ସହରରେ ମଶା ନିବାରଣ ପାଇଁ ଧାରଣାରେ ବସିଲେ ଆଇନଜୀବୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ସରକାରୀ ବାସଗୃହ ସମ୍ମୁଖରେ ଆଇନଜୀବୀଙ୍କ ପକ୍ଷରୁ ଧାରଣା ଦିଆଯାଇଛି । ସୂଚନା ଅନୁଯାୟୀ ସହରରେ ମଶା ବଂଶ ବଢୁଥିବା ବେଳେ ମହାନଗର ନିଗମ କୌଣସି ପଦକ୍ଷେପ ନନେବାରୁ ସହରବାସୀ ମଶା ଦାଉରୁ ଅତିଷ୍ଠ ହୋଇପଡିଛନ୍ତି । ଏହାର ତୁରନ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ଆଇନଜୀବୀ ମନୋଜ ପଟ୍ଟନାୟକ ନିଗମ କମିଶନରଙ୍କୁ ପତ୍ର ଲେଖି ଜଣାଇଥିଲେ । ସହରବାସୀଙ୍କୁ ମଶା ଦାଉରୁ ରକ୍ଷା କରିବା ଦାୟିତ୍ୱ ବ୍ରହ୍ମପୁର ମହାନଗର ନିଗମର କିନ୍ତୁ ବିଏମସି ଅଧିକାରୀଙ୍କ ଅପାରଗତା ଯୋଗୁଁ ସହରରେ ମଶା ନିୟନ୍ତ୍ରଣ ଏବଂ ମଶାନାଶ ଯୋଜନା ବାଟବଣା ହୋଇଯାଇଛି । ଫଳରେ ମଶା ବଂଶ ବୃଦ୍ଧି ପାଉଛି । ମଶା ଯୋଗୁଁ ସହରବାସୀ ହନ୍ତସନ୍ତ ହୋଇପଡୁଥିବା ବେଳେ ବିଏମସି ନିରବ ରହିଛି ବୋଲି ଅଭିଯୋଗ ହୋଇଛି । ଏହାସହ ସହରରେ ସମସ୍ତ ପ୍ରକାର କର ଆଦାୟ କରିବାରେ ବିଏମସି ଆଗୁଆ ରହୁଥିବା ବେଳେ ସହରବାସୀଙ୍କୁ ସର୍ବନିମ୍ନ ସୁବିଧା ଦେବାରେ ବିଫଳ ହୋଇଛି । ଏଣୁ ଏହାର ପ୍ରତିବାଦ କରି ଆସନ୍ତା ଏକ ସପ୍ତାହ ଭିତରେ ସହରରେ ମଶା ନିବାରଣ ନ କରିଲେ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ସରକାରୀ ବାସଗୃହ ସମ୍ମୁଖରେ ରାତ୍ର ୧୧ ଘଣ୍ଟ ଠାରୁ ୧୨ ଘଣ୍ଟ ପର୍ଯ୍ୟନ୍ତ ଶାନ୍ତିପୂର୍ଣ ଭାବରେ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ଆଇନଜୀବୀ ମନୋଜ ପଟ୍ଟନାୟକ ଗତ ୨ ତାରିଖରେ ମହାନଗର ନିଗମ କମିଶନରଙ୍କୁ ପତ୍ର ଲେଖି ଜଣାଇଥିଲେ । ତେବେ ମହାନଗର ନିଗମ ପକ୍ଷରୁ ମଶାମାନଙ୍କ ବଂଶ ଲୋପ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଆଜି ରାତ୍ରି ୧୧ ଘଣ୍ଟା ଠାରୁ ଆଇନଜୀବୀ କମିଶନରଙ୍କ ସରକାରୀ ବାସଗୃହ ଠାରେ ଧାରଣା ଦିଆଯାଇଥିବା ଜଣାଯାଇଛି ।