ବାଡତ୍ୟା, ପଞ୍ଚାୟତ ଗ୍ରାମ ରୋଜଗାର ସେବକ, ୱାର୍ଡ ସଭ୍ୟ ପ୍ରମୁଖ ବୋମକେଇ ଗାଁର ହିତାଧିକାରୀମାନଙ୍କୁ କରୋନା ସମ୍ପର୍କିତ ସହାୟତା ପାଇଁ ଅର୍ଥରାଶି ବଣ୍ଟନ କରୁଥିଲେ । ଏହି ସମୟରେ ଶତ୍ରୁଘ୍ନ ପ୍ରଧାନ ତାଙ୍କ ଘର ସମ୍ମୁଖରେ ଭଗବାନଙ୍କୁ ଜବରଦସ୍ତ ଅଟକାଇ ମୋର ରାସନ କାର୍ଡ କାହିଁକି ହୋଇ ନାହିଁ ବୋଲି ଗାଳିଗୁଲଜ କରିଥିଲେ ବୋଲି ଅଭିଯୋଗ ହୋଇଛି । ଭଗବାନ ଏହାର ପ୍ରତିବାଦ କରିବାରୁ ଶତ୍ରୁଘ୍ନ ଓ ତାଙ୍କ ସ୍ତ୍ରୀ ସେଠାକୁ ଆସି ତାଙ୍କୁ ଠେଲାପେଲା କରିଥିଲେ । ପରେ ତାଙ୍କ ନାବାଳକ ପୁଅ ସେଠାକୁ ଆସି ହାତରେ ଧରିଥିବା ଏକ କାତିରେ ଭଗବାନଙ୍କ ବେକକୁ ଆକ୍ରମଣ କରିଥିଲେ । ସେ ଘୁଞ୍ଚି ପଡିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏନେଇ ଭଗବାନ ସ୍ଥାନୀୟ ଥାନାରେ ଏତଲା ଦେବା ପରେ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଛି ବୋଲି ଥାନା ଆଇଆଇସି ମାଧବାନନ୍ଦ ନାୟକ କହିଛନ୍ତି । ଅପରପକ୍ଷେ ଅଭିଯୁକ୍ତଙ୍କ ବାପା ଓ ତାଙ୍କ ନାବାଳକ ପୁଅଙ୍କୁ କେ.ନୂଆଗାଁ ପୋଲିସ ଗିରଫ କରିଛି । ଥାନା ମାମଲା ନଂ.୯୦/୨୦ ଦଫା-୨୯୪/ ୩୦୭/୩୨୩/୩୪୧/୫୦୬/୩୪ ଅନୁଯାୟୀ ଅଭିଯୁକ୍ତ ବାପା ଶତ୍ରୁଘ୍ନ ପ୍ରଧାନଙ୍କୁ ଗୁରୁବାର ଦିଗପହଣ୍ଡି କୋର୍ଟକୁ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍ଜେଲ ହାଜତକୁ ପଠାଇ ଦିଆଯାଇଛି । ସେହିପରି ଅନ୍ୟତମ ଅଭିଯୁକ୍ତ ନାବାଳକଙ୍କୁ ବ୍ରହ୍ମପୁର ସ୍ଥିତ ଜୁଭେନାଇଲ ଜଷ୍ଟିସ ବୋର୍ଡ ନିକଟରେ ହାଜର କରାଯାଇଥିବା ଜଣାପଡ଼ିଛି । ଏଥିସହ ହତ୍ୟା ଉଦ୍ୟମ ମାମଲାରେ ବ୍ୟବହୃତ କାତିକୁ ଜବତ କରାଯାଇଥିବା ନେଇ ତଦନ୍ତକାରୀ ଅଧିକାରୀ ଏସ୍ଆଇ ଜ୍ଞାନରଞ୍ଜନ ସେଠୀ କହିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା