ସାଧାରଣ ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧୀୟ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) କବିନ୍ଦ୍ର କୁମାର ସାହୁ ଓ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ଯେ ଜିଲ୍ଲାର ସମସ୍ତ ୩୦୬୩ ବୁଥରେ ଦିବ୍ୟାଙ୍ଗମାନଙ୍କ ଚାଲିବା ପାଇଁ ରାମ୍ପ, ପାଇଖାନା, ବିଜୁଳି ସଂଯୋଗ, ପିଇବା ପାଣି ଭଳି ନିଶ୍ଚିତ ସର୍ବନିମ୍ନ ବ୍ୟବସ୍ଥା କରାଯାଇଛି । ୧୦ଟି ସ୍ଥାନରେ ମଡେଲ ପୋଲିଂ ବୁଥ ଓ ପ୍ରତ୍ୟେକ ବିଧାନ ସଭା ଆସନ ପାଇଁ ଗୋଟିଏ ପିଙ୍କ ବୁଥର ବ୍ୟବସ୍ଥା କରାଯାଇଛି, ଯେଉଁଠାରେ କେବଳ ମହିଳା ନିର୍ବାଚନ କର୍ମଚାରୀ ହିଁ ରହିବେ । ଜିଲ୍ଲାପାଳ ସୂଚନା ଦେଇଥିଲେ ଯେ, ଆଜି ପର୍ଯ୍ୟନ୍ତ ୬୧,୨୨୦ ଜଣ ନୂତନ ଭୋଟର ଚୂଡାନ୍ତ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି । ଚୂଡାନ୍ତ ଭୋଟର ତାଲିକାର ୪୮୮୪୭ ଜଣ ଦିବ୍ୟାଙ୍ଗ ଅଛନ୍ତି ।ଏହି ନିର୍ବାଚନରେ ବୈଷୟିକ ଜ୍ଞାନ କୌଶଳର ବ୍ୟାପକ ପ୍ରୟୋଗ କରାଯାଇଛି । C-Vigil ଓ ନିର୍ବାଚନ ଅଚରନବିଧିକୁ କଡାକଡି ଲାଗୁ କରାଯାଇଛି । ୭୮ ଟି ପ୍ଲାଇଂ ସ୍କ୍ୱାର୍ଡ ଓ ଷ୍ଟାଟିକ୍ ସର୍ଭେଲାନ୍ସ ଟିମ ଗଠନ କରାଯାଇଛି । C-Vigil ମାଧ୍ୟମରେ ଯେଉଁ ୬ଟି ନିର୍ବାଚନ ଆଚରଣ ବିଧିର ଆରୋପ ଆସିଥିଲା, ତାହାର ସମାଧାନ କରାଯାଇସାରିଛି । ଏହାଛଡା ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ହୋଡିଂ/ବ୍ୟାନର ହଟାଇବା ପାଇଁ ବ୍ୟାପକ ବ୍ୟବସ୍ଥା ନିଆଯାଇଛି । ଆଇନଶୃଙ୍ଖଳା ପରିସ୍ଥିତି ବିଷୟରେ ଜିଲ୍ଲାପାଳ ସୂଚନା ଦେଇ କହିଥିଲେ ଯେ, ଗଞ୍ଜାମ ଜିଲ୍ଲା ପୋଲିସ ତରଫରୁ ସଭା ଓ ରୋଷଣୀକୁ ନିୟନ୍ତ୍ରଣ କରିବା ପାଇଁ ଧାରା ୩୦ ଲାଗୁ କରାଯାଇଛି । ସାରା ଜିଲ୍ଲାର ଅବକାରୀ ବିଭାଗ, ରାଜସ୍ୱ ବିଭାଗ ଓ ପୋଲିସ ବିଭାଗର ମିଳିତ ସହଯୋଗରେ ଅବକାରୀ ଚଢ଼ାଉ କରାଯାଇଛି । ନିର୍ବାଚନରେ ପୋଲିସ ଓ ମାଜିଷ୍ଟ୍ରେଟମାନଙ୍କର ସମନ୍ୱୟ ପାଇଁ ଆସନ୍ତା ୧୬ ମାର୍ଚ୍ଚ ୨୦୧୯ ତଥା ଆସନ୍ତା କାଲି ଏକ ବୈଠକର ଆୟୋଜନ କରାଯାଇଛି ବୋଲି ଜିଲ୍ଲାପାଳରେ ସୂଚନା ଦେଇଛନ୍ତି । ନିର୍ବାଚନ ଅଧିକାରୀମାନଙ୍କର ପ୍ରଥମ ପର୍ଯ୍ୟାୟର ପ୍ରଶିକ୍ଷଣ ସମାପ୍ତ ହୋଇଛି ଓ ଆସନ୍ତା ମାର୍ଚ୍ଚ ୨୩ ରୁ ୨୭ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟର ପ୍ରଶିକ୍ଷଣ ହେବ ବୋଲି ସୂଚନା ଦିଆଯାଇଛି । ସେକ୍ଟର ଅଫିସର, ଫ୍ଲାଇଂ ସ୍କ୍ୱାର୍ଡ ଓ ଷ୍ଟାଟିକ ସର୍ଭେୟାନ୍ସ ଟିମର ପ୍ରଶିକ୍ଷଣ ମଧ୍ୟ ସମାପ୍ତ ହୋଇଛି । ଜିଲ୍ଲାପାଳ ସୂଚନା ଦେଇଥିଲେ ଦ୍ଵିତୀୟ ପର୍ଯ୍ୟାୟର ଇଭିଏମ/ଭିଭିପ୍ୟାଟ ସଚେତନତା କାର୍ଯ୍ୟକ୍ରମ ଆସନ୍ତା ୨୬ ପର୍ଯ୍ୟନ୍ତ ଭୋଟର ମାନଙ୍କ ମଧ୍ୟରେ ଆସ୍ଥା ଓ ବିଶ୍ୱାସ ଜନ୍ମାଇବା ପାଇଁ ପ୍ରତ୍ୟେକ ବ୍ଲକରେ ଚଳିବ । ଆସନ୍ତା କାଲିଠାରୁ ଇଭିଏମ ମେସିନ ଗୁଡିକର ରାଣ୍ଡୋମାଇଜେସନ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଅଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନେତୃତ୍ୱରେ ମିଡ଼ିଆ ସାର୍ଟିଫିକେସନ ଆଣ୍ଡ ମନିଟରିଂ କମିଟି (ଏମସିଏମସି) ଗଠନ କରାଯାଇଛି ଯାହା ରାଜନୈତିକ ବିଜ୍ଞାପନ ଗୁଡିକୁ ଅନୁମୋଦନ କରିବ ତଥା ପେଡ ନ୍ୟୁଜ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ସୂଚନାର ପ୍ରସାରଣ ପାଇଁ ଏକ ମିଡ଼ିଆ ସେଲ ମଧ୍ୟ ଗଠନ କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ପ୍ରକାଶ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା