

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଜେଡି ନେତା, ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ବର୍ତ୍ତମାନର ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ଦୁର୍ବ୍ୟବହାର ଏବଂ ବେଳାଭୂମି ମହୋତ୍ସବକୁ ଆସିବା ସାମ୍ବାଦିକମାନଙ୍କ ଆବଶ୍ୟକତା ନାହିଁ ଏବଂ ଆପଣମାନେ ଚାଲିଗଲେ ବେଳାଭୂମି ମହୋତ୍ସବ ଅଧାରେ ବନ୍ଦ ହୋଇଯିବ ନାହିଁ ତେଣୁ ତୁମମାନଙ୍କର ଏଠି କିଛି ଆବଶ୍ୟକତା ନାହିଁ ତୁମେ ମାନେ ଏଠାରୁ ଫେରିଯାଇପାର ବୋଲି ସର୍ବସମ୍ମୁଖରେ କହିବା ଏବଂ କିଛି ଦୂରରେ ଗଞ୍ଜାମଜିଲ୍ଲାର ଭାଗ୍ୟବିଧାତା ଜିଲ୍ଲାପାଳ ବସି ଶୁଣୁ ଥିଲେ ମଧ୍ୟ କୌଣସି ପ୍ରକାର ପ୍ରତିକ୍ରିୟା ପ୍ରକାଶ ନ କରିବା କେତେଦୂର ଯୁକ୍ତି ଯୁକ୍ତ ବୋଲି ପ୍ରଶ୍ନ କରି ସାମ୍ବାଦିକମାନେ ଘୋର ଉଦବେଗ ପ୍ରକାଶ କରିଛନ୍ତି । ଏଠି ସାମ୍ବାଦିକଙ୍କ ପ୍ରତି ଏପରି ବ୍ୟବହାରକୁ ନେଇ ଅସନ୍ତୋଷ ଦେଖାଦେଇ ଥିବା ବେଳେ ସାମ୍ବାଦିକମାନେ ଏକତ୍ରିତ ହୋଇ ଏହି ଉଦ୍ଧତ ନେତାଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଫେରାଦ ହେବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଘଟଣା ବେଳେ ଜିଲ୍ଲାପାଳଙ୍କ ନିରବତାକୁ ନେଇ ପ୍ରଶାସନ ମଧ୍ୟ ବିଜୁ ଜନତା ଦଳର ଗୋଲାମ ପାଲଟି ଗଲାଣି ବୋଲି ଅଭିଯୋଗ କରିଛନ୍ତି । ବିଧାୟକଙ୍କ ଏଭଳି ସାମ୍ବାଦିକମାନଙ୍କ ପ୍ରତି ବ୍ୟବହାର ପାଇଁ ବୁଦ୍ଧିଜିବୀ ମହଲରେ ନିନ୍ଦା କରାଯାଇଛି । ଚତୁର୍ଥ ସ୍ତମ୍ଭ ପ୍ରତି ଲୋକଙ୍କ ସମ୍ମାନ ଥିବାବେଳେ ଏଭଳି ଅଳ୍ପଦିନରେ ବଡ ନେତା ବନି ଥିବା କିଛି ଗର୍ବିତ ଓ ଉଦ୍ଧତ ନେତା ଗଣମାଧ୍ୟମ ପ୍ରତି ଅସମ୍ମାନ ଓ ଦୁର୍ବ୍ୟବହାର ପ୍ରଦର୍ଶନ କରି ଜିଲ୍ଲାରେ ଜିଲ୍ଲାପାଳ ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କର ବଦନାମ କରୁଛନ୍ତି ତେଣୁ ଏଭଳି ନେତାଙ୍କୁ ମୂଖ୍ୟମନ୍ତ୍ରୀ ତାଗିଦ କରିବା ଆବଶ୍ୟକ ବୋଲି ସାଧାରଣରେ ଦାବୀ ହୋଇଛି । ଜିଲ୍ଲା ପ୍ରଶାସନ ନିରବ ନ ରହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ତାହା ନ ହେଲେ ସାଧାରଣ ଜନତା ଜିଲ୍ଲା ପ୍ରଶାସନ ପ୍ରତି ବିଶ୍ୱାସ ହରାଇବ ବୋଲି କୁହାଯାଇଛି । ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଗୋପାଳପୁର ମହୋତ୍ସବର ସଭାପତି ରହି ସାଧାରଣ ସଂଯମତା ରକ୍ଷା କରିବା ଶିଖିନାହାନ୍ତି ବୋଲି ଅସନ୍ତୋଷ ପ୍ରକାଶ କରି ସାମ୍ବାଦିକମାନେ ସେମାନଙ୍କୁ ମିଳିଥିବା ମହୋତ୍ସବ ପ୍ରବେଶ ପତ୍ରକୁ ଫେରାଇ ଦେଇଥିବା ଜଣାପଡିଛି । ସାମ୍ବାଦିକଙ୍କୁ ହୋଇଥିବା ଦୁର୍ବ୍ୟବହାର ବିରୋଧରେ ବ୍ରହ୍ମପୁର ସାମ୍ବାଦିକମାନଙ୍କ ପକ୍ଷରୁ ପ୍ରତିବାଦ କରାଯିବା ସହ ମିଳିଥିବା ପ୍ରେସ ପାସ ଫେରାଇ ଦିଆଯାଇଛି । ବିଧାୟକଙ୍କ ଏଭଳି ଆଚରଣକୁ ନେଇ ସାରା ରାଜ୍ୟରେ ସାମ୍ବାଦିକ ମହଲରେ ଘୋର ନିନ୍ଦା କରାଯାଇଛି । ଗଞ୍ଜାମଜିଲ୍ଲା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା । ଏହା ମୁଖ୍ୟମନ୍ତ୍ରୀଙ୍କ ସମ୍ମାନକୁ କ୍ଷୁର୍ଣ୍ଣ କରୁନି କି ? ଏହି ଘଟଣାକୁ ନେଇ ଓଡିଶା ସାମ୍ବାଦିକ ୟୁନିୟନ ଗଭୀର ଉଦବେଗ ପ୍ରକାଶ କରିଛି । ଏହାର ପ୍ରତିବାଦ ଜଣାଇବା ପାଇଁ ସବୁ ଜିଲ୍ଲା ଶାଖାକୁ ଆହ୍ୱାନ ଦିଆଯାଇଛି । ଆଗାମୀ ଦିନରେ ଏହା ଆନ୍ଦାଳନର ରୂପନେବବୋଲି ଚେତାବନୀ ଦିଆଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା