ଭୁବନେଶ୍ୱର (ସମୃଦ୍ଧ ଓଡିଶା ) ସି.ବି.ଆଇ. ଡାଇରେକ୍ଟର ଆଲୋକ ବର୍ମାଙ୍କୁ ସୁପ୍ରିମକୋର୍ଟ ତାଙ୍କ ନିଜ ପଦବୀରେ ଥଇଥାନ କରିବା ପାଇଁ ନିର୍ଦ୍ଦେଶ ଦେବାର ୪୮ ଘଂଟା ନପୁରୁଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କମିଟି, ଶ୍ରୀ ବର୍ମାକୁ ସି.ବି.ଆଇ. ଡାଇରେକ୍ଟର ପଦରୁ ହଟାଇଦେଲେ । ଏହି ନିଷ୍ପତି ଫଳରେ ସି.ବି.ଆଇ. କୁ କେନ୍ଦ୍ର ସରକାର ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେବାରେ ସକ୍ଷମ ହେବ ଓ ବିଜେପି ନିଜର ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ କରିବା ପାଇଁ ସି.ବି.ଆଇ. କୁ ବ୍ୟବହାର କରିବ ବୋଲି ସିପିଆଇଏମ୍ ଅଭିଯୋଗ କରିବାକ ସହ ଶ୍ରୀ ବର୍ମାଙ୍କୁ ଦାୟିତ୍ୱରୁ ହଟାଯିବାକୁ ନିନ୍ଦା କରିଛି । ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଜନାର୍ଦ୍ଦନ ପତି ଏକ ପ୍ରେସ୍ ଇସ୍ତାହାରରେ କହିଛନ୍ତି ଯେ ନିର୍ବାଚନ ଆଉ ମାତ୍ର କେତେ ସପ୍ତାହ ଅଛି ଓ ତା ପୂର୍ବରୁ ଗଣତନ୍ତ୍ରର ଖୁଂଟ ସଦୃଶ ସଂଗଠନ ଗୁଡିକୁ ଲୋପ କରିବାକୁ ନରେନ୍ଦ୍ର ମୋଦି ପଦକ୍ଷେପ ନେଇ ଚାଲିଛନ୍ତି । ରାଫେଲ ଦୁର୍ନୀତି ସମେତ ଆଉ ଅନେକ ଦୁର୍ନିୀତିର ପର୍ଦ୍ଦାଫାଶ ହେବା ଭୟରେ ଆତଙ୍କିତ ହୋଇ ନରେନ୍ଦ୍ର ମୋଦି ସି.ବି.ଆଇ. ର ଡାଇରେକ୍ଟର ପଦବୀରେ ନିଜର ଲୋକଙ୍କୁ ଥଇଥାନ କରିଛନ୍ତି । ନରେନ୍ଦ୍ର ମୋଦିଙ୍କ ସମସ୍ତ ପ୍ରକାର ପ୍ରବଂଚନା ଓ ମିଥ୍ୟାର ପର୍ଦ୍ଦା ଧିରେ ଧିରେ ଖୋଲୁଛି ଓ ଦେଶବାସୀ ଆଗାମୀ ନିର୍ବାଚନରେ ବିଜେପିର ଅହଙ୍କାର, ଆକ୍ରମଣ ଶଠତା ଓ ମିଥ୍ୟାଶ୍ରୟର ଉପଯୁକ୍ତ ଜବାବ ଦେବେ ବୋଲି ସେ କହିଛନ୍ତି । ରିପୋର୍ଟ : ଆକାଶ ମିଶ୍ର