ସହରର ଜଳନିଷ୍କାସନ ଲାଗି ବିଧାୟକଙ୍କ ସହ ଜନସାଧାରଣଙ୍କ ଆଲୋଚନା,ଜବର ଦଖଲ ଉଚ୍ଛେଦ ଓ ଯୋଜନାଭୁକ୍ତ ନିର୍ମାଣ କାର୍ଯ୍ୟ ଲାଗି ଗୁରୁତ୍ୱ : ପ୍ରଶାସନଙ୍କ ସହ ହେବ ଆଲୋଚନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆକବରଙ୍କ ସମୟରେ ଜଳେଶ୍ୱରରେ ଏକ ସରକାର ଥିବା ବେଳେ ୧୯୬୪ ମସିହାରୁ ଏନ୍ଏସି ଓ ୨୦୧୪ ମସିହାରେ ମ୍ୟୁନିସିପାଲ୍ଟିର ମାନ୍ୟତା ପାଇଛି । ଯୋଜନାଭୁକ୍ତ ଭାବରେ ନିର୍ମାଣକାର୍ଯ୍ୟ ହେଉନଥିବା ଏହାର ୧୭ଟି ୱାର୍ଡରେ ଜଳନିଷ୍କାସନ ଲାଗି ସମସ୍ୟା ସୃଷ୍ଟି କରୁଛି । ବିଶେଷ କରି ୱାର୍ଡ ନଂ ୩, ୬, ୮, ୯, ୧୦, ୧୧ର ଜଳନିଷ୍କାସନର ବ୍ୟବସ୍ଥା ଅତିନିମ୍ନମାନର । ଫଳରେ ବ୍ୟାପକ ଅଂଚଳ ବୁଡି ରହିବାରୁ ଘରେ ପାଣିପସେ, ରୋଗ ମାତେ । ଚଳିତବର୍ଷ ୬ନଂ ୱାର୍ଡରୁ ଅଦ୍ୟାବଧି ଜଳନିଷ୍କାସନ ହୋଇନପାରିବାରୁ ପରିସ୍ଥିତି ଜଟିଳ ହୋଇଛି ଓ ସେ ଓ୍ବାର୍ଡର ବ୍ୟକ୍ତିମାନେ ଆନ୍ଦୋଳନର ଧମକ ଦେଇଆସୁଛନ୍ତି । ଏଥିପାଇଁ ଆଜି ବିଧାୟକ ଅଶ୍ୱିନୀ କୁମାର ପାତ୍ର ସହରର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଡାକି ଡାକବଂଗଳାରେ ଆଲୋଚନା କରିଛନ୍ତି । ଏଥିରେ ଜବରଦଖଲକାରୀଙ୍କୁ ଉଚ୍ଛେଦ, ଯୋଜନାଭୁକ୍ତଭାବେ ନିର୍ମାଣକାର୍ଯ୍ୟ ହେବା, ଜଳନିଷ୍କାସନପଥ ପରିସ୍କାର କରିବା ଇତ୍ୟାଦିପ୍ରତି ଗୁରୁତ୍ୱ ଦେଇ ଆଲୋଚନା କରିଥିଲେ । ଏ ସଂପର୍କରେ ସେ ପୁର୍ତ୍ତବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ମାନସ କୁମାର ସେଠୀ, ଉପଜିଲାପାଳ ନିଲୁ ମହାପାତ୍ର, ପୌରପାଳ ହୃଷିକେଶ ପାଣିଙ୍କ ସହ ବିଷଦ ଆଲୋଚନା କରି ସମସ୍ୟାର ସମାଧାନ କରାଇବେ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ । ଜଳେଶ୍ୱରର ପୂର୍ବତନ ପୌରପାଳ ପ୍ରବୀର କୁମାର ପ୍ରଧାନ ଏହି ଆଲୋଚନାରେ ଅଧ୍ୟକ୍ଷତା କରିଥିବା ବେଳେ ପୂର୍ବତନ ବାର୍ ସଭାପତି ନିତ୍ୟଗୋପାଳ ଦାସ, ପୂର୍ବତନ କାଉନ୍ସିଲର ଅର୍ଚ୍ଚନା ଗିରି, ଶିକ୍ଷାବିତ୍ ଡ. ଅଜିତ୍ ମହାନ୍ତି, ଚନ୍ଦନ ଦାସ, ଯଜେ୍ଞଶ୍ୱର ପାତ୍ର, ସମର କରଣ, ସୁନିଲ ଗିରି, ସୁଧିର କାମିଳା, ମୁକ୍ତିକାନ୍ତ ନନ୍ଦୀ, ବାଦଲ ଦାସ, ପୂର୍ଣ୍ଣଚନ୍ଦ୍ର ଜେନା, ଭବାନୀ କିଂକର ଦାସ, ଅବନୀ କୁମାର ଚନ୍ଦ ପ୍ରମୁଖ ଅତୀତରେ ଥିବା ଜଳନିଷ୍କାସନ ବ୍ୟବସ୍ଥା ଓ ଏବେ ଜଳନିଷ୍କାସନ ହୋଇପାରୁନଥିବା ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଶେଷରେ ପୂର୍ଣ୍ଣେନ୍ଦୁ ନନ୍ଦୀ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା