ସିପିଆଇ(ଏମ୍) ଜଳେଶ୍ୱର ଶାଖା ତରଫରୁ ଗଣତନ୍ତ୍ର ଓ ସମ୍ଭିଧାନକୁ ରକ୍ଷା କରିବା ଦାବୀରେ ସାଧାରଣ ସଭା …

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାଂପ୍ରଦାୟିକ ରାଜନୀତି, ଦରଦାମ ବୃଦ୍ଧି, ବେକାରୀ ବୃଦ୍ଧି, ଗଣତନ୍ତ୍ର ଓ ସମ୍ଭିଧାନକୁ ରକ୍ଷା କରିବା ଦାବିରେ ଜଳେଶ୍ୱର ସିପିଆଇ(ଏମ୍) ଜଳେଶ୍ୱର ଶାଖା ତରଫରୁ ୧୭ ତାରିଖ ଶନିବାର ଅପରାହ୍ନରେ ଜଳେଶ୍ୱର ବସଷ୍ଟାଣ୍ଡ ନିକଟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଦେଶରେ ଅର୍ଥନୈତିକ, ରାଜନୈତିକ ଏବଂ ସାମାଜିକ ପରିସ୍ଥିତି ଆଜି ଅତ୍ୟନ୍ତ ସଂକଟ ଅବସ୍ଥାରେ । କେନ୍ଦ୍ରର ବିଜେପି ପରିଚାଳିତ ଏନ୍.ଡି.ଏର ମୋଦୀ ନେତୃତ୍ୱାଧୀନ ସରକାର ଆସିବା ପରେ ସାଧାରଣ ଲୋକଙ୍କ ଜୀବନଜୀବିକା ଉପରେ ଆକ୍ରମଣ ବ୍ୟାପକ ହୋଇଛି । ଆଚ୍ଛାଦିନ ଆସିବ, ଦରବୃଦ୍ଧି ବନ୍ଦ ହେବ, ବର୍ଷରେ ୨କୋଟି ନିଯୁକ୍ତି ମିଳିବ ପ୍ରଭୃତି ନିର୍ବାଚନ ପ୍ରତିଶ୍ରୁତି ଆଜି ପାଣିର ଗାରରେ ପରିଣତ ହୋଇଛି । ମୋଦୀ ସରକାର ୫ବର୍ଷ ପୁରଣ ହେବାକୁ ଯାଉଛି । ଏହି ସମୟ ମଧ୍ୟରେ ଦେଶର ସାମ୍ବିଧାନିକ ସଂସ୍ଥା ସି.ବି.ଆଇ, ଆର୍.ବି.ଆଇ ଏବଂ ଅନ୍ୟାନ୍ୟ ସଂସ୍ଥା ଉପରେ ଆକ୍ରମଣ ଅଧିକ ହୋଇଛି । ବିମୁଦ୍ରାକରଣ, ଜି.ଏସ୍.ଟି ଛାଡ ଫଳରେ ଦରଦାମ ଅଧିକ ବୃଦ୍ଧି ପାଇଛି । ଚାଷର ସହାୟକ ମୂଲ୍ୟ ଓ ଋଣ ଛାଡ ବିଷୟରେ ସରକାର ପଦକ୍ଷେପ ନ ନେବା ଫଳରେ ଚାଷୀ ଆତ୍ମହତ୍ୟା ବଢିଛି । ରନ୍ଧନଗ୍ୟାସ, ପେଟ୍ରୋଲ, ଡିଜେଲ ଓ କିରୋସିନି ଦର ଅତ୍ୟଧିକ ବୃଦ୍ଧିପାଇଛି । ରାଜ୍ୟ ବିଜେଡି ସରକାର ଲୋକଙ୍କର ମୈାଳିକ ସମସ୍ୟାର ସମାଧାନ କରିବା ପରିବର୍ତେ ମୋଦୀ ସରକାର ସହ ସଲାସୁତୁରା କରି କ୍ଷମତାରେ ରହିବା ପାଇଁ କାର୍ଯ୍ୟ କରୁଛି ବୋଲି ଏହି ସାଧାରଣ ସଭାରେ ବକ୍ତା ମାନେ ସମାଲୋଚନା କରିଥିଲେ । ଏହି ସାଧାରଣ ସଭାରେ ସଂପାଦକ ଦିଲ୍ଲୀପ ଗିରି ସଭାପତିତ୍ୱ କରିଥିବା ବେଳେ ରାଜ୍ୟ ଓ ଜିଲ୍ଲା ନେତୃତ୍ୱ ଶିଶିର ହୁଇ, ଶିତାଂଶୁ ସେନାପତି, ଜିତାଂଶୁ ନନ୍ଦୀ, ଦିପ୍ତୀମାନ ଆଚାର୍ଯ୍ୟ, ଦିଲ୍ଲୀପ ପରିଡା, ଗଣେଶ ଭୂୟାଁ, ରାମଚନ୍ଦ୍ର ଦେ, ପଲ୍ଟୁ ଦାସ, ଆରତୀ ପଲାଇ, ସବିତା ଭୂୟାଁ, ଲକ୍ଷ୍ମୀଧର ପଲାଇ, ରବିନ୍ଦ୍ର ବାରିକ, ଗଣେଶ ପାତ୍ର, ଜୀବନ ପରିଡା, ସେକ୍ ସାଦ୍ଦିକ, ଯତୀନ ଜେନା, ପ୍ରମୁଖ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ବକ୍ତବ୍ୟ ପ୍ରଦାନ କରିବା ସହ ଆଗାମୀ ଦିନରେ ଗଣ ଆନ୍ଦୋଳନ ଗଢି ତୋଳିବାକୁ ଆହ୍ୱାନ ଦେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡ଼ା