

ଛତ୍ରପୁର (ସମୃଦ୍ଧ ଓଡିଶା) ସାମୁଦ୍ରିକ ଝଡ଼ ଫନି ବାତ୍ୟା ଓ ବର୍ଷା ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ଆକଳନ ଶେଷ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଜିଲ୍ଲାର କ୍ଷୟକ୍ଷତି ରିପୋର୍ଟ ରାଜ୍ୟ ସରକାର ତଥା ରାଜ୍ୟ ରିଲିଫ କମିଶନରଙ୍କୁ ପଠାଇ ଦେଇଛନ୍ତି । ଜିଲ୍ଲାର ୨୨ ବ୍ଲକ ଏବଂ ୨୩ ତହସିଲ ଇଲାକାରେ ସମୁଦାୟ ୧୦୪ କୋଟି ୫୧ ଲକ୍ଷ ୪ ହଜାର ଟଙ୍କାର କ୍ଷୟକ୍ଷତି ଘଟିଥିବା ପ୍ରଶାନସ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଫନି କ୍ଷୟକ୍ଷତି ସଂକ୍ରାନ୍ତୀୟ ବୈଠକ ଅନୁଷ୍ଠିତ କରାଯାଇଥିଲା । ସେହି ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗ ସେମାନଙ୍କ କ୍ଷୟକ୍ଷତି ଆକଳନ ରିପୋର୍ଟ ଉପସ୍ଥାପନ କରିଥିଲେ । ଜିଲ୍ଲାରେ ସର୍ବସାଧାରଣଙ୍କ ସମ୍ପତ୍ତି ବାବଦରେ ୯୬ କୋଟି ୭୪ ଲକ୍ଷ ୫୫ ହଜାର ଟଙ୍କା କ୍ଷତିଗ୍ରସ୍ତ ହୋଇଥିବା ବେଳେ ଘରୋଇ ସମ୍ପତ୍ତି ବାବଦରେ ୭କୋଟି ୭୬ଲକ୍ଷ ୮୫ ହଜାର ଟଙ୍କାର ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି । ଉଭୟ ବାବଦରେ ଜିଲ୍ଲାରେ ସମୁଦାୟ ୧୦୪କୋଟି ୫୧ଲକ୍ଷ ୪ହଜାର ଟଙ୍କାର କ୍ଷତି ହୋଇଥିବା ଜଣାପଡିଛି । ଏହି ଉପସ୍ଥାପନା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠି, ତୁତା ପିତି ସବ୍ୟସାଚି ହୋତା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଦେବବ୍ରତ ସାହୁ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଦେବରାଜ ପାତ୍ରଙ୍କ ସମେତ ସମସ୍ତ ବିଭାଗର ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା