
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଜି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ‘ଭାରତ ବନ୍ଦ’ ଡାକରା ଦିଆଯାଇଛି ।ଏଥିରେ କେବଳ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର ବନ୍ଦ ରହିବା ସହ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଖୋଲା ରହିବା ସହିତ ଯାନବାହାନ ଚଳାଚଳ ମଧ୍ୟ ସ୍ୱାଭାବିକ ରହିବ ବୋଲି ଜଣାପଡ଼ିଛି । ଜିଏସ୍ଟି ସରଳୀକରଣ, ଇ-କମର୍ସ ବ୍ୟବସାୟୀଙ୍କ ବିସ୍ତାରବାଦ ନୀତି ଉପରେ ସରକାରୀ ନିୟନ୍ତ୍ରଣ ଓ ଖାଦ୍ୟ ନିରାପତ୍ତାମାନ ଆଇନରେ ଥିବା କଠୋର ଜରିମାନା ବ୍ୟବସ୍ଥା ଉଚ୍ଛେଦ ଦାବିରେ ସର୍ବଭାରତୀୟ ବ୍ୟବସାୟୀ ସଂଘ ଭାରତ ବନ୍ଦ ଡାକରା ଦେଇଛି । ଏହି ବନ୍ଦକୁ ଓଡ଼ିଶା ବ୍ୟବସାୟୀ ମହାସଂଘ ସମର୍ଥନ କରୁଥିବାରୁ ରାଜ୍ୟରେ ଦୋକାନ ବଜାର ବନ୍ଦ ରହିବ । ବ୍ୟବସାୟୀ ମହାସଂଘର ବନ୍ଦ ଡାକରାକୁ ନଜରରେ ରଖି ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ଆଜି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଯେ, ସର୍ବଭାରତୀୟ ବ୍ୟବସାୟୀ ସଂଘ ୨୬ତାରିଖରେ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି । ତେଣୁ ବିକ୍ଷୋଭକାରୀମାନେ ଗାଡ଼ି, ରେଳ ଅଟକାଇବା ସହ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରିପାରନ୍ତି । ଏପରି କି ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ସମ୍ମୁଖରେ ପିକେଟିଂ କରିପାରନ୍ତି । କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ଏଥିପାଇଁ ପ୍ରସ୍ତୁତ ରହିବା ଦରକାର । ଅପରପକ୍ଷେ ବନ୍ଦ ପାଇଁ ରାଜ୍ୟରେ ବସ୍, ଟ୍ରକ୍ ଓ ଅଟୋ ଚଳାଚଳ ପ୍ରଭାବିତ ହେବ ନାହିଁ ବୋଲି ବିଭିନ୍ନ ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି ।