ଆପଣଙ୍କୁ ମିଛ ମୋତେ ସତ ନିର୍ଘାତ ଅଙ୍ଗେନିଭା କଥାଟା ଆପଣ ମାନଙ୍କୁ ନ କହିଲା ଯାଏ ଭଲ ଲାଗୁନି । ଆପଣ ମାନେ ଏହାକୁ ଗପ ଭାବନ୍ତୁ କି ଅନୁଭୁତିରୁ ପଦେ ଭାବନ୍ତୁ ମୋର କିଛି ଭାବିବାର ନାହିଁ।ଆଜି ଅଫିସରୁ ଫେରିବା ବାଟରେ ଦେଖା ହୋଇଗଲା ପୁରୁଣା ଗଂଜୁଡୁ ଆର୍ଟିଷ୍ଟ ବନାମ ପାର୍ଟ ଟାଇମ ଆର୍ଟ ଟିଚର ମିଟୁ ମାଷ୍ଟ୍ର ସହ । ଗୋଡ଼ାଇଲା ପଛରେ ଦିଦି ତିରିଶ ଟା ଟଙ୍କା ଦିଅନ୍ତୁ, ଗାଡି ଟାରେ ଏକଦମ ତେଲ ନାହିଁ। ତିରିଶ ଟଙ୍କା ବେଶୀ କିଛି ନୁହଁ ଦେଇଥାନ୍ତି ଯଦି ମୁଁ ତାକୁ ଜାଣି ନ ଥାନ୍ତି ଯେ ଏଇଠୁ ଗଲେ ସେ ପତେ ଟାଣିଦେଵ ।ଆଉ ଢଳ ଢଳ ହୋଇ ସ୍କୁଲ ଚାଲି ଆସିବ ।ଅନେକ ଥର ତାକୁ ବିରକ୍ତି ହୋଇଛି ,ଦେଖ ବିଦ୍ୟାଳୟ ଏକ ମନ୍ଦିର , ମନ୍ଦିର ତ ନୁହଁ ଶ୍ରୀମନ୍ଦିର। ଏମିତି ବାଗ ରେ ବିଦ୍ୟାଳୟ କୁ ଆସିଲେ ଶ୍ରୀମନ୍ଦିର କୁ ଅସମ୍ମାନ , କେତେ ଆଶାନେଇ ପିଲେ ତମଠୁ ଚାହିଁଛନ୍ତି ଟିକେ ଚିତ୍ରକଳା ଶିଖିବେ । ମହରଗ ଯୁଗରେ ତମେ ପାର୍ଟ ଟାଇମ ଟିଚର ଚାକିରୀ ଟେ ପାଇଛ। ସେତକ ବି କମ୍ ନୁହଁ ।ଦରମା ଯାହା ହେଉ ସମାଜରେ ବସିବାକୁ ଚେଆର ଟେ ତ ମିଳିଛି। ଶହ ଶହ ବେକାର ବୁଲୁଛନ୍ତି ପରା । କି କହିବି ଅଲଜ୍ଜା ମୋତେ ଓଲଟା ବୁଝାଇଦିଏ ଦିଦି ଶୀଳ୍ପ କଳା ଟା କୁ ଆପଣ ଏମିତି ସାଧାରଣ ସାଧନା ଭାବିଛନ୍ତି ନା କଅଣ । ଟିକେ ନ ପଡିଲେ ଜୁମ ଟା ଆସେନି । ଆପଣ ନିଜେ କୁହନ୍ତୁନା ବିନା ନିଶାରେ କେହି କବିତା, ଗଳ୍ପ, ସଙ୍ଗୀତ ଗାନ ,କୌଣସି ସାଧନା କରିପାରେ କି ।ମୋତେ ଗୋଟେ ନମୁନା ଦେଖେଇଲେ । ଖୋଜି ଆଣନ୍ତୁ ଯେଡ଼େ ଯେଡେ ବଡ଼ କଳାକାର ଙ୍କୁ । ତା ଛଡା ଏତକ ଦରମାରେ କୋଉ ଘର ଚଳିବ କହୁଁ ନାହାନ୍ତି । ଭାବୁଥିଲି କହିବି ତେବେ ଏ ପିଆ ପିଇ ପାଇଁ ଟଙ୍କା କୋଉଠୁ ବଳାଉଛ । ଧେତ୍ , ୟା ସାଙ୍ଗରେ କଥା କହିବା ଅର୍ଥ ସମୟ ନଷ୍ଟ ଭାବି ପଳେଇ ଆସେ।