ସାନଖେମୁଣ୍ଡିରେ ୬୮.୦୫% ମତଦାନ ଇଭିଏମରେ ନନ୍ଦିନୀ ଓ ରମେଶଙ୍କ ଭାଗ୍ୟ ସିଲ୍…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆସିକା ଲୋକ ସଭା ଆସନ ଅନ୍ତର୍ଗତ ସାନଖେମୁଣ୍ଡି ବିଧାନସଭା ଆସନ ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଗ୍ରହଣ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଶାନ୍ତିଶୃଙ୍ଖଳା ଭାବେ ସବୁଠାରେ ମତଦାନ ଗ୍ରହଣ କାର୍ଯ୍ୟ ସମ୍ପାଦିତ ହୋଇଥିବା ବେଳେ ସମୁଦାୟ ୬୮.୦୫ ପ୍ରତିଶତ ମତଦାନ ହୋଇଥିବା ରେକର୍ଡ କରାଯାଇଛି । ୧୩୦ ନଂ ସାନଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ସାନଖେମୁଣ୍ଡି ଓ ଧରାକୋଟ ବ୍ଳକର ସମୁଦାୟ ୨୫୩ଗୋଟି ବୁଥ୍ରେ ୨ଲକ୍ଷ ୧୨ ହଜାର ୯ଶହ ୧୩ ଜଣ ଭୋଟର ଅଛନ୍ତି । ସେଥିରୁ ୧ ଲକ୍ଷ ୧୨ ହଜାର ୭ଶହ ୧୫ ପୁରୁଷ ଏବଂ ୧ ଲକ୍ଷ ୧୭୪ଜଣ ମହିଳା ଭୋଟର ରହିଥିବା ବେଳେ ଚଳିତ ସାଧାରଣ ନିର୍ବାଚନରେ ସମୁଦାୟ ୧ ଲକ୍ଷ ୪୭ ହଜାର ୬୦୬ ଜଣ ଭୋଟର ମତଦାନ ଦେଇଥିବା ବିଭାଗୀୟ ଦପ୍ତରରୁ ପ୍ରକାଶ ପାଇଛି । ସେଥିରୁ ୭୩ ହଜାର ୮୯୪ ଜଣ ପୁରୁଷ ଏବଂ ୭୩ ହଜାର ୭୧୨ ଜଣ ମହିଳା ଭୋଟର ନିଜର ମତଦାନ ଦେଇଥିବା ଜଣାପଡିଛି । ଗତ ୨୦୧୪ ସାଧାରଣ ନିର୍ବାଚନରେ ୧ ଲକ୍ଷ ୮୭ ହଜାର ଭୋଟରଙ୍କ ମଧ୍ୟରୁ ୧ ଲକ୍ଷ ୩୧ ହଜାର ୧୯୩ଟି ମତ ଦାନ ଗ୍ରହଣ କରାଯାଇଥିଲା । ସମୁଦାୟ ୬୬.୩୨ ପ୍ରତିଶତ ମତଦାନ ହୋଇଥିବା ରୋକର୍ଡ କରାଯାଇଥିବା ବେଳେ ଚଳିତ ଥର ନିର୍ବାଚନରେ ଭୋଟରଙ୍କ ମତଦାନ ସାବ୍ୟସ୍ତ ପ୍ରତି ଆକୃଷ୍ଟ ରହିଥିବା ପରିଲକ୍ଷିତ ହୋଇଛି । ମତଦାନ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଉଭୟ ପୁରୁଷ ଓ ମହିଳା ଭୋଟରଙ୍କ ମତଦାନ ପ୍ରତିଶତ ସମାନ ପ୍ରାୟ ରହିଥିବା ପରିଲକ୍ଷିତ ହୋଇଛି । ଅବାଧ ଓ ନିରପେକ୍ଷ ସହିତ ଶାନ୍ତିପୂର୍ଣ୍ଣ ନିର୍ବାଚନ ସମ୍ପାଦନ କରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଦେଖିବାକୁ ମିଳିଛି । ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶାନୁଯାୟୀ ଗୁରୁବାର ସକାଳ ୭ ଘଣ୍ଟ ଠାରୁ ମତଦାନ ଗ୍ରହଣ କରାଯିବାକୁ ଥିବା ବେଳେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିଥିବା ଦେଖିବାକୁ ମିଳିଥିଲା ।
ଚଳିତ ନିର୍ବାଚନରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେଉଥିବା ବେଳେ ବିଶେଷ କରି ବିଜେଡି ଓ କଂଗ୍ରେସ ମଧ୍ୟରେ କଡା ମୁକାବିଲା ହେଉଥିବା ଜଣାପଡିଛି । ବିଜେଡିରୁ ଧରାକୋଟ ରାଣୀ ନନ୍ଦିନୀ ଦେବୀ ଗତ ନିର୍ବାଚନରେ ୮୨୨୨ଟି ଭୋଟ ବ୍ୟବଧାନରେ ବିପକ୍ଷ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ପରାସ୍ତ କରି ଆସନ ଅକ୍ତିଆର କରିଥିଲେ । ଚଳିତ ନିର୍ବାଚନରେ ଉଭୟେ ପୁନଶ୍ଚ ଦଳୀୟ ଟିକଟ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ବିଜେପିରୁ ରାଜ୍ୟ ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ବିଜୟ କୁମାର ସ୍ୱାଇଁ ମଧ୍ୟ ନିର୍ବାଚନ ମଇଦାନରେ ଓହ୍ଲାଇଥିଲେ ।
ବିଗତ ନିର୍ବାଚନରୁ ଚଳିତ ଥର ମତଦାନ ପ୍ରତିଶତ ବୃଦ୍ଧି ପାଇଥିବାରୁ ରାଜନୈତିକ ସମାକ୍ଷକ ମାନେ ପ୍ରାକ୍ ବିଜୟ ଆକଳନ କରିପାରୁନଥିବା ସମାଲୋଚନା ହେଉଛି । ଗତ ୨୦୧୪ ନିର୍ବାଚନରେ ସାନଖେମୁଣ୍ଡି ବ୍ଳକର ସମସ୍ତ ବୁଥ୍ରେ ବିଜେଡି ସହିତ କଂଗ୍ରେସର କଡା ମୁକାବିଲା ହୋଇଥିବା ଜଣାପଡିଥିଲା । ଧରାକୋଟ ବ୍ଳକରେ ଲିଡ୍ ପାଇ ବିଜୟୀଲାଭ କରିଥିଲା ଧରାକୋଟର ରାଣୀ ନନ୍ଦିନୀ ଦେବୀ । ଚଳିତ ଥର ମଧ୍ୟ ସମଦଶା ପରିଲକ୍ଷିତ ହୋଇଥିବା ବେଳେ ଅସନ୍ତୋଷଙ୍କ ଭୋଟ କାହାକୁ ଯାଇଛି ତାହା ଭୋଟ ବାକ୍ସ ଖୋଲିବା ପରେହିଁ ଜଣାପଡିବ ବୋଲି ଚର୍ଚ୍ଚା ହୋଇଛି । ସାନଖେମୁଣ୍ଡି ବ୍ଳକରେ କଂଗ୍ରେସ ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନା ଲିଡ୍ ରହୁଥିବା ବେଳେ ଧରାକୋଟ ବ୍ଳକରେ ନନ୍ଦୀନୀ ଦେବୀ ଲିଡ୍ରେ ରହୁଥିବା ଦଳୀୟ ଆକଳନ କରାଯାଇଥିବା କୁହାଯାଇଛି । ସେହିପରି ଉଭୟ ବ୍ଳକରେ ବିଜେପିର ମଧ୍ୟ ସ୍ଥିତି ସମାନ ରହିଥିବା ବିଜେପି ବୁଥ୍ ଏଜେଣ୍ଟ ମାନେ ପ୍ରତିକ୍ରିୟା ଦେଇଛନ୍ତି । ଚର୍ଚ୍ଚାର ପରିଧି ମଧ୍ୟରେ ବିଜେପି ପ୍ରାର୍ଥୀଙ୍କ ନାମ ଆସୁନଥିବା ବେଳେ ସାନଖେମୁଣ୍ଡି ବିଧାନ ସଭା ଆସନ ପାଇଁ ବିଜେଡି ଓ କଂଗ୍ରେସ ଦଳ ନୁହଁ ବରଂ ବ୍ୟକ୍ତିଗତ ଲଢେଇ ନିର୍ବାଚନ ମଇଦାନରେ ଚାଲିଥିବା ନେଇ ସମାଲୋଚନା ଜୋର୍ ଧରିଛି । ବ୍ୟକ୍ତିଗତ ସମର୍ଥକଙ୍କୁ ନେଇ ଭୋଟ ଦିଆଯାଇଥିବା ଆଭାସ ମିଳିଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା