ସାମ୍ବାଦିକଙ୍କ ସହ ହିରୋଇନ୍‌ଙ୍କ ଝଗଡ଼ା:ନିର୍ଦ୍ଦେଶକଙ୍କ ବିରୋଧରେ ସଙ୍ଗୀନ୍ ଅଭିଯୋଗ ଆଣି ବର୍ଷିଲେ ଓଲିଉଡ୍‌ ଅଭିନେତ୍ରୀ

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଅପ୍‌କମିଂ ଫିଲ୍ମ ‘ତୁ ମୋ ସୁନା ଚଢ଼େଇ’ର ନିର୍ଦ୍ଦେଶକ ଦିଲୀପ ପଣ୍ଡା ଓ ଏହାର ହିରୋଇନ୍‌ ଏଲ୍‌ସା ଘୋଷ୍‌ଙ୍କ ଭିତରେ ଥିବା ବିବାଦର ସମାଧାନ ହେଉହେଉ, ଆଜି ଆଉଏକ ନୂଆ ବିବାଦ ସୃଷ୍ଟି ହୋଇଛି। ସାମ୍ବାଦିକ ସମ୍ମିଳନୀରେ ଏଲ୍‌କାଙ୍କ ବ୍ୟବହାରକୁ ନେଇ ସାମ୍ବାଦିକଙ୍କ ସହ ତାଙ୍କର ଯୁକ୍ତିତର୍କ ଓ କଥା କଟାକଟି ହୋଇଛି। ସ୍ଥିତି ଏପରି ହେଲା ଯେ ବହୁ ସମୟ ଧରି ସେଠାରେ ଉତ୍ତେଜନା ଲାଗିରହିଥିଲା।ସାମ୍ବାଦିକଙ୍କ ବାରମ୍ବାର ପ୍ରଶ୍ନର ଉତ୍ତର ନଦେଇପାରି ଏଲ୍‌ସା ସାମ୍ବାଦିକ ସମ୍ମିଳନୀ ଛାଡ଼ି ବାହାରକୁ ଚାଲିଯାଇଥିଲେ। କିନ୍ତୁ ରିପୋର୍ଟରମାନେ ତାଙ୍କୁ ଛାଡ଼ି ନଥିଲେ। ଫଳରେ କିଛି ସମୟ ପାଇଁ ସେଠାରେ ଦଉଡ଼ା ଦଉଡ଼ି ଲାଗିରହିଥିଲା। ଏଲ୍‌ସାଙ୍କୁ ତାଙ୍କ ବାପା ଧରି ଧରି ବାହାରକୁ ନେଇଯିବା ବେଳେ ସାମ୍ବାଦିକମାନେ ତାଙ୍କୁ ଗୋଡ଼େଇ ଗୋଡ଼େଇ ପ୍ରଶ୍ନ କରିଥିଲେ।ଫିଲ୍ମର ଅଡିଓ ରିଲିଜ୍ ଦିନ ଏକ ହୋଟେଲ୍‌ରେ ହୋଇଥିବା କାର୍ଯ୍ୟକ୍ରମରେ ବଙ୍ଗୀୟ ଅଭିନେତ୍ରୀ ଏଲ୍‌ସା ଘୋଷ ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କୁ ସମସ୍ତଙ୍କ ଆଗରେ ଗାଳିଗୁଲଜ କରିଥିଲେ। ଏହି ଘଟଣାର କମ୍ପ୍ରୋମାଇଜ୍ ପାଇଁ ଆଜି ଉଭୟ ମିଶି ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ସାମ୍ବାଦିକ ସମ୍ମିଳନୀରେ ଏଲ୍‌ସା ଘୋଷ କ୍ଷମା ମାଗିଥିଲେ ବି ଦିଲୀପ ପଣ୍ଡାଙ୍କର ଅନେକ ଭୁଲ୍ ଅଛି ବୋଲି ମଧ୍ୟ ଖୋଲାଖୋଲି କହିଥିଲେ। କିନ୍ତୁ ଦିଲୀପ କିଛି କହିନଥିଲେ। ହେଲେ ଏହାକୁ ନେଇ ସାମ୍ବାଦିକମାନେ ଏଲ୍‌ସାଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ ପଚାରିଥିଲେ। ଏହାପରେ ଉତ୍ତେଜନା ସୃଷ୍ଟି ହୋଇଥିଲା।ଆପଣାନେ ସେମିତି ପ୍ରଶ୍ନ ପଚାରି ପାରିବେ ନାହିଁ ବୋଲି ମଧ୍ୟ ସାମ୍ବାଦିକମାନଙ୍କୁ କହିଥିଲେ ଏଲ୍‌ସା। ଏହାପରେ ସେ ସାମ୍ବାଦିକ ସମ୍ମିଳନୀ ଛାଡ଼ି ଚାଲି ଯାଉଥିଲେ, କିନ୍ତୁ ସାମ୍ବାଦିକମାନେ ତାଙ୍କୁ ଗୋଡ଼େଇ ଗୋଡ଼େଇ ପ୍ରଶ୍ନ ପଚାରିଥିଲେ। ଏହାକୁ ନେଇ କଥା କଟାକଟି ଉଚ୍ଚବାଚ ଆଖିଦେଖାଦେଖି ଲାଗି ରହିଥିଲା।