ସର୍ବାଧିକ ପ୍ରଭାବିତ ଗଞ୍ଜାମ, ଗଜପତି,ରାୟଗଡ଼ା ଜିଲ୍ଲାର ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ହେଲିକପ୍ଟର ଯୋଗେ ଉଦ୍ଧାର କାର୍ଯ୍ୟ ଲାଗି ନିର୍ଦ୍ଦେଶ

ଭୁବନେଶ୍ବର : ସାମୁଦ୍ରିକ ଝଡ଼ ତିତଲି ପ୍ରଭାବରେ ଲଗାଣ ବର୍ଷା ହେତୁ ବେହାଲହୋଇଛି ଓଡ଼ିଶା । ବିଶେଷ କରି ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଆଦି ୩ଟି ଜିଲ୍ଲାରେ ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଦ୍ୟୁତ ସରବରାହ ଓ ଗମନାଗମନ ଏହି ଜିଲ୍ଲାରେ ବାଧାପ୍ରାପ୍ତ ହୋଇଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଜିଲ୍ଲାର ପରିସ୍ଥିତିର ସମୀକ୍ଷା କରିଛନ୍ତି। ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାରେ ବହୁଲୋକ ଜଳବନ୍ଦୀ ଥିବାରୁ ଏୟାର ଲିଫ୍ଟର ଆବଶ୍ୟକତା ରହିଛି ବୋଲି ଜିଲ୍ଲାପାଳମାନେ ଜଣାଇଛନ୍ତି । ପ୍ରଭାବିତଙ୍କୁ ଅଞ୍ଚଳରେ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ କୁହାଯାଇଛି । ସେହିଭଳି ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ବିଶାଖାପାଟଣାରୁ ଉଦ୍ଧାର କାର୍ଯ୍ୟ ପାଇଁ ୨ଟି ହେଲିକପ୍ଟର ଆସୁଛି । ଅନ୍ୟପଟେ ଲଗାଣ ବର୍ଷାରେ ପ୍ରଭାବିତ ହୋଇଥିବା ସଂପୃକ୍ତ ଜିଲ୍ଲାଗୁଡ଼ିକର କ୍ଷୟକ୍ଷତିର ଆକଳନ ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ୭ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି ।ଗଞ୍ଜାମ ଜିଲ୍ଲାର ଛତ୍ରପୁର, ପୁରୁଷୋତ୍ତମପୁର ଅଧିକ ଭାବେ ପ୍ରଭାବିତ ହୋଇଛି । ଆସିକା ସହର ମଧ୍ୟ ଜଳବନ୍ଦୀ ହୋଇଛି। ତେଣୁ ହେଲିକପ୍ଟର ସହାୟତା ଲୋଡ଼ିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ସେହିଭଳି ରାୟଗଡ଼ାରେ ଅନେକ ସ୍ଥାନରେ ଗଛ ପଡ଼ି ଯୋଗାଯୋଗ ବିଛିନ୍ନ ହୋଇଛି । ତେଣୁ ତୁରନ୍ତ ଅଧିକ ଉଦ୍ଧାରକାରୀ ଦଳ ପଠାଇବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ବନ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଏବଂ ମାଗଣାରେ ଔଷଧ ଯୋଗାଇଦେବାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

flood

ଅନ୍ୟପକ୍ଷରେ ତିତ୍‌ଲି ପ୍ରଭାବରେ ସାରା ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ବିଷ୍ଣୁପଦ ସେଠୀ ସୂଚନା ଦେଇ କହିଛନ୍ତି,“ଋଷିକୁଲ୍ୟା, ବଡ଼ ନଦୀ ଓ ବାହୁଦା ନଦୀରେ ବନ୍ୟା ଆସିଛି। ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ସ୍ଥିତି ଗମ୍ଭୀର ହୋଇପଡ଼ିଛି। ସୋରଡ଼ା, ଜାନିବିଲି ଓ ଆସିକାରେ ଋଷିକୂଲ୍ୟା  ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆସିକା ଜେଲ୍ ଗେଟ୍ ଭାଙ୍ଗିଯିବାରୁ ୧୯୩ କଏଦୀଙ୍କୁ ସ୍ଥାନାନ୍ତର କରା ଯାଇଛି । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୧୪ଟି ଏନ୍‌ଡିଆର୍‌ଏଫ୍‌ ଏବଂ ୧୨ଟି ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି।” ସେ ଆହୁରି କହିଛନ୍ତି,“ବଡ଼ ବଡ଼ ଗଛ ଉପୁଡ଼ିବାରୁ ଗଜପତି ଜିଲ୍ଲାରେ ଯୋଗାଯୋଗ ବିଛିନ୍ନ ହୋଇଛି। ମହେନ୍ଦ୍ରତନୟା  ଓ ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଉଛି। ରିଲିଫ୍ କ୍ୟାମ୍ପକୁ ଲୋକଙ୍କୁ ସ୍ଥାନାନ୍ତର ଚାଲିଛି। ଜି.ଉଦୟଗିରିରେ ସର୍ବାଧିକ ୩୫୧ ମି.ମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି କଟକ କଣ୍ଟାପଡ଼ାରେ ୩୧୯ ମି.ମି ବର୍ଷା ରେକର୍ଡ଼ ହୋଇଛି।”