

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଚଳିତ ମାସ୧୨ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଛତିଶଗଡ଼ ରାଜ୍ୟର ରାୟପୁରଠାରେ ଅନୁଷ୍ଠିତ ହେବାକୁ ଥିବା ରୋଲର ସ୍କେଟିଂ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ପାଇଁ ବ୍ରହ୍ମପୁରର ସ୍କେଟରମାନେ ଆଜି ଟ୍ରେନ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି । କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ( ସିବିଏସଇ)ର ଇଷ୍ଟ ଜୋନ୍ ପାଇଁ ଆୟୋଜିତ ଏହି ପ୍ରତିଯୋଗୀତାରେ ଓଡ଼ିଶା ସମେତ ପଶ୍ଟିମବଙ୍ଗ, ଛତିଶଗଡ,ଆସାମ, ମିଜୋରାମ ଭଳି ୧୧ଟି ରାଜ୍ୟର ବିଭିନ୍ନ ବିଦ୍ୟାଳୟର ସ୍କେଟରମାନେ ଏଥିରେ ଅଂଶ ଗ୍ରହଣ କରିବେ । ଏଥିରେ ବ୍ରହ୍ମପୁରର ବିଭିନ୍ନ ବିଦ୍ୟାଳୟର ମୋଟ ୬ ଜଣ ବାଳକ ଓ ବାଳିକା ଅଂଶଗ୍ରହଣ କରିବେ । ଏଥି ମଧ୍ୟରୁ ୫ ଜଣ ବାଳକ ଓ ଜଣେ ବାଳିକା ଏହି ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଚୟନ ହୋଇଥିଲେ । ବାଳିକା ବିଭାଗରେ ଅନ୍ୱେଷା ବିଷୋୟୀ ଓ ବାଳକ ବିଭାଗରେ ଅନୁଭବ ପଣ୍ଡା ,ପୁନିତ ଗୌଡ଼, ଆଶୁତୋଷ ପାଢୀ,ଆୟୁଷ ପଣ୍ଡା, ଦେବାଙ୍ଗ ରାଉତ ଏହି ଦଳରେ ସାମିଲ ହୋଇଛନ୍ତି । ସହରର କମାପଲ୍ଲୀଠାରେ ଥିବା ସିଲକି ରୋଲର ସ୍କେଟିଂ ଏକାଡେମୀ(Silky Roller Skating Academy)ରେଏହି ଖେଳାଳୀ ମାନେ ନିଜର ଅଭ୍ୟାସ ଜାରି ରଖିଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ସିବିଏସଇ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗୀତାରେ ଖେଳାଳୀ ମାନେ ଅଂଶ ଗ୍ରହଣ କରିବା ଲାଗି ସୁଯୋଗ ପାଇଥିବା ବେଳେ ଉତ୍ତମ ପ୍ରଦର୍ଶନ ଓ ସଫଳତା ପାଇବେ ବୋଲି ଉଭୟ ଖେଳାଳୀ ଓ ଏକାଡେମୀ ପକ୍ଷରୁ ଆଶା କରା ଯାଇଛି । ଆଜି ସଂଧ୍ୟାରେ ଟ୍ରେନ ଯୋଗେ ଏହି ଖେଳାଳୀ ମାନେ ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଯାତ୍ରା ଆରମ୍ଭ କରିଥିବା ବେଳେ ବ୍ରହ୍ମପୁର ରେଳ ଷ୍ଟେସନରେ ଏକାଡେମୀ, ସିନିଅର ସ୍କେଟର ଓ ଅଭିଭାବକ ମାନଙ୍କ ପକ୍ଷରୁ ଉତ୍ତମ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇ ଦିଆଯାଇଥିଲେ । ଏହି ଜୋନଲେବେଲ ପ୍ରତିଯୋଗୀତାରେ କୃତି ସ୍କେଟରମାନଙ୍କୁ ଆସନ୍ତା ମାସରେ କର୍ଣ୍ଣାଟକର ବେଲଗାଁଓ ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ସ୍କେଟିଂ ପ୍ରତିଯୋଗୀତାରେ ଭାଗ ନେବା ପାଇଁ ସୁଯୋଗ ମିଳିବ ବୋଲି ଜଣାପଡିଛି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବୁରୋଚିଫ ନିମାଇଁ ଚରଣ ପଣ୍ଡା