ସୁବର୍ଣ୍ଣରେଖାର ଅସ୍ଥାୟୀପୋଲ ମରଣଯନ୍ତାରେ ପରିଣତ:ଆସନ୍ନ ବିପଦ ଆଶଙ୍କା !…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରରୁ ରାଇବଣିଆ ସଂଯୋଗ ଲାଗି ଶିଖରପୁର ସ୍ଥାୟୀ ପୋଲ ନିର୍ମାଣ ଶେଷ ହୋଇନଥିବା ବେଳେ ସୁବର୍ଣ୍ଣରେଖା ନଦୀରେ ସବୁବର୍ଷପରି ଚଳିତବର୍ଷ ଏକ ଅସ୍ଥାୟୀ କାଠପୋଲ ନିର୍ମାଣ ହୋଇଛି । ଜଳେଶ୍ୱରସ୍ଥିତ ଗ୍ରାମ୍ୟ ଉନ୍ନୟନ ଡିଭିଜନ ଏହି ପୋଲକୁ ପ୍ରତ୍ୟେକବର୍ଷ ନିର୍ମାଣ କରୁଥିବା ବେଳେ ଚଳିତବର୍ଷ ମଧ୍ୟ ନିର୍ମାଣ କରିଛି । ମାତ୍ର ଚଳିତବର୍ଷ ଏହା ନିମ୍ନ ମାନର ନିର୍ମାଣ ହୋଇଥିବା ପରିଲକ୍ଷିତ ହୋଇଛି । ଏହି ପୋଲ ଡିସେମ୍ବରରୁ ଆରମ୍ଭ ହୋଇ ଜୁନ୍ ୧୫ ପର୍ଯ୍ୟନ୍ତ ରହିବାକୁ ଥିବା ବେଳେ ଚଳିତବର୍ଷ ଇତି ମଧ୍ୟରେ ୨ଥର ଭାଂଗିଯିବା ଫଳରେ ଯାନବାହନ ଦୁର୍ଘଟଣାଗ୍ରସ୍ତ ହୋଇ ହୋଇଥିଲା । ନିମ୍ନମାନର ନିର୍ମାଣ ଯୋଗୁଁ ଏପରି ଘଟୁଥିବା ସ୍ଥାନୀୟ ଅଧିବାସୀମାନେ ଅଭିଯୋଗ କରିଛନ୍ତି । ପୋଲକୁ ଉଭୟପଟୁ ସଂଯୋଗ କରୁଥିବା ଆପ୍ରୋଚରୋଡ ମଧ୍ୟ ଠିକ୍ଭାବେ ନିର୍ମାଣ ହୋଇନଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ଖଣ୍ଡିଆ ଖାବରା ହେଉଥିବା ଜଣାଯାଇଛି । ଉକ୍ତ ପୋଲରେ ବ୍ୟବହାର ହେବାକୁ ଥିବା କାଠ ବଦଳରେ ନିମ୍ନମାନର କାଠ ଲଗାଯିବା ଫଳରେ ବହୁସ୍ଥାନରେ କାଠ ପଟା ଏବଂ ଗଡ ଗୁଡିକ ଭାଂଗି ଯାଇ ଗର୍ତ୍ତ ସୃଷ୍ଟି ହୋଇଛି । ପୋଲର ୨କଡରେ ବାଡ ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ଅତିନିମ୍ନ ମାନର ଓ କମ୍ଉଚ୍ଚତାବିଶିଷ୍ଟ କାଠଗୁଠିକୁ ଲଗାଯିବାରୁ ତାହା ମରଣଯନ୍ତା ପାଲଟିଛି । ଏପରିକି ବହୁ ସମୟରେ ସାଇକେଲ ଆରୋହୀ ନଦୀଗର୍ଭକୁ ପଡିଯାଇଥିବାର ଦୃଷ୍ଟାନ୍ତ ରହିଛି । ଏବେ ନିର୍ବାଚନ ଋତୁ ଥିବାରୁ ଏହି ପୋଲ. ଉପରେ ଦେଇ ପ୍ରତିଦିନ ହଜାର ହଜାର ଦୁଇଚକିଆ, ଚାରିଚକିଆ ଯାନବାହନ ଯିବା ଆସିବା କରୁଥିବାରୁ କେତେବେଳେବି ଏହି ପେଳ ଭୁଷୁଡି ପଡିବାର ସମ୍ଭାବନା ରହିଛି । ଫଳରେ ଧନଜୀବନ ନଷ୍ଟ ହେବା ସହିତ ଯୋଗାଯୋଗ ମଧ୍ୟ ବ୍ୟାହତ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଏହି ନିମ୍ନମାନର ପୋଲ ନିର୍ମାଣ ସଂକ୍ରାନ୍ତରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଟ ଯନ୍ତ୍ରୀ ଇଂ ବିଜୟ କୁମାର ଦାସଙ୍କୁ ଯୋଗାଯୋଗ କରିବାରୁ ସେ ଏହି ପୋଲ ନିର୍ମାଣ ପାଇଁ ବିଭାଗ ପକ୍ଷରୁ ୧୯ଲକ୍ଷ ଟଙ୍କାର ବ୍ୟବବରାଦ ହୋଇଥିବା ବେଳେ ଠିକାଦାରଙ୍କର ନିମ୍ନମାନର କାର୍ଯ୍ୟଯୋଗୁଁ ତାଙ୍କୁ ଅଦ୍ୟାବଧି ୧୩ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଅପରପକ୍ଷରେ ବାରମ୍ବାର ଏହି କାଠପୋଲରୁ କିଛି କାଠ ଚୋରି ହେଉଥିବାର ଅଭିଯୋଗ ମଧ୍ୟ ହୋଇ ଆସୁଛି । ଆବଶ୍ୟକ ହେଲେ ବିଭାଗର ଅନୁମତି ନେଇ ମରାମତିକାର୍ଯ୍ୟ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ମାତ୍ର ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଲମ୍ବୋଦର କରଙ୍କୁ ପଚାରାଯିବାରୁ ସେ ଏହି ପୋଲ ନିର୍ମାଣ ପାଇଁ ପୂର୍ବବର୍ଷପରି ୧୯ଲକ୍ଷ ବଦଳରେ ୧୫ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଥିବାରୁ ଠିକାଦାର ସେହି ଅନୁପାତରେ ନିର୍ମାଣ କାର୍ଯ୍ୟ କରିଛନ୍ତି । ମାତ୍ର ଏହି ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହୋଇଥିବା ଅଭିଯୋଗକୁ ସେ ଅସ୍ୱୀକାର କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡ଼ା