ଜଳେଶ୍ୱର (ସମୃଦ୍ଧ ଓଡିଶା) ଏନ୍ଜିଟିର ଛାଟପରେ ସୁବର୍ଣ୍ଣରେଖା ନଦୀର ପଶ୍ଚିମବଙ୍ଗ ଇଲାକାରୁ ବାଲି ଉତ୍ତୋଳନ ବନ୍ଦ ହୋଇଥିବା ବେଳେ ଓଡିଶା ଅଂଚଳରୁ ପ୍ରଶାସନର ଉଦାସୀନତା ଯୋଗୁଁ ବ୍ୟାପକ ବାଲି ବେଆଇନ ଭାବେ ଉତ୍ତୋଳିତ ହୋଇ ପଶ୍ଚିମବଙ୍ଗକୁ ଚାଲାଣ ହୋଇ ଆସୁଛି । ବ୍ୟାପକ ରାଜସ୍ୱ ହାନୀ ସହିତ ନିକଟସ୍ଥ ଗ୍ରାମ୍ୟ ରାସ୍ତାଗୁଡିକ ନଷ୍ଟ ହେଉଥିବା ବେଳେ ବାଲିମାଫିଆମାନେ ନଦୀ ଗର୍ଭରୁ ୫ରୁ ୧୦ଫୁଟ ପର୍ଯ୍ୟନ୍ତ ଗଭୀର ଗର୍ତ୍ତ ସୃଷ୍ଟି କରି ବାଲି ଉତ୍ତୋନନ କରି ନଦରପାଖ ପଡିଆ, ଜାତୀୟ ରାଜପଥ କଡ, ଚାଷଜମି ଉପରେ ଓ ବିଭିନ୍ନ ସ୍ଥାନରେ ଜମା କରିଛନ୍ତି । ଏଥିପାଇଁ ମଧ୍ୟ ପ୍ରଶାସନର ନିଘା ନଥିବା ବେଳେ ଦିବାରାତ୍ର ହଜାର ହାଜର ଟ୍ରାକ୍ଟର ଓ ଡମ୍ପର ଶବ୍ଦରେ ଜନସାଧାରଣ ଅତିଷ୍ଟ ହେଉଛନ୍ତି । ସୁବର୍ଣ୍ଣରେଖା ନଦୀର ରାଜନଗର, ମାକିଡିଆ, କୁଅଁରପୁର, ପ୍ରହରାଜପୁର, ବେହେରାସାହି, ଦକ୍ଷିଣ ପ୍ରହରାଜପୁର, ଗୁଆଗଡିଆ, ମକ୍ରାମପୁର, ପଂଚୁଘଣ୍ଟା, ଭାନୁପୁର, ଶିଖରପୁର, ମହମ୍ମଦନଗରପାଟଣା, ସେଖସରାଇ. ଚାଲନ୍ତି, ପାଇକସିଦା, କଣ୍ଟାପାଳ, ଆର୍ଆର୍ପୁର, କୋଟସାହି ପ୍ରଭୃତି ସ୍ଥାନରୁ ବେଆଇନ୍ ବାଲି ଉତ୍ତୋଳନ କରାଯାଇ ଆସୁଥିଲା । କିନ୍ତୁ ଏନ୍ଜିଟି ବାଲି ଉତ୍ତୋଳନ ବେଳେ ଖଣି, ପରିବେଶ ଇତ୍ୟାଦି ନିୟମର ଉଲଙ୍ଘନ କାରୀଙ୍କ ଉପରେ କେତେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ କେତେକ ସ୍ଥାନରୁ ବାଲି ଉତ୍ତୋଳନ କମିଥିଲା । କିନ୍ତୁ ଏବେ ମାକିଡିଆ, ରାଜନଗର, ଭାନୁପୁର, ପଂଚୁଘଣ୍ଟା, ଶିଖରପୁର ଇଦ୍ୟାଦିର ଯେପରି ସମସ୍ତ ଆଇନକୁ ଉଲଙ୍ଘନ କରି ବାଲି ଉତ୍ତୋଳନ ହେଉଛି ଏବଂ ଜିଲା ପ୍ରଶାସନ ଆଖି ବୁଜି ଦେଇଛି ସେଥିଲାଗି ସାଧାରଣରେ ପ୍ରଶାସନର ସ୍ୱଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । କେତେକ ବାଲି ମାଫିଆ, କେତେକ ନଦୀକୂଳ ଗ୍ରାମବାସୀ ଏଥିରେ ସଂଶିଷ୍ଟ ହୋଇ ବିନା ରାଜସ୍ୱରେ ଏବଂ ବିଭିନ୍ନ ଉପାରେ ବଟି ଆଦାୟ କରି ବାଲି ଚାଲାଣ କରି ଆସୁଛନ୍ତି । ଆଜି ଭାନୁପୁର ଅଂଚଳରୁ ପ୍ରାୟ ୩୦୦ ଟ୍ରାକ୍ଟର ନଦୀ ଗର୍ଭରୁ ଜେସିବି ସହାୟତାରେ ବାଲି ଉତ୍ତୋଳନ କରୁଥିବା ବେଳେ ସେଥିରୁ ୨୦୦ରୁ ଉଦ୍ଧ୍ୱର୍ ଟ୍ରାକ୍ଟର ନମ୍ବର ବିହିନ ଭାବେ ଜଳେଶ୍ୱର, ଲକ୍ଷ୍ମଣନାଥ ଓଟି ରୋଡ ନିକଟରେ ଜମା କରୁଥିବା ବେଳେ ବ୍ୟାପକ ବାଲି ଧୂଳି ଉଡିବାରୁ ସ୍ଥାନୀୟ ଜନସାଧାରଣ ଗଣ୍ଡଗୋଳ ସୃଷ୍ଟି କରିଥିଲେ । ନଦୀ ଗର୍ଭରେ କେତେ ପରିମାଣ ସ୍ଥାନରୁ ବାଲି ଉତ୍ତୋଳନ ହେବ, କେତେ ଗଭୀର ହେବ ଏ ସବୁକୁ ଫାଙ୍କି ଦେଇ ସ୍ଥାନୀୟ ବାଲି ନିଲାମଧାରୀ ବିନା ଟ୍ରାନ୍ଜିଟ୍ ପାସ୍ରେ ପଶ୍ଚିମବଂଗକୁ ବାଲି ଚାଲାଣ ହେଉଛି । ସେହିପରି ଶିଖରପୁର ଠାରୁ ମଧ୍ୟ ୨୫୦ଟ୍ରାକ୍ଟର ବାଲି ଉତ୍ତୋଳନ କରି ଆସୁଛନ୍ତି । ଏ ସବୁ ବାଲି ୬୦ନଂ ଜାତୀୟ ରାଜପଥ,ଓଟିରୋଡ ,ଚାଷଜମି, ବିଭିନ୍ନ ପଡିଆ ସ୍ଥାନରେ ମହଜୁଦ କରି ଚଢା ଦରରେ ପଶ୍ଚିମବଂଗକୁ ଚାଲାଣ କରି ମାଲେମାଲ ହେଉଛନ୍ତି । ଆଜି ଏ ସଂପର୍କରେ ଶିଖରପୁର ଓ ଭାନୁପୁର ଅଂଚଳରୁ ଶତାଧିକ ବ୍ୟକ୍ତି ଗାଡିଗୁଡିକୁ ଅଟକାଇବା ଓ ବାଲି ଉତ୍ତୋଳନରେ ବ୍ୟାପକ ଅନିୟମିତତା ସଂପର୍କରେ ତହସିଲଦାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ରର ନକଲ ରାଜ୍ୟ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର, ବାଲେଶ୍ୱର ଜିଲାପାଳ, ଊପଜିଲାପାଳ, ବାରିପଦା ସ୍ଥିତ ମାଇନିଂ ଅଫିସର, କେନ୍ଦ୍ରାଞ୍ଚଳ ଆର୍ଡିସି, ରାଜ୍ୟ ପ୍ରଦୋଷଣ ନିୟନ୍ତ୍ରଣ ବୋର୍ଡ, ରାଜ୍ୟ ଖଣି ନିର୍ଦ୍ଦେଶକ, ଆର୍ଡି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରମୁଖଙ୍କୁ ପ୍ରଦାନ କରାଯାଇଛି । ସର୍ବଶ୍ରୀ ସନ୍ତୋଷ କୁମାର ଦାସ, ସୁବଳ ପାତ୍ର, ଜ୍ୟୋର୍ତିମୟାନନ୍ଦ ପାଳ, ନିଳାମ୍ବର ବେହେରା, ସୁଶାନ୍ତ ମାହଲ, ବରୁଣ ପାଳ, ମୃତ୍ୟୁଞ୍ଜୟ ଗିରି, ତାପସ ଜେନା ପ୍ରମୁଖ ଏହି ଦାବିପତ୍ର ମାଧ୍ୟମରେ ଅଭିଯୋଗ କରିଛନ୍ତି । ନଦୀରେ ବନ୍ୟା ଆସିବା ପୂର୍ବୁ ଏହା ବନ୍ଦ ନ ହେଲେ ପରିସ୍ଥିତି ଅଣାୟତ୍ତର ହେବ ବୋଲି ଚେତାବନୀ ଦେଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା