ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଥାନା ଅନ୍ତର୍ଗତ ନାମ୍ପୋ ଗାଁର ସୁଚିତ୍ରା ହାଜିରା ତାଙ୍କ ବଡ ଝିଅ ପୂଜା ମଲ୍ଲିକକୁ ବିବାହ ଦେବାର ୨ ବର୍ଷ ପରେ ଏକ ସୁଚିନ୍ତିତ ଉପାୟରେ ହାଇଦ୍ରାବାଦରେ ହତ୍ୟା କରାଯାଇଥିବାର ଏକ ଅଭିଯୋଗ ସାମ୍ବାଦିକ ସମ୍ମିଳନୀରେ ବାଢିଛନ୍ତି । ତାଙ୍କର ଦେଢ ବର୍ଷର ପୁଅକୁ ଜଣେ ବିତ୍ତଶାଳୀ ବ୍ୟକ୍ତିକୁ ବିକ୍ରି କରିଥିବା ଏବଂ ହତ୍ୟା ଘଟଣାର ନ୍ୟାୟ ପାଇଁ ସେ ଓଡିଶାର ମୁଖ୍ୟମନ୍ତ୍ରୀ ଓ ଆନ୍ଧ୍ରପ୍ରଦେଶର ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ନାମ୍ପୋ ଗାଁର ହରେନ୍ଦ୍ର ଜେନାଙ୍କ ଝିଅ ସୁଚିତ୍ରା ପ୍ରଥମେ ପଶ୍ଚିମବାର୍ଡ ପଞ୍ଚାୟତର ରେଳା ଗାଁର ସର୍ବେଶ୍ୱର ମହାନ୍ତିକୁ ବିବାହ କରିଥିବା ବେଳେ ପୂଜାର ଜନ୍ମ ହୋଇଥିଲା । କିନ୍ତୁ ସୁଚିତ୍ରା ସହ ସର୍ବେଶ୍ୱରର ଛାଡପତ୍ର ହେବାରୁ ୧୫-୧୧-୨୦୦୦ରେ କୋଲକତାର ଡମପୁର ଥାନା ଅନ୍ତର୍ଗତ ଅଷ୍ଟା ହାଜିରାଙ୍କୁ ରେଜେଷ୍ଟ୍ରି ବିବାହ କରିଥିଲେ । କିନ୍ତୁ ୨୮-୧୧-୧୭ରେ ସେହି ଡମପୁର ଥାନା ଅନ୍ତର୍ଗତ ମୁଚିପଡା ଗାଁର ବୃନ୍ଦାବନ ମଲ୍ଲିକଙ୍କ ପୁଅ ଉତ୍କଳ ମଲ୍ଲିକ ଓରଫ ସମୀର ମଲ୍ଲିକକୁ ବୈଦିକ ରିତିରେ ସମସ୍ତ ଜାନି ଯୌତୁକ ସହିତ ବିବାହ ଦେଇଥିଲେ । କିନ୍ତୁ ବିବାହର ୨ମାସ ପରେ ଅଧିକ ଯୌତୁକ, ବାଇକ୍ ଓ ଫ୍ରିଜ୍ ଦାବିରେ ଶ୍ୱଶୁର ବୃନ୍ଦାବନ, ସ୍ୱାମୀ ଉତ୍କଳ ଓ ପରିବାରର ଅନ୍ୟମାନେ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ହେଉଥିବାର ସେଠାକାର ଥାନାରେ ଅଭିଯୋଗ ହୋଇଥିଲା । ଯୌତୁକ ଆଣିନପାରିବାରୁ ଶ୍ୱଶୁର ବୃନ୍ଦାବନ ତା ସହିତ ଦୈହିକ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ । ପରେ ସ୍ଥାନୀୟ ଭଦ୍ରବ୍ୟକ୍ତିଙ୍କ ବିଚାର ପରେ ଉତ୍କଳ ଓରଫ ସମୀର ପୂଜାକୁ ଗତ ଜୁଲାଇ ୧୯ ତାରିଖରେ ଶ୍ରମିକଭାବେ କାର୍ଯ୍ୟକରୁଥିବା ହାଇଦ୍ରାବାଦକୁ ନେଇଯାଇଥିଲେ । ତାଙ୍କର ଦେଡ ବର୍ଷର ଏକ ପୁତ୍ର ରହିଥିବା ବେଳେ ଗତ ୨/୧୧/୧୯ରେ ପୂଜା ଫାସୀ ହୋଇଥିବାର ଖବରପାଇ ମା ସୁଚିତ୍ରା, ୨ୟ ବାପା ଅଷ୍ଟା ହାଜିରା ଓ ମାମୁ ଝାଡେଶ୍ୱର ଜେନା ଘଟଣାସ୍ଥଳରେ ପହଞ୍ଚିଥିଲେ । ପୂଜାର ବେକରେ ଫାସିର ଦାଗ ଥିଲେ ମଧ୍ୟ ମୁଖ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଥିବାରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଦର୍ଶାଇ ଓଡିଶାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା