ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାରେ ସାମ୍ବାଦିକ ପେନସନ ଓ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଜାତୀୟ ସାମ୍ବାଦିକ ୟୁନିଅନ (ଏନୟୁଜେଆଇ) ରାଜ୍ୟ ସାରା ସାମ୍ବାଦିକମାନଙ୍କୁ ସଂଗଠିତ କରିବ ବୋଲି ପବିତ୍ର ମଇ ଦିବସ ଅବସରରେ ଜାତୀୟ ସାମ୍ବାଦିକ ୟୁନିଅନ ଗଞ୍ଜାମ ଶାଖାର ସାଧାରଣ ପରିଷଦ ବୈଠକରେ ରାଜ୍ୟ ସଂଗଠନର ସଭାପତି ରବି ରଥ ଓ ସାଧାରଣ ସମ୍ପାଦକ ଲଳିତ ମୋହନ ମିଶ୍ର ପ୍ରକାଶ କରିଛନ୍ତି । ଓଡ଼ିଶା ସରକାରଙ୍କ ଦ୍ୱାରା ସାମ୍ବାଦିକମାନେ ଲଗାତର ଅବହେଳାର ଶିକାର ହୋଇ ଆସୁଥିବାରୁ ବକ୍ତାମାନେ ଉଦବେଗ ପ୍ରକାଶ କରିବା ସହିତ ପଡ଼ୋଶୀ ରାଜ୍ୟମାନେ ସାମ୍ବାଦିକମାନଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟ କରୁଥିବା ବେଳେ ଓଡ଼ିଶା ସରକାର ଜାଣିଶୁଣି ଧ୍ରୁତରାଷ୍ଟ୍ରଙ୍କ ଭଳି ଆଖି ବୁଜି ଦେଇଛନ୍ତି ବୋଲି ଅଭିଯୋଗ କରିଥିଲେ । ସ୍ଥାନୀୟ ଇଞ୍ଜିନିରୟରିଂ ସ୍କୁଲ ଛକସ୍ଥିତ ନବୀନ ଭବନ ଠାରେ ସଂଗଠନର ସାଧରଣ ପରିଷଦ ବୈଠକ ବରିଷ୍ଠ ସାମ୍ବାଦିକ ଜଗନ୍ମୋହନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜ୍ୟ ଉପସଭାପତି ଦୀପକ କୁମାର ପୃଷ୍ଟି, ବରିଷ୍ଠ ସାମ୍ବାଦିକ ମନୋଜ କାନ୍ତ ଦାଶ, ଡ଼ା. ହୃଷୀକେଶ ମହାନ୍ତି, ନିରାକାର ସାହୁ, ଦୁର୍ଗା ମାଧବ ପାଣିଗ୍ରାହୀ, ସମୀର ଆଚାର୍ଯ୍ୟ, ଜି. ନାଗରାଜୁ ରାଓ, ଦୀପ୍ତି ରଞ୍ଜନ ପାଢ଼ୀ, ଆକାଶ ପଟ୍ଟନାୟକ, ସୀମାଞ୍ଚଳ ନାହାକ, ପ୍ରଦୀପ କୁମାର କର, ରାକେଶ କୁମାର ଷଡ଼ଙ୍ଗୀ, ସୁଶାନ୍ତ କର, ସୂର୍ଯ୍ୟ ନାରାୟଣ ବେହେରା, କପିଳ ଚନ୍ଦ୍ର ମହାନ୍ତି, ବସନ୍ତ ପଟ୍ଟନାୟକ, ସନ୍ତୋଷ କୁମାର ମିଶ୍ର, ଶରତ ଚନ୍ଦ୍ର ନନ୍ଦ, କାହ୍ନୁ ବାଡ଼ତ୍ୟା, ସୟଦ୍ ଆସାଫ୍ ଅଲ୍ଲୀ ପ୍ରମୁଖ କାର୍ଯ୍ୟରତ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଉପସ୍ଥାପିତ କରିବା ସହ ସଂଗଠନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଖୁବଶୀଘ୍ର ଜିଲାରେ ଏକ ଶକ୍ତିଶାଳୀ ସଂଗଠନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ସର୍ବସର୍ମ୍ମତି କ୍ରମେ ବରିଷ୍ଠ ସାମ୍ବାଦିକ ଜଗନ ମୋହନ ମହାପାତ୍ରଙ୍କୁ ସଭାପତି ଭାବେ ନିର୍ବାଚିତ କରାଯାଇ ଜିଲାର ପୂର୍ଣ୍ଣାଙ୍ଗ କମିଟି ପାଇଁ କ୍ଷମତା ପ୍ରଦାନ କରାଯାଇଛି । ଶେଷରେ ପବିତ୍ର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ରବି ରଥ, ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା