

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ସିପିଆଇ ପାର୍ଟି ପକ୍ଷରୁ ରାଜ୍ୟ ଯୁବ ସଂଘର ସଂପାଦକ ତଥା ଛତ୍ରପୁର ବିଧାନସଭା ପ୍ରାର୍ଥୀ ପ୍ରଦୀପ ସେଠୀ ବିଧାନସଭା ନିମନ୍ତେ ପ୍ରାର୍ଥୀ ପତ୍ର ରିଟର୍ଣ୍ଣି ଅଫିସର ତଥା ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟିଙ୍କ ନିକଟରେ ଦାଖଲ କରିଛନ୍ତି । ଏହି ଅବସରରେ ସିପିଆଇ ପାର୍ଟି ପକ୍ଷରୁ ଶକ୍ତି ପ୍ରଦର୍ଶନ କରାଯାଇ ଲାଲଗଡ ଭାବେ ପରିଚିତ ଛତ୍ରପୁର ବିଧାନସଭା ମଣ୍ଡଳୀରେ ବିଧାୟକ ପଦବୀ ଦାଖଲ କରିବା ନିମନ୍ତେ ହଜାର ହଜାର ନେତା ଓ କର୍ମୀମାନେ ଏକଜୁଟ ହେବାର ଦେଖିବାକୁ ମିଳିଛି । ପ୍ରାରମ୍ଭରେ ସ୍ଥାନୀୟ ପୁତି ଗୋପାଳପୁର ନିକଟ ବିଶ୍ୱେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ହଜାର ହଜାର ନେତା ଓ କର୍ମୀମାନେ ହାତରେ ଦଳୀୟ ପତାକା ଧରି ଏକ ବିରାଟ ପଟୁଆରରେ ଛତ୍ରପୁର ସହର ପରିକ୍ରମା କରି ସ୍ଥାନୀୟ ରିଡିଙ୍ଗ ରୁମ୍ ପହଞ୍ଚିଥିଲେ । ସେଠାରେ ଏକ ସାଧାରଣ ସଭା ସିପିଆଇ ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଗୋକୁଳ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ ସିପିଆଇ ପାର୍ଟିର ରାଜ୍ୟ ସଂପାଦକ ଆଶିଷ କାନୁଗୋ, ଦିବାକର ନାୟକ, ପୂର୍ବତନ ବିଧାୟକ ତଥା ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ଏନ୍.ନାରାୟଣ ରେଡ୍ଡୀ, ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ପ୍ରଶାନ୍ତ ପାଟ୍ଟଯୋଶୀ, ସିପିଆଇ ଜିଲ୍ଲା ସଂପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ସହ-ସଂପାଦକ ନୀଳକଣ୍ଠ ଦାଶ, କାମଦେବ ନାହାକ, ଜନାର୍ଦ୍ଦନ ରେଡ୍ଡୀ, ଡି.ଆଦିନାରାୟଣ ରେଡ୍ଡୀ, ଏସ୍.କ୍ରିାଷ୍ଣା ରେଡ୍ଡୀ, ବୃନ୍ଦାବନ ପାଲାଇ, ପୂର୍ଣ୍ଣ ରଥ, ସିପିଏମ୍ ର କୈଳାଶ ଷଡଙ୍ଗୀ, ଶ୍ରମିକନେତା ସୈାରୀବନ୍ଧୁ କର, ଆସିକା ଲୋକସଭା ପ୍ରାଥୀ ରାମକୃଷ୍ଣ ପଣ୍ଡା ପ୍ରମୁଖ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ଏହାସହ ଲାଲାଗଡ ଭାବେ ପରିଚିତ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ବିଧାନ ସଭାପ୍ରାର୍ଥୀ ପ୍ରଦୀପ ସେଠୀଙ୍କୁ ବିପୁଳ ପରିମାଣ ଭୋଟଦେଇ ଜୟଯୁକ୍ତ କରିବା ନିମନ୍ତେ ଉପସ୍ଥିତ ହଜାର ହଜାର ନେତା ଓ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ସେହିପରି ଆସିକା ଲୋକସଭା ପ୍ରାର୍ଥୀ ରାମକୃଷ୍ଣ ପଣ୍ଡାଙ୍କୁ ବିଜୟୀ କରିବା ନିମନ୍ତେ ସକଳ୍ପ ବଦ୍ଧ ହୋଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





