ସାମ୍ବାଦିକଙ୍କୁ ଆକ୍ରମଣର ପିସିସି ସଭାପତିଙ୍କ ନିନ୍ଦା

ଭୁବନେଶ୍ୱର  ( ଆକାଶ ମିଶ୍ର) –ରାଜ୍ୟର ବିଭିନ୍ନ ସ୍ଥାନରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହେଉଥିବା ଆକ୍ରମଣକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ତୀବ୍ର ନିନ୍ଦା କରିଛନ୍ତି । ପୁରୀଠାରେ ଏକ ପେଟ୍ରୋଲ ପମ୍ପରେ ଅପମିଶ୍ରଣକୁ ନେଇ ସାଧାରଣ ଲୋକ ଏବଂ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ମଧ୍ୟରେ ଘଟିଥିବା ଗଣ୍ଡଗୋଳର ଖବର ସଂଗ୍ରହ କରୁଥିବାବେଳେ ପୋଲିସ ପକ୍ଷରୁ ଲାଠିଚାଳନା କରାଯାଇଥିଲା । ଏଥିରେ ୧୦ ଜଣ ସାମ୍ବାଦିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ସାମ୍ବାଦିକମାନେ ସେମାନଙ୍କ ପରିଚୟପତ୍ର ଦେଖାଇବା ପରେ ମଧ୍ୟ ପୋଲିସ ଆକ୍ରମଣରୁ ରକ୍ଷା ପାଇନଥିଲେ । ସେହିଭଳି ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଛକରେ ଦୁଇଜଣ ଦୁର୍ବୃତଙ୍କ ଆକ୍ରମଣରେ ଜଣେ ସାମ୍ବାଦିକ ଆହତ ହୋଇଛନ୍ତି । ଦୁଇଦିନ ପୂର୍ବରୁ ବାଲେଶ୍ୱରରେ ସ୍ଥାନୀୟ ଜଣେ ବିଧାୟକଙ୍କ ବାହୁବଳୀ ସମର୍ଥକମାନେ ଆକ୍ରମଣ କରିବାରୁ ଜଣେ ସାମ୍ବାଦିକ ଆହତ ହୋଇଥିଲେ । ଏହି ସମସ୍ତ ଘଟଣାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ତୀବ୍ର ନିନ୍ଦା କରିବା ସହିତ ରାଜ୍ୟରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପୂର୍ଣ୍ଣ ସୁରକ୍ଷା ଦେବାକୁ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ବିଭାଗ ଦାୟିତ୍ୱରେ ରହିଥିବାରୁ ପୁରୀରେ ଘଟିଥିବା ଅଘଟଣରେ ଦାୟୀ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଅନ୍ୟ ଘଟଣାଗୁଡିକରେ ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ବିହିତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।