



ଭୁବନେଶ୍ବର(ସମୃଦ୍ଧଓଡିଶା) ଆଜି ଭୁବନେଶ୍ବରସ୍ଥିତ କିଟ୍ ଇଣ୍ଡୋର ଷ୍ଟାଡିୟମଠାରେ ପାଳିତ ହୋଇଯାଇଛି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ । ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଗତ ତିନି ଧରି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସକୁ ଏକ ସମାରୋହ ରୂପେ ପାଳନ କରାଯାଇଛି । ଆଜିର ଅନ୍ତର୍ଜାତୀୟ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଭିନ୍ନକ୍ଷମମାନଙ୍କୁ ଉତ୍ସାହିତ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀଙ୍କ କରକମଳରେ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ବତନ୍ତ୍ର ସହାୟତା ନମ୍ବର ଉନ୍ମୋଚନ କରାଯାଇଛି । ବରିଷ୍ଠ ନାଗରିକମାନଙ୍କୁ ସୂଚନା ପ୍ରଦାନ ଓ ସମସ୍ତ ପ୍ରକାର ସମସ୍ୟାର ସମାଧାନ ନିମନ୍ତେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଦେୟମୁକ୍ତ ସ୍ବତନ୍ତ୍ର ସହାୟତା ନମ୍ବର- ୧୪୫୬୭ ଘୋଷଣା କରାଯାଇଛି । ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ଆଜି ଅନେକ ଭିନ୍ନକ୍ଷମମାନେ ଅଧିକାଂଶ ସ୍ଵାବଲମ୍ବୀ ହୋଇ ନିଜ ନିଜ ପରିବାର ପ୍ରତିପୋଷଣ କରିବା ସଙ୍ଗେ ସଙ୍ଗେ ସମାଜରେ ସେମାନେ ଅନେକ କିଛି ଉଲ୍ଲେଖନୀୟ ଅବଦାନ ସୃଷ୍ଟି କରିଯାଇଛନ୍ତି । ଭିନ୍ନକ୍ଷମମାନଙ୍କ ଥଇଥାନ ପାଇଁ ଉଭୟ କେନ୍ଦ୍ରସରକାର ଓ ରାଜ୍ୟ ସରକାର ମିଳିତ ଭାବରେ ଭିନ୍ନ ଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଆଧୁନିକ ପୁନର୍ବାସ କେନ୍ଦ୍ର, ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ, ଭୀମଭୋଇ ସାମର୍ଥ୍ୟ ଅଭିଯାନ ଶିବିର ଆୟୋଜନ, ବିଭିନ୍ନ ଜିଲ୍ଲାରେ ସେମାନଙ୍କ ପାଇଁ ସମନ୍ୱିତ ଭତ୍ତିଭୂମି କେନ୍ଦ୍ର ପ୍ରତିଷ୍ଠା, ଡିଡିଆର୍ସି ସୁବିଧାସୁଯୋଗ, ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ, ସେମାନଙ୍କୁ ବୃତ୍ତି, ମାଗଣା ଲାପ୍ଟପ୍ ପ୍ରଦାନ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଇତ୍ୟାଦି ଜାରି ରହିଛି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦିବ୍ୟାଙ୍ଗଜନଙ୍କ କଲ୍ୟାଣ ପାଇଁ ବିବିଧ ପଦକ୍ଷେପ ଗ୍ରହଣ କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ସେହପରି ସମ୍ମାନନୀୟ ଅତିଥି ଭାବେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀ ଯୋଗ ଦେଇ ବିଭାଗର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଭିନ୍ନକ୍ଷମମାନଙ୍କ ଶାରୀରିକ ଉପଲବ୍ଧତାକୁ ସୁଦୃଢ କରିବା ବିଭାଗର ଲକ୍ଷ୍ୟ । ସେମାନଙ୍କ ପାଇଁ ଏପରି ଏକ ପରିବେଶର ଗଠନ କରିବା, ଯେଉଁଠାରେ ସେମାନେ ଗୁଣାତ୍ମକ ଶିକ୍ଷା, ନିଯୁକ୍ତି ସମେତ ସ୍ବାଧୀନ ଭାବେ ଜୀବନଯାପନ କରିପାରିବେ । ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ଶ୍ରୀମତୀ ବ୍ରତତୀ ହରିଚନ୍ଦନ ଯୋଗ ଦେଇ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଛନ୍ତି । ଭିନ୍ନକ୍ଷମମାନଙ୍କ ମନୋବଳକୁ ବଢେଇବା ସହ ଏକ ସମ୍ମାନସ୍ପଦ ପରିବେଶ ଯୋଗାଇବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ବୋଲି ସେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, “ଭିନ୍ନକ୍ଷମଙ୍କ ପାଇଁ ଏକ ଅନ୍ତର୍ଭୁକ୍ତ ଏବଂ ସ୍ଥାୟୀ ଭବିଷ୍ୟତ ଗଠନ” ବିଷୟବସ୍ତୁକୁ ନେଇ ପାଳିତ ହୋଇଯାଇଛି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ । ତିନି ଦିନ ବ୍ୟାପୀ ଚାଲିଥିବା ଏହି ସମାରୋହରେ ପ୍ରାୟ ୪୦୦୦ ରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ, ୱାକାଥନ୍ ଆଦି କାର୍ଯ୍ୟକ୍ରମର ଅଂଶବିଶେଷ ଥିଲା । ଅନ୍ତର୍ଜାତୀୟ ଦିବସ ପାଳନ ଅବସରରେ ବିଭାଗ ପକ୍ଷରୁ ଏକ ସ୍ମରଣିକା “ଆମ କଥା” ଉନ୍ମୋଚିତ କରାଯାଇଥିଲା । ଏଥିସହ ଜିଲ୍ଲାରେ ଭିନ୍ନକ୍ଷମମାନଙ୍କୁ ଥଇଥାନ କରିବା ଦିଗରେ ସମ୍ବଲପୁର ଓ ଭଦ୍ରକ ଜିଲ୍ଲା ପ୍ରଶାସନକୁ ସମ୍ବୋଧିତ କରାଯାଇଥିବା ବେଳେ ଶ୍ରେଷ୍ଠ ଡିଡିଆରସି ଭାବରେ ମୟୂରଭଞ୍ଜ ଜିଲ୍ଲାକୁ ସମ୍ମାନିତ କରାଯାଇଛି । ସେହପରି ଭିନ୍ନକ୍ଷମଙ୍କ ବିକାଶ ପାଇଁ କାର୍ଯ୍ୟ କରୁଥିବା ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଛି । କାର୍ଯ୍ୟକ୍ରମରେ ବିଭାଗର ନିର୍ଦ୍ଦେଶକ ଶ୍ରୀମତୀ ନିୟତୀ ପଟ୍ଟନାୟକ ସ୍ବାଗତ ଅଭିଭାଷଣ ରଖିଥିବା ବେଳେ ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ଦୀପକ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ରଜତ ମହାପାତ୍ର ଓ ରୋଜାଲିନ୍ ସାହୁ, ଲୋକସମ୍ପର୍କ ଅଧିକାରୀ