ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଲୁଟେରାମାନେ ଲୁଟିବା ପାଇଁ ବିଭିନ୍ନ କୌଶଳ ମାଧ୍ୟମ ମାନ ଅବଲମ୍ବନ କରୁଛନ୍ତି । କେତେବେଳେ ପୋଲିସ ବେଶ ତ ଆଉ କେତେବେଳେ ସିବିଆଇ ଅଫିସର ପରିଚୟ ଦେଇ ଲୁଟୁଛନ୍ତି ଲୁଟେରା । ଗତ ରବିବାର ଦିନ ଜଣେ ବୟସ୍କ ଦମ୍ପତିକୁ ସିବିଆଇ ପରିଚୟ ଦେଇ ଲୁଟି ନେଇଛନ୍ତି ୮ ଭରି ସୁନା ଅଳଙ୍କାର । ବାହାଘର ଭୋଜିରେ ଯୋଗ ଦେବାକୁ ଭୁବନେଶ୍ୱରରୁ ଆସିଥିଲେ ଭାସ୍କର ପାତ୍ର ଓ ତାଙ୍କ ସ୍ତ୍ରୀ ରାଜକୁମାରୀ ପାତ୍ର । ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଜୟପ୍ରକାଶ ନଗର ଛକରେ ସ୍ପଷ୍ଟ ଦିବାଲୋକରେ ସୁନା ଲୁଟ୍ କରିଛନ୍ତି ଦୁର୍ବୃତ । ରବିବାର ଦିନ ପ୍ରାୟ ୧୧.୩୦ ସମୟରେ ଏହି ଘଟଣା ଘଟିଥିଲା । ଭୁବନେଶ୍ୱର ପୋଖରୀପୁଟ ଅଂଚଳର ଭାସ୍କର ପାତ୍ର ଓତାଙ୍କ ସ୍ତ୍ରୀ ରାଜକୁମାରୀ ପାତ୍ର ତାଙ୍କ ସଂପର୍କୀୟଙ୍କ ବାହାଘର ଭୋଜିରେ ଯୋଗ ଦେବା ପାଇଁ ବ୍ରହ୍ମପୁର ଆସି ଜୟପ୍ରକାଶ ନଗର ଯାଉଥିଲେ । ଦମ୍ପତି ନୁହେଁ ସେହି ସ୍ଥାନରେ ଅପେକ୍ଷା କରିଥିବା ବେଳେ ଆକ୍ସିସ୍ ବ୍ୟାଙ୍କ ଆଗରେ ହଠାତ୍ ବାଇକରେ ଆସି ସେମାନଙ୍କୁ ସିବିଆଇ ପରିଚୟ ଦେବା ସହ ପୋଲିସ ପରିଚୟ ପତ୍ର ଦେଖାଇ କହିଥିଲେ ଯେ ଆଗରେ ଅସାମାଜିକ ବ୍ୟକ୍ତି ଅଛନ୍ତି ତେଣୁ ଆପଣ ପିନ୍ଧିଥିବା ସୁନା ଅଳଙ୍କାର ବେକରୁ ବାହାର କରି ବ୍ୟାଗ ଭିତରେ ରଖନ୍ତୁ ବୋଲି କହିଥିଲେ । ଲୁଟେରାଙ୍କ କଥାକୁ ବିଶ୍ୱାସ କରି ଦମ୍ପତି ପିନ୍ଧିଥିବା ସୁନା ଅଳଙ୍କାର ବାହାର କରି କାଗଜରେ ଗୁଡ଼ାଇ ବ୍ୟାଗ ଭିତରେ ରଖିବା ସମୟରେ ଚତୁରତାର ସହ ଲୁଟେରାମାନେ ଉକ୍ତ ସୁନା ଅଳଙ୍କାର ନେଇ ଚମ୍ପଟ ମାରିଥିଲେ । ପୋଲିସ ଖବର ପାଇ ଘଟଣା ସ୍ଥଳରେ ବୈଦ୍ୟନାଥପୁର ଥାନା ଏସଆଇ ଏସ. ଏନ ପାଢି ସଦଳବଳେ ଘଟଣା ସ୍ଥଳରେ ପହଂଚି ତନାଘନା କରିଥିଲେ । ତେବେ ଲୁଟେରାମାନେ ସେଠାରୁ ଫେରାର୍ ହୋଇଯାଇଥିଲେ । କିଛି ସମୟ ପୋଲିସ ଘଟଣା ସ୍ଥଳରେ ଲାଗିଥିବା ସିସି ଟିଭି ଯାଂଚ କରିଥିଲେ । ଆକସିସ୍ ବ୍ୟାଙ୍କରେ ଲାଗିଥିବା ସିସିଟିଭିରୁ କିଛି ଅପରାଧୀଙ୍କୁ ଚିହ୍ନଟ କରାଯାଉଥିବା କଥା କହିଥିଲେ । ଏହା ସହ ଘଟଣା ଘଟିଥିବା ଅଂଚଳରେ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ନଜର ରଖାଯିବା ସହ ଓ ଲୁଟେରାମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରୀ ରହିଥିବା ଜଣାପଡ଼ିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା