ସି.ପି.ଆ.ଇ.(ଏମ୍ -ଏଲ୍)ରେଡଷ୍ଟାରର ୬ଷ୍ଠ ଓଡିଶା ରାଜ୍ୟ ସମ୍ମିଳନୀ ଦୁଇଦିନ ଧରି ଆଜି ପୁରୀରେ ଅନୁଷ୍ଠିତ ହେବ

ଭୁବନେଶ୍ୱର ( ଆକାଶ ମିଶ୍ର ) -ଭାରତ କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ-ଲେନିନ୍ ବାଦୀ)ରେଡଷ୍ଟାରର ଷଷ୍ଠ ଓଡିଶା ରାଜ୍ୟ ସମ୍ମିଳନୀ ଆଜି  ଅକ୍ଟୋବର ୫ ତାରିଖରୁ ଆରମ୍ଭ ହୋଇ ୭ ଅକ୍ଟୋବର ପର୍ଯ୍ୟନ୍ତ ପୁରୀରୁ ବଡ଼ଶଙ୍ଖ ନିକଟସ୍ଥ ଶରଧା ମଣ୍ଡପ ଠାରେ ଅନୁଷ୍ଠିତ ହେବ। ସମ୍ମିଳନୀ ପ୍ରଥମ ଦିନ ୫ ଅକ୍ଟୋବର ଅପରାହ୍ନ ୨ ଘଟିକା ସମୟରେ ପୁରୀ ରେଳ ଷ୍ଟେସନ ସମ୍ମୁଖରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଜିଲ୍ଳା ସ୍କୁଲ୍, ସଦରଥାନା, ଡାକ୍ତରଖାନା ଛକ ଆଦି ଦେଇ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ମୁକ୍ତାକାଶ ରଙ୍ଗମଞ୍ଚ ନିକଟରେ ପହଞ୍ଚିବା ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବା ଶୋଭାଯାତ୍ରା ଓ ସାଧାରଣ ସଭା ସି.ପି.ଆ.ଇ (ଏମ୍-ଏଲ) ରେଡ୍ ଷ୍ଟାର୍ ଜାତୀୟ ସାଧାରଣ ସମ୍ପାଦକ କମ୍ରେଡ୍ କେ.ଏନ୍.ରାମଚନ୍ଦ୍ରନ, ପଲଟି ବ୍ୟୁରୋ ସଦସ୍ୟ ତଥା ଭାଙ୍ଗର ଜନ ଆନ୍ଦୋଳନର ପ୍ରମୁଖ ନେତା କମ୍ରେଡ୍ ଅଲିକ୍ ଚକ୍ରବର୍ତ୍ତୀ, ପାର୍ଟିର ରାଜ୍ୟ ସଂମ୍ପାଦକ କମ୍ରେଡ୍ ଶିବରାମ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ କମ୍ରେଡ୍ ସବ୍ୟସାଚୀ, କେନ୍ଦୀୟ କମିଟି ସଦସ୍ୟା କମ୍ରେଡ୍ ପ୍ରମିଳା, ବରିଷ୍ଟ କୃଷକ ନେତା ପ୍ରମୋଦ ରଥ, ଆଦିବାସୀ ନେତା ଟୁନା ମଲ୍ଲିକ୍, ଶ୍ରମିକ ନେତା ରଞ୍ଜନ ମିଶ୍ର, କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ କମ୍ରେଡ୍ ଶଙ୍କର ସାହୁ, ବସ୍ତି ସୁରକ୍ଷା ମଞ୍ଚର ସଭାନେତ୍ରୀ ହେନା ବାରିକ, ଗଣତାନ୍ତ୍ରୀକ ଅଧିକାର ଆନ୍ଦୋଳନର ନେତା କମ୍ରେଡ୍ ବିବେକ୍ ରଞ୍ଜନ ଆଦି ଯୋଗଦେବେ। ଶୋଭାଯାତ୍ରା ଓ ରାଜ୍ୟ ସମ୍ମିଳନୀରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟକ ପ୍ରତିନିଧି ଓ ପର୍ଯ୍ୟବେକ୍ଷକମାନେ ଯୋଗ ଦେବେ। ପାର୍ଟିର ଏହି ତିନି ଦିନିଆ ରାଜ୍ୟ ସମ୍ମିଳନୀରେ ବାମପନ୍ଥୀଙ୍କ ନେତୃତ୍ୱରେ କର୍ପୋରେଟ୍ ଲୁଟ୍ ଓ ସଂଘୀ ଫାସୀବାଦ ବିରୁଦ୍ଧ ଜନ ବିକଳ୍ପ ଗଢି ତୋଳିବା ଏବଂ ରୋଜଗାର ଶିକ୍ଷା ସ୍ୱାସ୍ଥ୍ୟ ସେବା, ସମସ୍ତଙ୍କ ପାଇଁ କର୍ମସ୍ଥଳୀ ନିକଟରେ ବାସଗୃହ, ସାମାଜିକ ନିରାପତ୍ତା, ସାମାଜିକ ନ୍ୟାୟ ଆଦିପ୍ରସଙ୍ଗରେ ଜନ ଆନ୍ଦୋଳନକୁ ଜୋରଦାର କରିବା ସମ୍ପର୍କରେ ବ୍ୟାପକ ଆଲୋଚନା ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ପାର୍ଟିର ପୁରୀ ଜିଲ୍ଲା କମିଟୀ ଏହି ରାଜ୍ୟ ସମ୍ମିଳନୀର ଆୟୋଜନର ଦାୟିତ୍ୱ ବହନ କରିଛି। ପୁରୀ ଜିଲ୍ଳାର ପାର୍ଟି ନେତୃତ୍ୱ ଶ୍ରମଜୀବି ଜନଗଣଙ୍କ ପ୍ରତ୍ୟେକ୍ଷ ସହଯୋଗରେ ଏହି ସମ୍ମିଳନୀ ପରିଚାଳନା କରୁଅଛି। ସିପିଆଇ(ଏମ୍-ଏଲ୍) ରେଡ୍ ଷ୍ଟାର ପୁରୀ ଜିଲ୍ଳା କମିଟି ନେତା ଦୁର୍ଗାମାଧବ ସାହୁ, କୃଷ୍ଣ ମୋହନ ପ୍ରଧାନ, ନିରାକାର ମହାରଣା, ସରୋଜ୍ ଦାସ, ଆନନ୍ଦ ମଲ୍ଳୀକ୍, ସୁବାସ ଚନ୍ଦ୍ର ଭାରତୀ, ସୀମାଞ୍ଚଳ ଦାସ, ଧୋବୀ ଜେନା, ରାଜୁ ରାଓ ଲିଙ୍ଗରାଜ ମହାରଣା, ମୂଳୀ ଚରଣ ପଣ୍ଡା, ମମତା ପ୍ରଧାନ, ଅନ୍ନପୂର୍ଣ୍ଣା ପ୍ରଧାନ ଆଦି ଏହି ରାଜ୍ୟ ସମ୍ମିଳନୀକୁ ସଫଳ କରିବାକୁ ଦିନରାତି ଉଦ୍ୟମ ଜାରୀ ରଖିଛନ୍ତି। ପାର୍ଟି ପକ୍ଷରୁ ଶରଧା ମଣ୍ଡପ ଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ପାର୍ଟିର ରାଜ୍ୟ ସମ୍ପାଦକ କମ୍ରେଡ୍ ଶିବରାମ ଉପସ୍ଥିତ ରହି ଗଣମାଧ୍ୟମ କୁ ସୂଚନା ଦେଇଥିଲେ।