ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବର୍ତ୍ତମାନ ସାରା ବିଶ୍ୱରେ କୋରନା ଭୁତାଣୁ ଆତଙ୍କ ଖେଳାଇଥିବା ବେଳେ ଭାରତରେ ଲକଡାଉନର ଅବଧି ପୁଣି ବୃଦ୍ଧି ପାଇ ମେ ମାସ ୩ ତାରିଖକୁ ଘୁଞ୍ଚିଛି I ପ୍ରଥମ ପର୍ଯ୍ୟାୟ ଲକଡାଉନ ସମାପ୍ତ ପରେ ଏବେ ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିବା ସ୍ଥଳେ ଲୋକଙ୍କ ଦୁର୍ଦ୍ଦଶା ସମୟରେ ସାଂସଦ ଓ ବିଧାୟକଗଣଙ୍କ ବ୍ୟକ୍ତିଗତ ସହାୟତାର ଅନୁପସ୍ଥିତିକୁ ନେଇ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି I ଗରିବ, ଖଟିଖିଆ ଆଦିବାସୀ ଶ୍ରେଣୀର ଲୋକମାନେ ସାଂସଦ ଓ ବିଧାୟକଙ୍କ ବ୍ୟକ୍ତିଗତ ସହାୟତାକୁ ଆଶା କରିଛନ୍ତି I ବହୁ ସ୍ଥାନରେ ସରକାରୀ ସହାୟତା ପଞ୍ଚାୟତ ମାଧ୍ୟମରେ ଯୋଗାଇ ଦେବା ପରେ ସେହି ସହାୟତା ସମୁଦ୍ରକୁ ଶଙ୍ଖେ ପାଣି ପରି ମନେ ହେଉଛି I ବହୁ ସ୍ଥାନରେ ସରାକରୀ ସହାୟତା ଏଯାବତ ପହଞ୍ଚିପାରି ନାହିଁ I ପ୍ରକୃତ ହିତାଧିକାରୀଙ୍କୁ ସରକାରଙ୍କ ତାଲିକାରୁ ବଞ୍ଚିତ କରାଯାଇଥିବାର ସାଧାରଣରେ ଅଭିଯୋଗ ହୋଇଛି I ଏଣୁ ସାଂସଦ ଓ ବିଧାୟକ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ସହାୟତାର ହାତ ବଢାଇବା ପାଇଁ ସାଧାରଣରେ ଦାବୀ ହୋଇଛି I ଏନେଇ ବହୁବାର ସାଧାରଣ ଜନତା ସାଂସଦ ଓ ବିଧାୟକଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରୁଥିବା ସତ୍ୱେ ସେମାନଙ୍କ କୌଣସି ପ୍ରକାର ସନ୍ଧାନ ପାଇ ପାରୁ ନାହାନ୍ତି I ଯାହା ଫଳରେ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହୋଇ ଅନାହାରରେ ଦିନ କାଟୁଛନ୍ତି I
ରିପୋର୍ଟ- ଅମୀୟ ପଣ୍ଡା