
ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା) ବରଗଡ଼ର ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ୩୦ ବେଡ୍ ବିଶିଷ୍ଟ ଅର୍ବାନ ସିଏଚସି କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରି କହିଛନ୍ତି। ଏହି ଅର୍ବାନ ସିଏଚସିରେ ଲୋକଙ୍କୁ ଜରୁରୀକାଳୀନ ଚିକିତ୍ସା ସେବା ଓ ବହିର୍ଚିକିତ୍ସା ସେବା ମଧ୍ୟ ଯୋଗାଇ ଦିଆଯିବ। ଏହା ସହିତ ରୋଗୀମାନେ ଯେପରି ସୁବିଧାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇପାରିବେ ସେଥିପାଇଁ ପୁରୁଣା ଡାକ୍ତରଖାନାରୁ ମାଗଣାରେ ଆମ୍ବୁଲାନ୍ସ ଓ ବସ ସେବା ଯୋଗାଇ ଦେବା ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଲୋକସେବା ଭବନରେ ମନ୍ତ୍ରୀ ସୁଶାନ୍ତ ସିଂ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବେଶ ଆଚାର୍ଯ୍ୟ ଓ ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବରଗଡ଼ ଜିଲ୍ଲା ନୂଆ ମୁଖ୍ୟ ଚିକିତ୍ସାଳୟ ସମ୍ପର୍କିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବରଗଡ଼ର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଲାଗି ରହିଥିବା ଅଚଳାବସ୍ଥାକୁ ଦୂର କରିବା ପାଇଁ ବରଗଡ଼ ସାଂସଦ ସୁରେଶ ପୂଜାରୀ ଆଜି ଏକ ପ୍ରତିନିଧି ଦଳ ସହ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ସାକ୍ଷାତ କରି ଘଟଣାରେ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି। ଏହାପରେ ଶ୍ରୀ ପୂଜାରୀ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଚିବାଳୟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ମଧ୍ୟ ପ୍ରତିନିଧି ଦଳ ସହ ଭେଟି ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଥିଲେ ବୋଲି ଖବର ମିଳିଛି ।