ସାମ୍ବାଦିକ ସୁରକ୍ଷା, ପେନସନ ଓ ସ୍ୱାସ୍ଥ୍ୟବୀମା କାର୍ଯ୍ୟକାରୀ ଦାବିରେ ଦେଶବ୍ୟାପୀ ସାମ୍ବାଦିକମାନଙ୍କୁ ସଂଗଠିତ କରାଯିବ:ଏନୟୁଜେଆଇର ରାଷ୍ଟ୍ରୀୟ ପରିଷଦ ବୈଠକରେ ନିଷ୍ପତ୍ତି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଜାତୀୟ ସାମ୍ବାଦିକ ୟୁନିୟନ (ଏନୟୁଜେଆଇ)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟି ବୈଠକ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ସ୍ଥିତ ଅମରାବତୀ ଠାରେ ଗତ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ନୂତନ ସାମ୍ବାଦିକ ମଜୁରୀବୋଡ ଗଠନ, ସାମ୍ବାଦିକ ସୁରକ୍ଷା ଓ ପେନସନ ଆଇନ, ସ୍ୱାସ୍ଥ୍ୟ ବୀମା ଯୋଜନାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଏନୟୁଜେଆଇ ଭାରତ ବର୍ଷ ସାରା ସାମ୍ବାଦିକମାନଙ୍କୁ ସଂଗଠିତ କରିବ ବୋଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଶୋକ ମଲ୍ଲିକ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକାରୀ କମିଟି ବୈଠକରେ ଏନୟୁଜେଆଇର କେନ୍ଦ୍ରୀୟ ଉପାଧ୍ୟକ୍ଷ ଗଜେନ୍ଦ୍ର କୁମାର ମହାନ୍ତି, ଓଡ଼ିଶା ଶାଖା ସଭାପତି ରବି ରଥ, ୟୁପିର ସଭାପତି ରମେଶ ଜେନ୍‌, ହିମାଚଳ ପ୍ରଦେଶର ସଭାପତି ବଲବର୍‌ ସିଂ, ଝାଡ଼ଖଣ୍ଡର ସଭାପତି ବିକେ ଶର୍ମା, ପଞ୍ଜାବର ସଭାପତି ଅବ୍‌ତାର ସିଂ, ଦିଲ୍ଲୀର ସଭାପତି ମନୋଜ ସିଂ, ଏନୟୁଜେ ଆଇନର ଉପାଧ୍ୟକ୍ଷ ମନୋଜ ମିଶ୍ର, କୋଷାଧ୍ୟକ୍ଷ ହେମନ୍ତ ବିଷ୍ଣୋଇ, ମଧ୍ୟପ୍ରଦେଶର ବି.ପି. ଅବସ୍ତି, ଚଣ୍ଡିଗଡ଼ର ଦୀପକ କୁମାର, ତେଲେଙ୍ଗାନାର ମୁଖ୍ୟ ତଥା ଏହାର ଆୟୋଜକ ଉପିଳା ଲକ୍ଷ୍ମଣ ପ୍ରମୁଖ ସାମ୍ବାଦିକ ବିଭିନ୍ନ ସମସ୍ୟା ଓ ବୃତ୍ତିଗତ ସୁରକ୍ଷା ଉପରେ ଆଲୋଚନା କରି ଏହାର ନିରାକରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପାଇଁ ପ୍ରସ୍ତାବ ଦେଇଥିଲେ । ଦ୍ୱିତୀୟ ଦିବସରେ କ୍ରୀଷ୍ଣା ନଦୀ ବ୍ୟାରେଜ୍‌ ଉପରେ ଏକ ଭାସମାନ ପାଣି ଜାହାଜରେ ୪ ଘଣ୍ଟାବ୍ୟାପି ସାଙ୍ଗଠନିକ, ଆର୍ଥିକ ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ବିଚାର ବିମର୍ଶ କରାଯାଇଥିଲା । ସାମ୍ବାଦିକଙ୍କୁ କିଭଳିସୁରକ୍ଷା ଦିଆଯାଇପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ବିଜୟୱାଡ଼ା ଠାରେ ଥିବା ମା’ କନକ ଦୁର୍ଗା ମନ୍ଦିରଓ ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଦର୍ଶନ କରାଯାଇଥିଲା । ଭାରତ ବର୍ଷର ୧୫ଟି ରାଜ୍ୟରୁ କାର୍ଯ୍ୟକାରୀ କମିଟି ସଦସ୍ୟ ଓରାଜ୍ୟ ସଭାପତିଙ୍କ ସହ ଶତାଧିକ ପ୍ରତିନିଧି ଯୋଗ ଦେଇଥିଲେ । ଓଡ଼ିଶାରୁ ଏହି ପ୍ରତିନିଧି ଦଳରେ ରାଜ୍ୟ ସଂଗଠନରସମ୍ପାଦକ ଚିତ୍ତରଞ୍ଜନ ସ୍ୱାଇଁ, ନୃସିଂହ ଚରଣ ବାରିକ, ଜୟକୃଷ୍ଣ ମହାପାତ୍ର ପ୍ରମୁଖ ୮ ଜଣ ପ୍ରତିନିଧି ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା