ଜଳେଶ୍ୱର (ସମୃଦ୍ଧ ଓଡିଶା) ପ୍ରଶାସନିକ ଉଦାସିନତା ଯୋଗୁଁ ସୁବର୍ଣ୍ଣରେଖା ନଦୀର ପାରୁଳିଆ ନିକଟ କଣ୍ଟାପାଳ ବାଲିଖାଦାନରେ ବ୍ୟାପକ ଅନିୟମିତତା ଓ ନିର୍ଦ୍ଦିଷ୍ଟ ବାଲିଠାରୁ ଅଧିକ ବାଲି ବେଆଇନ୍ ଭାବେ ଉତ୍ତୋଳନ ତଥା ପାଣିମିଶା ବାଲି ନିଆଯାଉଥିବାରୁ ନିକଟସ୍ଥ ରାସ୍ତାର ଦୁରାବସ୍ଥା ଯୋଗୁଁ ଗ୍ରାମଗୁଡିକର ଲୋକେ ବିରୋଧ କରି ଜଳେଶ୍ୱର ତହସିଲଦାର ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସୁବର୍ଣ୍ଣରେଖା ନଦୀର ୨ୟ ସେତୁଭାବେ ପରିଚିତ ପାରୁଳିଆ ନିକଟ ପୋଲ ଏବେ ବିପଦମାନ ଅବସ୍ତାରେ ରହିଛି । ନଦୀ ଗର୍ଭରେ ଥିବା ପିଲର ସଂଲଗ୍ନ ସ୍ଥାନରୁ ବ୍ୟାପକ ବେଆଇନ୍ ବାଲି ଉତ୍ତୋଳନ ହେଉଥିବାରୁ ପୋଲ ପ୍ରତି ବିପଦ ଦେଖା ଦେଇଛି । ପିଲର ନିକଟରୁ ପ୍ରତିବର୍ଷ ବାଲି ଉତ୍ତୋଳନ ହେବା ଏବଂ ଏହା ବିରୋଧରେ ଗଣମାଧ୍ୟମରେ ବାରମ୍ବାର ପ୍ରକାଶିତ ହେଉଥିଲେ ମଧ୍ୟ କର୍ତ୍ତୃପକ୍ଷ ଏହାର ସୁଧାର ଆଣୁ ନାହାନ୍ତି । ସେଠାରେ ଜଳେଶ୍ୱରର କଣ୍ଟାପାଳ ଓ ବାଲିଆପାଳର ଅସ୍ତି ନିକଟ ଏହି ବାଲି ଖାଦାନକୁ ଜଳେଶ୍ୱର ତହସିଲରୁ ନିଲାମ ଦିଆଯାଇଥାଏ । ଗତ ବର୍ଷ ନିଲାମ ଦିଆଯାଇଥିଲା ଏବଂ ଏଥିରୁ କୋଟି କୋଟି ଟଙ୍କାର ବାଲି ଉତ୍ତୋଳନ ହୋଇଛି । ସ୍ୱମ୍ପ ପମ୍ପ ମାଧ୍ୟରେ ବାଲି ଉତ୍ତୋରଳନ ବେଆଇନ୍ ହୋଇଥିବା ବେଳେ ସେଠାରେ ସ୍ୱମ୍ପ ପମ୍ପ ମାଧ୍ୟମରେ ଉତ୍ତୋଳନ ହେଉଛି । ଆଶ୍ୱର୍ଯ୍ୟର ବିଷୟ ମାତ୍ର ୨୦ ଏକର ସ୍ଥାନରୁ ବାଲି ଉତ୍ତୋଳନ ଲାଗି ନିଲାମ ଦିଆଯାଇଥିବା ବେଳେ ଗତ ୪ବର୍ଷ ଧରି ଏହାଠାରୁ ଅଧିକ ସ୍ଥାନରୁ ଓ ଅଧିକ ଗଭୀର କରି ବାଲି ଉତ୍ତୋଳନ ଚାଲିଛି । ପାଣିମିଶା ବାଲି ନେବା ବେଆଇନ୍ ହୋଇଥିଲେ ମଧ୍ୟ ବହୁ ପରିମାଣରେ ବାଲି ଚାଲାଣ ହେଉଥିବାରୁ ସଂଲଗ୍ନ ରାସ୍ତା ଓ କମର୍ଦ୍ଦା-ବାଲିଆପାଳ ରାସ୍ତାରେ ବାଲି ଜମା ହେଉଛି । ଫଳରେ ଦୁର୍ଘଟଣା ମଧ୍ୟ ବଢୁଛି । ବାଲିବସ୍ତା ଦ୍ୱାରା ନଦୀ ଜଳକୁ ଆକଟ କରି ବାଲି ଉତ୍ତୋଳନ ହେଉଛି । ଖଣି ନିୟମର ଉଲଙ୍ଘନ ହୋଇ ଆସୁଥିବାର ଅଭିଯୋଗ ସଂପର୍କରେ କାର୍ଯ୍ୟାନୁଷ୍ଠାନ ହେଉନଥିବା ନିକଟସ୍ଥ ଗ୍ରାମର ରାଧାକୃଷ୍ଣ ଜେନା, ରବିନ୍ଦ୍ର ବେହେରା, ଲକ୍ଷ୍ମଣ ବେହେରା, ରବିନ୍ଦ୍ର ବେଜ, ବିଜୟ ଜେନା, ଆଦିତ୍ୟ ପରିଡା, କରୁଣାକର ବେହେରା, ପଂଚାନନ ବେଜ, କମଳାକାନ୍ତ ଜେନା, ଅରବିନ୍ଦ ଦାସ, ଧିରେନ୍ଦ୍ର ଜେନା, ବିମଳ ମହୁରୀ, ପ୍ରଦୀପ ଜେନା ଓ ମୃତ୍ୟୁୂଞ୍ଜୟ ଦାସ ପ୍ରମୁଖ ବହୁବ୍ୟକ୍ତି ଅଭିଯୋଗ ଆଣି ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ନଦୀପାଣିକୁ ଆକଟ କରିବା ଓ ନିଷେଧାଜ୍ଞା ସ୍ଥାନ ଗୁଡିକରୁ ବାଲି ଉତ୍ତୋଳନ ହେଉଥିବାରୁ ନଦୀର ଗତପଥ ପରିବର୍ତ୍ତନ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ସ୍ଥାନୀୟ ତହସିଲଦାର ଅଭିମନ୍ୟୁ ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ କଣ୍ଟାପାଳ ବାଲିଖାଦାନକୁ ୫ବର୍ଷ ଲାଗି ନିଲାମ ଦିଆଯାଇଥିବା ବେଳେ ବାର୍ଷିକ ୩୬ଲକ୍ଷ ଟଙ୍କା ରାଜସ୍ୱ ଆସୁଛି । ସେଠାରେ ସ୍ୱାମ୍ପ ପମ୍ପ ଦ୍ୱାରା ବାଲି ଉତ୍ତୋଳନ, ନଦୀ ଗର୍ଭକୁ ବାଲିବସ୍ତା ଦ୍ୱାରା ଆକଟ, ନଦୀ ସେତୁର ପିଲର ଠାରୁ ୨୦୦ ମିଟର ଭିତରେ ବାଲି ଉତ୍ତୋଳନ ନ କରିବାକୁ ନିୟମ ଥିବା ବେଳେ ଅଭିଯୋଗ ସଂପର୍କରେ ସେ ଆଜି ତଦନ୍ତ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା