

ଛତ୍ରପୁର (ସମୃଦ୍ଧ ଓଡିଶା) ବଙ୍ଗୋପସାଗରର ଦକ୍ଷିଣ ପୂର୍ବ ଏବଂ ଏହାର ଆଖପାଖ ଅଂଚଳରେ ସୃଷ୍ଟି ସାମୁଦ୍ରିକ ଝଡ଼ “ଫନୀ” ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ପ୍ରାୟ ୪ କିଲୋମିଟର ବେଗରେ ଗତିକରି ସୋମବାର ସକାଳ ୮.୩୦ ସୁଦ୍ଧା ୮.୭ ଡିଗ୍ରୀ ଉତର ଅକ୍ଷାଂଶ ଏବଂ ୮୬.୯ ଡିଗ୍ରୀ ପୂର୍ବ ଦ୍ରାଘିମାରେ ବଙ୍ଗୋପସାଗରର ଦକ୍ଷିଣ ପୂର୍ବରେ, ଶ୍ରୀଲଙ୍କାର ତ୍ରିଣକୋମାଲିର ୬୨୦ କିଲୋମିଟର ପୂର୍ବ, ଚେନ୍ନାଇର ୮୭୦ କିଲୋମିଟର ଦକ୍ଷିଣ ପୂର୍ବ ଏବଂ ଆନ୍ଧ୍ରପ୍ରଦେଶର ମଚ୍ଛଲିପଟନମର ୧୦୪୦ କିଲୋମିଟର ଦକ୍ଷିଣପୂର୍ବ ଦୂରତାରେ କେନ୍ଦ୍ରୀଭୁତ ହୋଇଛି । ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଏକ ଭୟଙ୍କର ସାମୁଦ୍ରିକ ଝଡ଼ରେ ଏବଂ ୨୪ ଘଣ୍ଟା ମଧ୍ୟରେ ଆଜି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି । ମେ ୧ ସନ୍ଧ୍ୟା ସୁଦ୍ଧା ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି ଏବଂ କ୍ରମେ ଉତ୍ତର -ଉତ୍ତରପୂର୍ବ ଦିଗରେ ଗତି କରିବା । ଏହାର ପ୍ରଭାବରେ ମେ ୨ରୁ ଓଡ଼ିଶାର ଦକ୍ଷିଣ ଉପକୂଳ ଓ ଆନ୍ଧ୍ରର ଉତ୍ତର ଉପକୂଳର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ମେ ୩ରୁ ଉପକୂଳ ଓଡିଶା ଏବଂ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳର କେତେକ ଜିଲ୍ଲାରେ ବର୍ଷାର ପରିମାଣ ବୃଦ୍ଧି ପାଇ ପ୍ରବଳରୁ ଅତି ପ୍ରବଳ ହେବାର ସମ୍ଭାବନା ରହିଛି । ମେ ୩ରୁ ପଶ୍ଚିମବଙ୍ଗର ଉପକୂଳ ଜିଲ୍ଲାମାନଙ୍କ ମଧ୍ୟରୁ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ଏବଂ ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଦୁଇ ଦିନ ତାମିଲନାଡୁର ଉତ୍ତର ଉପକୂଳ ଏବଂ ଆନ୍ଧ୍ରପ୍ରଦେଶର ଦକ୍ଷୀଣ ଉପକୂଳରେ ସ୍ୱଳ୍ପ ଓ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହି ଝଡର ପ୍ରଭାବରେ ମେ ୨ରେ ଓଡିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ୫୦ରୁ ୬୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ମେ ୩ ବେଳକୁ ପବନର ବେଗ ବୃଦ୍ଧି ପାଇ ୭୦କିମିରେ ପହଞ୍ଚିବ । ମେ ୧ରୁ ୩ ମଧ୍ୟରେ ଓଡିଶା, ତାମିଲନାଡୁ, ଦକ୍ଷୀଣ ଓ ଉତ୍ତର ଆନ୍ଧ୍ରପ୍ରଦେଶ ଓ ପୁତୁଚେରିର ବଙ୍ଗୋପସାଗରିୟ ସାମୁଦ୍ରିକ ଉପକୂଳ ଅଶାନ୍ତ ରହିବ । ତେଣୁ ଏହି ସମୟ ମଧ୍ୟରେ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମସ୍ଥ୍ୟଜୀବିମାନଙ୍କୁ ବାରଣ କରାଯାଇଛି । ଯେଉଁମାନେ ମାଛ ଧରିବା ପାଇଁ ଗଭୀର ସମୁଦ୍ର ମଧ୍ୟକୁ ଯାଉଛନ୍ତି ସେମାନଙ୍କୁ ଯଥାଶୀଘ୍ର କୂଳକୁ ଫେରିବା ପାଇଁ ମଧ୍ୟ ସତର୍କ ସୂଚନା ଦିଆଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





