ସିଟିଜେନ୍ସ ଫୋରମ୍ପ ପକ୍ଷରୁ’ଏକତାର ପ୍ରତିମୂର୍ତ୍ତି ଓ ଭାରତର ନାଗରିକ’ଶୀର୍ଷକ ଆଲୋଚନା ଚକ୍ର…

ଭୁବନେଶ୍ୱର(ସମୃଦ୍ଧ ଓଡିଶା )ପ୍ରତିମୂର୍ତ୍ତିର ରାଜନୀତି ଦେଶର ନାଗରିକଙ୍କୁ ବିଭାଜିତ କରିବା ପାଇଁ ଉଦ୍ଦିଷ୍ଟ। ଦେଶର ଏକତା ଓ ଅଖଣ୍ଡତାକୁ ସୁରକ୍ଷିତ ରଖିବାକୁ ହେଲେ ଏଭଳି ରାଜନୀତିକୁ ବିରୋଧ କରାଯିବା ଆବଶ୍ୟକ ବୋଲି ବିଶିଷ୍ଟ ବକ୍ତାମାନେ ମତ ଦେଇଛନ୍ତି। ସିଟିଜେନ୍ସ ଫୋରମ୍, ଭୁବନେଶ୍ୱର ପକ୍ଷରୁ ଆୟୋଜିତ, ‘ ଏକତାର ପ୍ରତିମୂର୍ତ୍ତି ଏବଂ ଭାରତର ନାଗରିକ’ ଶୀର୍ଷକ ଆଲୋଚନାଚକ୍ରରେ ଏହି ମତ ପ୍ରକାଶ ପାଇଛି। ଫୋରମର ସଭାପତି ଡାକ୍ତର ମଧୁସୂଦନ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରଫେସର ଅମିୟ କୁମାର ମହାନ୍ତି କହିଥିଲେ ଯେ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜଣେ ନିର୍ବିବାଦୀୟ ବ୍ୟକ୍ତି ଥିଲେ। ଉତ୍ତୁଙ୍ଗ ବ୍ୟକ୍ତିତ୍ଵର ଅଧିକାରୀ ଥିଲେ। ଅଥଚ ତାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନକୁ ତୀବ୍ର ବିରୋଧ କରାଯାଇଥିଲା। କାରଣ ତାଙ୍କ ପ୍ରତିମୂର୍ତ୍ତି ଆଳରେ ସମାଜରେ ବିଭେଦ ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର ହୋଇଛି। ସରକାର ବିକାଶର ଏଜେଣ୍ଡାରୁ ଓହରି ଯାଇ ଭାବାବେଗର ଏଜେଣ୍ଡା ନେଇ କାମ କରୁଛନ୍ତି ବୋଲି ସେ କହିଥିଲେ। ଅନ୍ୟତମ ବକ୍ତା ତୁଷାରକାନ୍ତ କହିଥିଲେ ଯେ, ଯେତେବେଳେ ସରକାର ଖାଦ୍ୟ, ବସ୍ତ୍ର, ବାସ ଆଦି ମୈଳିକ ଆବଶ୍ୟକତା ପୂରଣ କରିପାରେ ନାହିଁ, ସେତେବେଳେ ନିର୍ବାଚନ ଆସିଲେ ଶାସକ ଦଳ ଭାବାବେଗର ରାଜନୀତି କରନ୍ତି। ମୂର୍ତ୍ତି, ମନ୍ଦିର, ସ୍ବତନ୍ତ୍ର ପାହ୍ୟା ଆଦି ଏହି ରାଜନୀତିର ଅଂଶ ବୋଲି ସେ ଦର୍ଶାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ କଲ୍ୟାଣ ରାୟ, ସରଳ ଦାସ, ବସନ୍ତ ମାଝୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଫୋରମର ଆବାହକ ପ୍ରଦୀପ୍ତ ନାୟକ ପ୍ରାରମ୍ଭିକ ସୂଚନା ଦେବା ସହ ଆଗାମୀ ବାର୍ଷିକ ଉତ୍ସବ ସମ୍ପର୍କରେ ଆଲୋକପାତ କରିଥିଲେ।