

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗତ ୨୭ ଓ ୨୮ ଦୁଇ ଦିନ ଧରି ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୦ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିନୋଦ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପାରଳା ବିଧାୟକ କେ. ନାରାୟଣ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଭଲ ପାଠପଢି ଉତ୍ତମ ନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଗଜପତି ଏସ୍ ପି ସାରା ଶର୍ମା ନିଜର ଅଭିଭାଷଣରେ ଶିକ୍ଷା ସହ କୌଶଳ ବିକାଶ ଓ ନିଜ ରୁଚି ଅନୁସାରେ ନିଜ କ୍ୟାରିୟର ବାଛି ନେଇ ଭବିଷ୍ୟତ ଗଠନ କରିବା ପାଇଁ ବକ୍ତବ୍ୟ ଦେଇଥିଲେ । ଦିବ୍ୟ ଜୀବନ ସଙ୍ଘର ସଂପାଦକ ପ୍ରସାଦ କୁମାର ନାୟକ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷା ଗ୍ରହଣ କରିବା ପାଇଁ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ । ସଂପାଦକ ରମେଶ ଚନ୍ଦ୍ର ସାହୁକାର ବାର୍ଷିକ ବିବରଣୀ ପଠନ କରିଥିଲେ । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସହ ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଶିଷ୍ଟ ସଂଗୀତ ଗୁରୁ ତଥା ଆକାଶବାଣୀ କଳାକାର ରଘୁନାଥ ପାତ୍ରଙ୍କୁ ଅନୁଷ୍ଠାନ ପକ୍ଷରୁ ସଂଗୀତ କ୍ଷେତ୍ରରେ ତାଙ୍କର ବିଶେଷ ଯୋଗଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିଶୁ ମନ୍ଦିର ଵସେବାରେ ପଚିଶି ବର୍ଷ ପୂର୍ତ୍ତି କରିଥିବା ହେତୁ ରବି ପ୍ରସାଦ ସାହୁକାର, ସରୋଜ କୁମାର ପଣ୍ଡା ଓ ନାରାୟଣ ପଣ୍ଡାଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶେଷରେ ପୁରସ୍କାର ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ଚିତ୍ତାକର୍ଷକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦର୍ଶକଙ୍କ ମନମୋହି ନେଇଥିଲା । ଏଥିରେ ବିଭିନ୍ନ ରାଜ୍ୟର ଲୋକ ନୃତ୍ୟ ଓ ସଡକ ସୁରକ୍ଷାର ସଚେତନତା ମୂଳକ ନାଟକ “ଯମ ଦରବାର” ସମସ୍ତଙ୍କ ମନୋରଞ୍ଜନ କରିଥିଲା । ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା ।
ରିପୋର୍ଟ : କୃଷ୍ଣ କୁମାର ବେହେରା