ଅଗତ୍ୟା କଥାରୁ ମୁଁ ଟିକେ ଗଡ଼ବଡେଇ ଗଲି । ତାକୁ ଓ ତା ଉଧାର ଠୁ ମୁକୁଳିବା ପାଇଁ ତାକୁ ଆଭଏଡ଼ କରି ଏକମୁହାଁ ହୋଇ ଆଗେଇ ଆସୁ ଆସୁ ନଜର ପଡିଲା ପଇଡ଼ ଵାଲା ଆଡେ। କହିଲି ସ୍ୱାମୀଙ୍କୁ ଆରେ ଟିକେ ପଇଡ଼ ପିଇଥାନ୍ତି । ସ୍ୱାମୀ କହିଲେ ସେ ପଛରେ ଆସୁଛି ଅଟକିଲେ ପାଖ ପହଂଚିଯିବ । ବିରକ୍ତି କରିବ ,ଚାଲ ପଇଡ଼ ପିଆ ଆଉ କେବେକୁ ଥାଉ ।କିନ୍ତୁ ମୋ ମନ ରହିଯାଇଥାଏ ପଇଡ଼ ପିଆରେ । କହି ପାରିଲିନି ସିନା କେମିତି ଏକ ବିଚିକିଟିଆ ମନୋଭାବ ନେଇ ଆଗେଇଲି ।ସେଇ କିଚିରିମିଚିରି ଭିତରେ କେତେବେଳେ ଏକ ଭିଡରୁ ଜଣେ ସାର ହାବୁଡି ଦି ଚାରି ପଦ କଥା କହୁଥାନ୍ତି ଆଉ ସମାନ୍ତର ଗତିରେ ଗାଡି ଧୀରେ ଧୀରେ ଚଳାଉଥାନ୍ତି । କଥା ଅଧେ ଅଧେ ଶୁଣା ଯାଉ ନ ଥାଏ ଗାଡି ଭିଡ଼ ଶବ୍ଦରେ । ତଥାପି କହି ହେଉ ନ ଥାଏ ଯେ ସାର ଏ ଭିଡରେ ଏମିତି ଗାଡି ଚଳାଇବା ବି ଏକ ଦୋଷାବହ । ତାଙ୍କୁ ଚିହ୍ନିଛି ନାମକରା ସରକାରୀ ହାଇସ୍କୁଲ ର ବିଜ୍ଞାନ ଶିକ୍ଷକ ।ସାର କଥା କହୁ କହୁ ଆମେ ଆଗେଇ ଗଲୁଣୁ ପୋଲିସ ଫାଣ୍ଡି ପାଖାପାଖି । ଗୁଡାଏ ପୋଲିସ ଦେଖି ହାବୁଡି ଗଲେ ସ୍ୱାମୀ , ଛୁଆଟି ବେଳୁ ଏଇ ଖାକି ପୋଷାକ ଦେଖିଲେ କେମିତି ଗୋଟାଏ ଛାନିଆ ଭାବ ଭିତରେ ରହି ଯାଇଛି ଯେ ଏ ଯାଏ ସେ ଭୟ ଭାବ ଯାଉନାହିଁ । ସ୍ୱାମୀ କଅଣ ବୁଝିଲେ ମୁଁ ଜାଣିନି କିନ୍ତୁ ଗାଡି ଘୁରାଇ ବାକୁ ଉଦ୍ୟତ ହୁଅନ୍ତେ ଭଦ୍ରାମୀ ରେ ଓହ୍ଲାଇ ପଡିଲି ।ଆରେ ଆରେ ମୋତେ ଛାଡ଼ି ଚାଲି ଯାଉଛ ଯେ ମୁଁ ପାଟି କରୁ କରୁ ନା ସ୍ୱାମୀ ଆଗେଇ ଗଲେଣି ଅଧା କିଲୋମିଟର ଆଗକୁ ।ସେତେ ବେଳକୁ ଆମ ପଛ ରୁ ଆସୁଥିବା ଶିକ୍ଷକ ଜଣକ ପହଂଚି ଗଲେଣି ମୋ ପାଖା ପାଖି ଭିଡ଼ ଠେଲି । ସିଧା ଚାଲିଲେ ପୋଲିସ ନିକଟ କୁ ପଚାରିଲେ “କଅଣ ଚେକିଂ ଚାଲିଛି କି ଆଜ୍ଞା “? ପୋଲିସ ଵାଲା ହେଲେବି ଗୋଟେ ହୃଦୟ ଅଛି କି ନାଁ । ଆଜି ପ୍ରଥମ କି ଆଜ୍ଞା ପୋଲିସ ବାଲା ର ମାଟିଆ ପୋଷାକ ଭିତରୁ ଗୋଟେ କୋମଳ ହୃଦୟ ଦେଖିଲି ବା ୟୁନିଫର୍ମ ରୁ ମାଷ୍ଟ୍ରେ ଜାଣିଲା କହି ପାରିବିନି , ପଂଝେ ପୋଲିସ ଭିତରୁ ଯୋଡ଼ାଏ କହିଲେ ହେଲମେଟ ନାହିଁ ଦେଖିକି ବି ଯାଆନ୍ତୁ ଯାଆନ୍ତୁ ମେଡମ କୁ ନେଇ । (ପ୍ରଥମ ଥର ଦେଖିଲି ମାଷ୍ଟ୍ର ଙ୍କ ବି ଖାତିର ଅଛି ସମାଜରେ ) ମେଡମ ଚାଲି ଚାଲି ଯାଉଛନ୍ତି ।ମୁଁ ଦୂରରୁ ଶୁଣିଲେ ବି ଆଉ କହିଲି ନାହିଁ ନା ମୋ ସ୍ୱାମୀ ଭାରି ସାହସୀ , ସେ ଏଠାରେ ନାହାନ୍ତି । ଭଦ୍ରତା ଖାତିର ହେଉ ବା ମୋ ଅସହାୟତା ଯୋଗୁ ହେଲମେଟ ଫାଇନ ରୁ ମୁକ୍ତି ଯୋଗୁ ହେଉ କହି ପାରିବିନି ଅଧା ବାଟ ରେ ଗାଡି ଅଟକାଇ ସାର କହିଲେ ଯିବେକି ମେଡମ । ମୁଁ କହିଲି ନାଇଁ ସାରେ ଆପଣ ଶୀଘ୍ର ଏଠାରୁ ପଳାନ୍ତୁ ଅଯଥାରେ ଏଇଲେ କାହିଁକି ଗଣିବେ କାରଣ ଜଣେ ମୁକ୍ତି ଦେଲେ ବି ସେଇଠି ଅଛନ୍ତି ଆହୁରି ଥୋକେ । ଧୀରେ ଧୀରେ ସ୍ୱାମୀ ନିକଟକୁ ଆସି ପହଞ୍ଚିଲି ।କିଛି କହିଲି ନାହିଁ । କାରଣ ସେ ସେଇ ପଇଡ଼ ଵାଲା ପାଖରେ ଅଟକି ଥିବା ଯୋଗୁ । କହିଲେ ପଇଡ଼ ପିଇବ କହୁଥିଲ ଯେ ।ପିଅ ।ଧନ୍ୟବାଦ ଜଣାଇଲି । ଯାହେଉ ହେ ପୋଲିସ ଵାଲା ଆପଣ ମାନଙ୍କ ଯୋଗୁ ମୋର ପଇଡ଼ ପିଇବା ଇଚ୍ଛା ଟା ସଫଳ ହେଲା ।ହେଲେ ପଚାରିବାକୁ ଇଚ୍ଛା ହେଉଥିଲା ସ୍ୱାମୀ ଦେବ ଙ୍କୁ କିହୋ ଛାର ଶହେ ଟଙ୍କା ଫାଇନ ଟା ପାଇଁ ମୋତେ ଛାଡ଼ି ପଳେଇ ଆସିଲ ଯେ ଫେରି ଚାହିଁଲନି , ସ୍ତ୍ରୀ ପରି ଜୀବ ଟାକୁ ସେମାନେ ମୁଣ୍ଡ ଜାମିନ ରଖିଲେ ନା ଛାଡିଲେ । ହେଲେ କହିଲି ନାହିଁ କାରଣ କାଳେ ସ୍ୱାମୀ ଚିଗୁଳେଇ କହିବେ ସେକେଣ୍ଡ ହେଣ୍ଡ ସ୍କୁଟର କୋଉଠି ବିକ୍ରି ହେବା ଶୁଣିଛ ।ବିରକ୍ତ ଲାଗିବ । ବରଂ ମନେ ମନେ ବଧେଇ ଜଣାଇଲି ଚେକିଂ ଟିମ କୁ ମୋ ପଇଡ଼ ପିଇବା ଇଛା କୁ ସଫଳ କରିବାରେ ସାହାଯ୍ୟ କରି ଥିବାରୁ। ସେତେବେଳ କୁ ସେ ଗଂଜୁଡ଼ କଳାକାର ନ ଥିଲା । ଆରାମ ରେ ପଇଡ଼ ଦିଟା ପିଇ ଘରକୁ ଆସିଲି ।ହେଲେ ଦୋହରାଇ ଦୋହରାଇ ମନେ ପଡୁଥିଲା ବିନା ହେଲମେଣ୍ଟ ବାଲା ସାର ଙ୍କ ପ୍ରଶ୍ନ “ସାର ଚେକିଂ ଚାଲିଛି କି”?
ଲେଖକ:ତପସ୍ୱିନୀ ଦାଶ,ବାରିପଦା,ମୟୁରଭଞ୍ଜ