ସାମ୍ବାଦିକଙ୍କୁ ପୁଲିସ ମାଡ଼ର ଜୋରଦାର ପ୍ରତିବାଦ କଲା ଭୁବନେଶ୍ୱର ସାମ୍ବାଦିକ ସଂଘ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗତକାଲି ପୁରୀରେ ସାମ୍ବାଦିକମାନଙ୍କୁ ପୁଲିସର ବର୍ବର ଆକ୍ରମଣ ଘଟଣା ରାଜ୍ୟବ୍ୟାପୀ ସାମ୍ବାଦିକ ମହଲରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଛି । ବିଭିନ୍ନ ସ୍ଥାନରୁ ଏହା ବିରୋଧରେ ପ୍ରତିବାଦର ସ୍ୱର ଉଠିଛି । ସୋର, ବାଲିଆପାଳ ପରେ ପୁରୀ ପୁଲିସର ଅମାନୁଷିକ କାର୍ଯ୍ୟକୁ ସମସ୍ତେ ନିନ୍ଦା କରିବା ସହ ଦୋଷୀ ପୁଲିସଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।ପୁରୀ ମେଡିକାଲ ଛକସ୍ଥିତ ଖୁଣ୍ଟିଆ ପେଟ୍ରୋଲ ଟାଙ୍କିରେ ଗ୍ରାହକଙ୍କୁ ଅପମିଶ୍ରିତ ତେଲ ଓ ମାପରେ ଠକେଇ କରାଯାଉଥିବା ଅଭିଯୋଗ ହୋଇଆସୁଥିଲା । ଗତକାଲି ରାତିରେ ଜଣେ ବ୍ୟକ୍ତି ଏଭଳି ଅଭିଯୋଗ କରିବା ପରେ ଟାଙ୍କି କର୍ମଚାରୀଙ୍କ ସହ ତାଙ୍କର ଉଚ୍ଚବାଚ ହୋଇଥିଲା । ଟାଙ୍କିରେ ତେଲ ପକାଉଥିବା ଅନ୍ୟ ଗ୍ରାହକମାନେ ମିଳିତ ହେବାରୁ ସେଠାରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା । ଶତାଧିକ ଲୋକ ଏକାଠି ହୋଇ ପେଟ୍ରୋଲ ପମ୍ପରେ ଭଙ୍ଗା ରୁଜା କରିଥିଲେ ।  ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ଖବର ସଂଗ୍ରହ କରିବାକୁ ସେଠାରେ ପହଞ୍ଚିଥିଲେ । ଏହି ସମୟରେ ୫୦ରୁ ଅଧିକ ଲାଠିଧାରୀ ପୁଲିସ ସେଠାରେ ପହଞ୍ଚି ପିଟିବା ଆରମ୍ଭ କରିଦେଇଥିଲେ ।ଗଣ୍ଡଗୋଳକାରୀଙ୍କ ସହ ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ବି ଗୋଡେ଼ଇ ଗୋଡେ଼ଇ ପିଟିଥିଲେ । ସାମ୍ବାଦିକମାନେ ନିଜର ପରିଚୟପତ୍ର ପକାଇଥିଲେ ମଧ୍ୟ ପୁଲିସ ଆଖି ବୁଜି ଦେଇଥିଲା । ପୁଲିସ ମାଡ଼ରେ କେବଳ ୧୦ ସାମ୍ବାଦିକ ଓ କ୍ୟାମେରାମ୍ୟାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଅନେକ ନିରୀହ ଲୋକ ଓ କିଛି ଓକିଲ ମଧ୍ୟ ପୁଲିସ ଆକ୍ରମଣ ଶିକାର ହୋଇଥିବା ଜଣାଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ସେଠାରେ ପହଞ୍ଚିଥିଲେ ମଧ୍ୟ ଆକ୍ରମଣକାରୀ ପୁଲିସ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇଥିବାରୁ ସାମ୍ବାଦିକମାନେ ଉତକ୍ଷିପ୍ତ ହୋଇଛନ୍ତି ।ସାମ୍ବାଦିକଙ୍କ ଉପରେ ପୁଲିସ ମାଡ଼ର ପ୍ରତିବାଦରେ ପୁରୀ ସାମ୍ବାଦିକମାନେ ଏକାଠି ହୋଇଥିବାବେଳେ ଭୁବନେଶ୍ୱରରେ ସାମ୍ବାଦିକମାନେ ମଧ୍ୟ ଏକାଠି ହୋଇଛନ୍ତି । ଜୟଦେବ ଭବନ ସାମନାରେ ୨୫ରୁ ଉଦ୍ଧ୍ୱର୍ ସାମ୍ବାଦିକ ଏକାଠି ହୋଇ ଦୋଷୀ ପୁଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ରାଜ୍ୟର ଅନ୍ୟ ସ୍ଥାନରେ ସାମ୍ବାଦିକମାନେ ଏହାର ପ୍ରତିବାଦ ଆରମ୍ଭ କରିଛନ୍ତି । ସାମ୍ବାଦିକଙ୍କ ଉପରେ ପୁଲିସ ଆକ୍ରମଣର ପ୍ରତିବାଦ ପାଇଁ ଅନ୍ୟ ସଙ୍ଗଠନଗୁଡ଼ିକ ଆଗେଇ ଆସିବାକୁ ଭୁବନେଶ୍ୱର ପ୍ରତିବାଦ ସଭାରେ ଆହ୍ୱାନ ଦିଆଯାଇଛି ।