ଓଲିଉଡ୍‌ ଅଭିନେତ୍ରୀ ଏଲ୍‌ସା ଘୋଷ ଆଣିଲେ ସଙ୍ଗୀନ୍‌ ଅଭିଯୋଗ। ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣିବା ସହ ତାଙ୍କୁ ଖୁବ୍ ବର୍ଷିଛନ୍ତି ଏଲ୍‌ସା ଘୋଷ।ଏହି ଘଟଣା ରାଜଧାନୀର ନାମି ହୋଟେଲରେ ଘଟିଥିବା ଜଣାପଡ଼ିଛି। ଅଭିନେତ୍ରୀ ଏଲ୍‌ସା ସିଧାସଳଖ ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ତାଙ୍କ ଉପରେ ବର୍ଷୁଥିବାର ଭିଡିଓ ଏବେ ଭାଇରାଲ ହୋଇଛି।ସୂଚନା ଯୋଗ୍ୟ ଯେ,ଏଲ୍‌ସାଙ୍କ ଆଗାମୀ ଫିଲ୍ମ ‘ତୁ ମୋ ସୁନା ଚଢ଼େଇ’ର ଗତକାଲି ଆର୍ଯ୍ୟପ୍ୟାଲେସ୍‌ ହୋଟେଲରେ ଅଡ଼ିଓ ରିଲିଜ୍‌ କାର୍ଯ୍ୟକ୍ରମ ଥିଲା। ଏହି ଫିଲ୍ମର ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କ ସହ ଅନ୍ୟମାନେ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ହେଲେ ସେଠାରେ କୌଣସି ଏକ କାରଣକୁ ନେଇ ଅଚାନକ ଅଭିନେତ୍ରୀ ଏଲ୍‌ସା ଦିଲୀପ ପଣ୍ଡାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ତୁମ୍ଭିତୁଫାନ କରିଥିଲେ। ଏଲ୍‌ସା ଦିଲୀପଙ୍କ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣି ପାଟିତୁଣ୍ଡ କରିଥିଲେ।ଏହି ସମୟରେ ସେଠାରେ ଉପସ୍ଥିତ ନିର୍ଦ୍ଦେଶକ ତାଙ୍କ ହାତରୁ ମାଇକ୍ରୋଫୋନ୍‌ ଛଡାଇ ନେଇଥିଲେ। ଏଲ୍‌ସା ରାଗିଯିବା ସହ କହିଥିଲେ “ସୁଟିଂ ମେଁ ମେରେ ସାଥ୍‌ କ୍ୟା ହୁଆ ବତାଉଁ”। ଏଲ୍‌ସାଙ୍କ ବାପା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଏଲ୍‌ସା ସୁଟିଂ ସମୟରେ ନିର୍ଦ୍ଦେଶକ ତାଙ୍କ ସହ କ’ଣ କରିଛନ୍ତି ସେସବୁ କହିବେ ବୋଲି ବାରମ୍ବାର ଧମକ୍‌ ମଧ୍ୟ ଦେଇଥିଲେ। ଏଲ୍‌ସା ପୁଣି କହୁଛନ୍ତି “ମୁଁ ଗୋଟିଏ ସମ୍ପତି ନୁହେଁ। ତୁମେ ପଶ୍ଚିମବଙ୍ଗରୁ ଅଭିନେତ୍ରୀ ଆଣୁଛ ଓ ଦୀର୍ଘଦିନ ଧରି ତାଙ୍କୁ ମାନସିକ ନିର୍ଯାତନା ଦେଉଛ।” ଏ ସଂପର୍କରେ ନିର୍ଦ୍ଦେଶକ ଦିଲୀପ ପଣ୍ଡା କିମ୍ବା ପ୍ରଯୋଜକଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ ।ସୂଚନାଯୋଗ୍ୟ, ‘ତୁ ମୋ ସୁନା ଚଢ଼େଇ’ରେ ଏଲ୍‌ସାଙ୍କ ସହ ଅଭିନେତା ଜ୍ୟୋତି ମୁଖ୍ୟ ଚରିତ୍ରରେ ରହିଛନ୍ତି। ଏଥିସହ ଫିଲ୍ମରେ ରାଇମୋହନଙ୍କର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଫିଲ୍ମର ପ୍ରଯୋଜକ ଅଛନ୍ତି ନିତିନ ପଣ୍ଡା ଓ ରୂପେଶ ପଣ୍ଡା।